କୃଷକଙ୍କ ଉପରେ ମାଡିଯାଇଥିବା କାର୍‌ ରେ ପୁଅ ନଥିଲା-ଅଜୟ ମିଶ୍ର : ଭୟରେ ଇଂଟରନେଟ ବନ୍ଦ କରିଛନ୍ତି ଉତ୍ତର ପ୍ରଦେଶ ସରକାର- ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ସେହି ସମାନ କଥା ଦୋହରାଇବାରେ ଲାଗିଛନ୍ତି କେନ୍ଦ୍ର ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର । ସେ କହିଛନ୍ତି, ସେଠାରେ କୃଷକଙ୍କ ଉପରେ ମାଡିଯାଇଥିବା ଗାଡିରେ ତାଙ୍କ ପୁଅ ଉପସ୍ଥିତ ନଥିଲେ । ସେହି ଗାଡି ତାଙ୍କର ହୋଇଥିଲେ ମଧ୍ୟ ସେଥିରେ ତାଙ୍କ ପୁଅ ନଥିବା କହିଛନ୍ତି ଅଜୟ ମିଶ୍ର । ଏହି ଘଟଣାକୁ ନେଇ ଦଳର ହାଇକମାଣ୍ଡଙ୍କ ନିକଟରୁ ତାଙ୍କୁ ଡକରା ଆସିନାହିଁ । ତେବେ ବୁଧବାର ସଂଧ୍ୟାରେ ସେ ନୂଆଦିଲ୍ଲୀରେ ପହଞ୍ଚିବେ । ତାହାସହିତ ସେ କୃଷକଙ୍କ ବିରୁଦ୍ଧରେ କୌଣସି ଖରାପ କଥା କହିନଥିବା ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି । ତେବେ ତାଙ୍କ ପୁଅ ଆଶିଷ ମିଶ୍ରଙ୍କ ନାମରେ ୩୦୨ ଦଫାରେ ମାମଲା ରୁଜ୍ଜୁ କରାଯାଇଛି । କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ପୁଲିସ ଗିରଫ କରିନଥିବାରୁ ବିରୋଧୀ ଦଳଗୁଡିକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହିତ ସେମାନେ ଅଜୟ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯିବା ଦାବି କରିଛନ୍ତି । କଂଗ୍ରେସ, ଆମ୍‌ ଆଦମି ପାର୍ଟ ସହିତ ଅନ୍ୟାନ୍ୟ ବିରୋଧୀ ଦଳଗୁଡିକ ପକ୍ଷରୁ ଏଭଳି ଦାବି କରାଯାଇଛି ।
ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ସରକାର ଭୟରେ ଉକ୍ତ ଅଞ୍ଚଳରେ ଇଂଟରନେଟ ସେବା ବନ୍ଦ କରିଦେଇଥିବା ଦାବି କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶ ପୁଲିସ ପ୍ରିୟଙ୍କାଙ୍କୁ ସୀତାପୁରରେ ପ୍ରାୟ ୪୮ ଘଣ୍ଟା ଅଟକ ରଖିଥିବାବେଳେ ସେଠାରେ ଇଂଟରନେଟ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା । ପ୍ରିୟଙ୍କା କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟରେ ଚାଲିଥିବା ଭାଜପାର ଏକଛତ୍ରବାଦୀ ଶାସନ ବିରୋଧୀ ଦଳର ସ୍ୱରକୁ ଦଳିଚକଟି ନଷ୍ଟ କରିଦେବାର ଅପଚେଷ୍ଟା କରୁଛି । କିନ୍ତୁ ସେମାନେ ସେଥିରେ ସଫଳ ହେବେନାହିଁ । ବିରୋଧୀ ଦଳ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହେବନାହିଁ । ସୂଚନାଯୋଗ୍ୟ ଯେ ଯୋଗୀ ଆଦିତ୍ୟନାଥଙ୍କ ଭାଜପା ସରକାର ଇତିମଧ୍ୟରେ ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ୫ ଜଣିଆ କଂଗ୍ରେସ ପ୍ରତିନିଧି ଦଳକୁ ଲକ୍ଷ୍ମୀପୁର ଖେରି ଜିଲା ଗସ୍ତ ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି । ଏଥିସହିତ ଲଖନଉରେ ୧୪୪ ଧାରା ଜାରି କରାଯାଇଛି ।
ଭାଜପାର ଏଭଳି କାର୍ଯ୍ୟକଳାପକୁ ଶିବସେନା ଇଷ୍ଟ ଇଣ୍ଡିଆ କମ୍ପାନୀ ସହିତ ତୁଳନା କରିଛି । ଶିବସେନା ନେତା ସଞ୍ଜୟ ରାଉତ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ଭେଟିବାର ଦିନକ ପରେ ପ୍ରିୟଙ୍କାଙ୍କୁ ଅଟକ ରଖାଯିବା ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକଙ୍କ କଥା ଶୁଣିବା ଉଚିତ । ସରକାର ଯଦି ଭାବୁଥାନ୍ତି ଯେ କୃଷକଙ୍କୁ ଗିରଫ କରି ସେମାନଙ୍କ ସ୍ୱରକୁ ଚପାଇ ଦିଆଯାଇପାରିବ, ତେବେ ତାହା ସଂପୂର୍ଣ୍ଣ ଭୁଲ । ଇତିମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ତେନି କହିଛନ୍ତି ଯେ ଘଟଣା ଘଟିଥିବା ସ୍ଥାନରେ କିଛି ଖଲିସ୍ତାନୀ ସଦସ୍ୟ ରହିଥିଲେ ଏବଂ ସେଠାରେ ଭିନ୍ଦ୍ରନୱାଲେଙ୍କ ପୋଷ୍ଟର ମଧ୍ୟ ଲଗାଯାଇଥିଲା । ଏଥିସହିତ ଉତ୍ତର ପ୍ରଦେଶରେ କୃଷକଙ୍କୁ ହତ୍ୟା କରାଯିବା ଘଟଣାରେ ତେଲେଙ୍ଗାନାର ମନ୍ତ୍ରୀ ତଥା ଟିଆରଏସର କାର୍ଯ୍ୟକାରୀ ସଭାପତି କେ ଟି ରାମାରାଓ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହା ପଛରେ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ସେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Comments are closed.