ହୀରାକୁଦ ଜଳରାଶି ଉପରେ ହେବ ୪୦ ମେଗାୱାଟ କ୍ଷମତାର ଭାସମାନ ସୌର ଶକ୍ତି ପ୍ରକଳ୍ପ

ବ୍ୟୟ ଅଟକଳ ଦୁଇଶହ କୋଟି ଟଙ୍କା

ବୁର୍ଲା : ହୀରାକୁଦ ବନ୍ଧ ମଧ୍ୟରେ ୪୦ ମେଗାୱାଟ କ୍ଷମତା ସମ୍ପନ୍ନ ଏକ ଭାସମାନ ସୌର ଶକ୍ତି ପ୍ରକଳ୍ପ ପ୍ରତିଷ୍ଟା କରାଯିବ । ଭାରତ ସରକାରଙ୍କ ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ କରାଯିବ । ଏ ସମ୍ପର୍କରେ ହୀରାକୁଦ ବନ୍ଧର ମୁଖ୍ୟଯନ୍ତ୍ରୀ ତଥା ଉପର ମହାନଦୀ ବେସିନର ମୁଖ୍ୟ ପରିଚାଳକ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ଯେ, ଜଳଭଣ୍ଡାରର ଏକ ବର୍ଗ କିଲୋମିଟର ଅଂଚଳ ଉପରେ ସ୍ଥାପନ ହେବାକୁ ଥିବା ସୋଲାର ପ୍ୟାନେଲରୁ ୪୦ ମେଗାଓାଟ ସୌର ଶକ୍ତି ଉତ୍ପାଦନ କରାଯିବ। ଏନେଇ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଜଳଭଣ୍ଡାରର ଦଶ କିଲୋମିଟର ଅଂଚଳରେ ଏହି ସମୀକ୍ଷା କରାଯାଇଥିଲା । ଜଳଭଣ୍ଡାର ମଧ୍ୟରେ ଏହି ସୌର ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଦୁଇ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଜଳଭଣ୍ଡାର ମଧ୍ୟରେ କରାଯିବ, ଏଣୁ ଜମି ଅଧିଗ୍ରହଣର ଆବଶ୍ୟକତା ହେବ ନାହିିଁ । ଏହା ଦ୍ୱାରା ଜଳଭଣ୍ଡାର ମଧ୍ୟରେ ବ୍ୟବହାର ହେଉ ନ ଥିବା ଅଂଚଳ ଉପଯୋଗୀ ହୋଇପାରିବ । ଯାହା ଫଳରେ ଗ୍ରୀନ ଏନର୍ଜି ଉତ୍ପାଦିତ ହୋଇପାରିବ । ଏହି ଅଂଚଳରୁ ବାସ୍ପିକରଣ ଜରିଆରେ ହେଉଥିବା ଜଳର କ୍ଷୟକୁ ହ୍ରାସ କରିବ ବୋଲି ସେ କହିଛନ୍ତି । ୭୪୩ ବର୍ଗ କିଲୋମିଟର ଇଲାକାରେ ପରିବ୍ୟାପ୍ତ ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ । ୧୯୫୬ ମସିହାରେ ଲୋକାର୍ପିତ ହୀରାକୁଦ ବହୁମୁଖୀ ପ୍ରକଳ୍ପରରେ ଜଳ ବିଦ୍ୟୁତ ଉତ୍ପାଦନର ବ୍ୟବସ୍ଥା ରହିଛି। ଏହାର ବୁର୍ଲାଠାରେ ଥିବା ଶକ୍ତି କେନ୍ଦ୍ର-୧ରୁ ୨୭୫.୫ ଏବଂ ଚିପିଲିମା ଶକ୍ତି କେନ୍ଦ୍ର-୨ରୁ ୭୫ ମେଗାୱାଟ ଜଳ ବିଦ୍ୟୁତ ଉତ୍ପାଦନ କ୍ଷମତା ରହିଛି। ହେଲେ ଏହି ଦୁଇ ଶକ୍ତି କେନ୍ଦ୍ରରୁ ଯଥା କ୍ରମେ ୫୩.୮୩୩ ଓ ୪୮.୪୧୬ ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହେଉଛି।

Comments are closed.