ଆରଡିପୀଠ ବୈତରଣୀ ନଦୀ ପଠାରୁ ବେଆଇନ ମାଟି ଉତ୍ତୋଳନ

ଚାନ୍ଦବାଲି ତହସିଲ ପକ୍ଷରୁ ଅଚାନକ ଚଢାଉ, ଗୋଟିଏ ଜେସିବ ଓ ୨ଟି ଟ୍ରାକ୍ଟର ଜବତ

ପ୍ରଭାବଶାଳୀଙ୍କ ନଜରରେ ଏବେ ସରକାରୀ ଜମିର ମାଟି !

ଆରଡି :  ଭଦ୍ରକ ଜିଲାର ଐତିହ୍ୟ  ପୀଠ ଆରଡି ଧାମର ବିକାଶ ପାଇଁ ନାନା ଯୋଜନା ପାଇଁ ବ୍ଲୁ-ପ୍ରିଣ୍ଟି ପ୍ରସ୍ତୁତ କରାଯିବା ସହ ଜମି ଚିହ୍ନଟ କରାଯାଉଛି। ହେଲେ ପୀଠରେ ଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଲୋଲୁପ ଦୃଷ୍ଟି ଏବେ ସରକାରୀ ଓ ଗୋଚର ଜମି ଉପରେ। ଏପରିକି ଦିନ ଦ୍ବିପହରରେ ଜେସିବ ଓ ଟ୍ରାକ୍ଟର ଲଗାଇ ଶହ ଶହ ଟ୍ରକ ଓ ଟ୍ରାକ୍ଟର ମାଟି ତାଡି ନେଇ ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଛି। ଶୁକ୍ରବାର ପୀଠର ଆରାଧ୍ୟଦେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଠାରୁ କିଛି ଦୂର ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ପଠାରୁ ଗୋଟିଏ ଜେସିବ ଆଉ କିଛି ଟ୍ରାକ୍ଟର ଦ୍ବାରା ମାଟି ତଡା ଯାଇ ବିଭିନ୍ନ ସ୍ଥାନକୁ ଯାଉଥିବାର ଖବର ଚାନ୍ଦବାଲି ତହସିଲଦାର ଜାଣିବା ପରେ ୪ ଜଣିଆ ଟିମ ଓ ଆରଡି ପୁଲିସ ଘଟଣାସ୍ଥଳରେ ପହଁଚି ଗୋଟିଏ ଜେସିବ ଓ ୨ଟି ଟ୍ରାକ୍ଟର ଜବତ କରି ଆରଡି ଫାଣ୍ଡିକୁ ନେଇଯାଇଥିବା ଆରଡି ଆର.ଆଇ ଦେବାଶିଷ ରାୟ କହିଛନ୍ତି।

ସୂଚନା ଅନୁଯାୟୀ ଆରଡିପୀଠର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। ଏପରିକି ବୈତରଣୀ ନଦୀ ପଠାରେ ଥିବା ବିସ୍ତୀର୍ଣ୍ଣ ଜମିରେ ଇକୋ ଟୁରିଜିମ ପାର୍କ ସାଙ୍ଗକୁ ପର୍ଯ୍ୟଟନ ଆବାସ ଗୃହ ନିର୍ମାଣ ପାଇଁ ଚିହ୍ନଟ କରାଯାଇଛି। ଏଥିସହ ମଣିବାବାଙ୍କ ଦୈନିକ ସେବାପୂଜା ପାଇଁ ବିଲ୍ବବଣ ପ୍ରକଳ୍ପ ଆଦି ଯୋଜନା କରାଯିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏବେ ସେହି ଜମିରୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ମାଟି ବିକ୍ରି କରିବା ପାଇଁ ଲୋଲୁପ ଦୃଷ୍ଟି ପକାଇଥିବା ସ୍ଥାନୀୟ ସରବା ମଲିକ, ନାରାଣ ମହାଳିକ ପ୍ରମୁଖ ପ୍ରକାଶ କରିଛନ୍ତି। ଏପରିକି ସେମାନଙ୍କ କହିବା ଅନୁଯାୟୀ ଏହି ବୈତରଣୀ ନଦୀପଠାରେ ସରକାର ଯେଉଁ ଯୋଜନାର ଲକ୍ଷ୍ୟ ରଖିଛନ୍ତି ଯଦି ବାସ୍ତବ ରୂପରେଖ ନେବ ତାହାଲେ ବହୁ ଲୋକ ଉପକୃତ ହୋଇପାରିବେ। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଏପରି ବେଆଇନ ମାଟି ଉତ୍ତୋଳନ ସର୍ମ୍ପକରେ ଚାନ୍ଦବାଲି ତହସିଲିଦାର ଶୁଶାନ୍ତ ସୁତାରଙ୍କୁ ପଚାରିବାରୁ ତହସିଲି ଓ ଆରଡି ଆର.ଆଇଙ୍କ ପକ୍ଷରୁ ଚଢାଉ ଜାରି ରହିଥିବା କହିଥିଲେ।

Comments are closed.