ସୋହିନୀଙ୍କ ସାହାନାଇ ବାଜିବ ୯ରେ

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ସୋହିନୀ ମିଶ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଚଳିତ ମାସ ୯ ତାରିଖରେ କୋଭିଡ ମାର୍ଗଦର୍ଶିକା ଅନୁସାରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ବରର ହିମାଂଶୁ ଶେଖର ପତିଙ୍କୁ ସେ ବିବାହ କରୁଥିବାବେଳେ ପେସାରେ ସେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। କଟକରେ ଅବସ୍ଥାନ କରୁଥିବା ଓ ରେଭେନ୍ସାରୁ ଶିକ୍ଷାପ୍ରାପ୍ତ ସୋହିନୀ ୨୦୧୨ରେ ପ୍ରଥମେ ସୋନି ଟିଭିର ରିଅଲିଟି ଶୋ’ ‘ଇଣ୍ଡିଆନ ଆଇଡଲ ୬’ରେ ସଫଳତା ହାସଲ କରି ଚର୍ଚ୍ଚାକୁ ଆସିଥିଲେ। ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ସୋହିନୀ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ତାଲିମପ୍ରାପ୍ତ। ଓଡ଼ିଆ, ହିନ୍ଦୀ, ବଙ୍ଗଳା ଗୀତ ଗାଇ ଶ୍ରୋତାଙ୍କ ହୃଦୟ ଜିଣିଛନ୍ତି ସେ। ତାଙ୍କ ବାପା ଓ ମା’ ଉଭୟ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଳାକାର। ଏକାଧିକ ଓଡ଼ିଆ ଆଲବମ୍‌ ଓ ଚଳଚ୍ଚିତ୍ରରେ କଣ୍ଠଦାନ କରି ସୋହିନୀ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Comments are closed.