ନିର୍ବାଚନରେ ଭୋଟରଙ୍କୁ ବିପଥଗାମୀ କରିବାକୁ ଉଦ୍ୟମ ହୋଇଥିଲା: ସୋନିଆ ଗାନ୍ଧୀ

ରାଏବରେଲି: ୨୦୧୯ ଲୋକସଭା ନିର୍ବାଚନ ଶେଷ ହୋଇଛି। କିନ୍ତୁ ଏହାକୁ ନେଇ ବିବାଦ ସରିନାହିଁ। ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ ହିଂସା ଜାରି ରହିଥିଲାବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଜେପିକୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ପରେ ପ୍ରଥମ ଥର ପାଇଁ ଏଠାରେ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ସୋନିଆ କହିଛନ୍ତି, ନିର୍ବାଚନରେ ଭୋଟରମାନଙ୍କୁ ବିପଥଗାମୀ କରିବାକୁ ଉଦ୍ୟମ ହୋଇଥିଲା। ଆପଣମାନେ ସମସ୍ତେ ଏହା ଦେଖିଛନ୍ତି। ସମଗ୍ରୀ ଦେଶ ବି ବୁଝିପାରିଛି ଯେ ଯାହାସବୁ ହୋଇଥିଲା ତାହା ନୈତିକ ନା ଅନୈତିକ ଥିଲା। ଏକ ନିର୍ଦ୍ଦିଷ୍ଟ ଦଳ କ୍ଷମତାକୁ ଆସିବା ଲାଗି ନୀତିନିୟମର ସମସ୍ତ ସୀମା ଟପିଗଲା। ଦେଶ ପାଇଁ ଏହାଠାରୁ ଅନ୍ୟ କିଛି ଅଧିକ ଦୁର୍ଭାଗ୍ୟଜନକ ହେବ ନାହିଁ ବୋଲି ସୋନିଆ ବିଜେପି ନାଁ ନ ନେଇ କହିଥିଲେ।

ତେବେ ଏହି କାର୍ଯ୍ୟକ୍ରମ ସ୍ଥଳକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯିବାକୁ ଅନୁମତି ମିଳି ନ ଥିଲା। କିନ୍ତୁ କେତେକ ଦଳୀୟ କର୍ମୀ ସୋନିଆଙ୍କ ଉଦବୋଧନର ଭିଡିଓ କ୍ଲିପ ଶେୟାର କରିଛନ୍ତି। ନିର୍ବାଚନୀ ପ୍ରକ୍ରିୟା ଉପରେ ସୋନିଆ ପ୍ରଶ୍ନ ଉଠାଇ କହିଥିଲେ, ବିଗତ ୫ବର୍ଷ ଧରି ଭାରତର ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଏକ ପୁରୁଣା କଥା ଅଛି, ‘ନିଆଁ ନ ଥାଇ ଧୂଆଁ ଆସେ ନାହିଁ’ ବୋଲି ସୋନିଆ କହିଥିଲେ। ଏହା ସହିତ ରାଏବରେଲି ବାସିନ୍ଦାଙ୍କ ସହିତ ତାଙ୍କର ସମ୍ପର୍କ ନୂଆ ନୁହେଁ କି ନିଜସ୍ବ ସ୍ବାର୍ଥ ଆଧାରିତ ନୁହେଁ ବୋଲି ସେ କହିଥିଲେ।

Comments are closed.