ସୋଢାମାଲ ଜମି ଦୁର୍ନିତି, ଇଡକୋ ଦ୍ୱାରା ଚଞ୍ଚକତା କରି ଟେକି ଦେଇଥିବା ୮ ଏକର ଜମିକୁ ନେଇ ତେଜିଲା ଆନ୍ଦୋଳନ

କୋଲାବିରା : ଝାରସୁଗୁଡା ଜିଲା କୋଲାବିରା ବ୍ଲକର ସୋଢାମାଲ ମୈାଜାରେ ୮ ଏକର ମୂଲ୍ୟବାନ ଜମି ଇଡକୋ ଅଧିଗ୍ରହଣ କରିବା ପରେ ସେଥିରୁ ୮ ଏକର ଜମିକୁ ମହାନଦୀ ଓେଷ୍ଟ ମେନେଜମେଂଟ ସର୍ଭିସେସ ନାମକ ଏକ ଶିଳ୍ପସଂସ୍ଥାକୁ ଚଞ୍ଚକତା କରି ଦିଆଯାଇଥିବା ନେଇ ସୋଢାମାଲା ଅଂଚଳରେ ତୀବ୍ର ପ୍ରତିକ୍ରିଆ ପ୍ରକାଶ ପଇଛି। ବିନା ଜନସଭାରେ ଅଞ୍ଚଳର ବହୁମୁଲ୍ୟ ଜମିକୁ ଉଡକୋ କିପରି ଭାବରେ ଟେକିଦେଲା ଲିଜ ଆକାରରେ ଏହାକୁ ନେଇ ପୂର୍ବତନ ସରପଞ୍ଚ ବଳରାମ ପାଣ୍ଡେ ଏବଂ ଗ୍ରାମବାସୀଙ୍କ ଆହ୍ବାନକ୍ରମେ ଆଜି ସୋଢାମାଲ ବଜାର ପ୍ରାଙ୍ଗଣରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ଗ୍ରାମବାସୀଙ୍କ ସମେତ ସୋଢାମାଲ ବନ ସୁରକ୍ଷା ସମିତି,ରେଙ୍ଗାଲପାଲି ବନ ସୁରକ୍ଷା ସମିତି,ଫରେଷ୍ଟ ରାଇଟ ଏକ୍ଟ କମିଟି ଆମଝରନ ବନସୁରକ୍ଷା କମିଟି,ଭିମଯୋର ବନ ସୁରକ୍ଷା କମିଟି ତଥା ସମ୍ମିଳିତ ଆଦିବାସୀ ସମାଜର କର୍ମକର୍ତ୍ତା ଯୋଗଦେଇ ସୋଢାମାଲ ମୈାଜାରେ ଚଞ୍ଚକତା କରି ନେଇଥିବା ୮ ଏକର ବହୁମୁଲ୍ୟ ଜମିକୁ ନେଇ ବିଷୋଦ୍‍ଗାର କରିଥିଲେ। ସୋଢାମାଲ ଅଂଚଳ ମାଡା ଅଂଚଳ (ଆଦିବାସୀ) ବହୁଳଅଞ୍ଚଳ ହୋଇଥିବା ବେଳେ ଏଠିକାର ସ୍ଥାନୀୟ ଆଦିବାସୀ ଜନସାଧାରଣ ଦୈନିକ ଜୀବନ ଯାପନ ଏବଂ ପେଟପାଟଣା ପାଇଁ ବନଯାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି ଯଦି ଜଙ୍ଗଲ ପଦା କରାଯାଇ ଶିଳ୍ପାନୁଷ୍ଠାନ କରାଯାଏ ତେବେ ସେମାନଙ୍କ ପେଟପାଟଣାରେ ସିଧା ସଳଖ ପ୍ରଭାବ ପଡିବ। ଶିଳ୍ପାନୁଷ୍ଠାନହେବାପରେ ପ୍ରଦ୍ୟୁଷଣ ବଢିବା ସହ ଜଳ ସ୍ତର କମିବା ଫଳରେ ଜନସାଧାରଣଙ୍କୁ ପାନୀୟଜଳ ପାଇବା କଷ୍ଟକର ହେବ। ଚାଷୀ ଏବଂ ଆଦିବାସୀଙ୍କ ହକ୍‍ ଉଚ୍ଛେଦ ହେବାର କ୍ଷଥେଷ୍ଟ ସମ୍ଭବନା ମଧ୍ୟ ରହିଛି।

ସୋଢାମାଲ ଆଶ୍ରମ ବିଦ୍ୟାଳୟ ଠାରୁ ଅନତି ଦୂରରେ ଏହି ଓେଷ୍ଟ  ମେନେଜମେଂଟ ପ୍ଲାଂଟ ନିର୍ମାଣ ହେବା ଫଳରେ ବର୍ତମାନ ପରିସ୍ଥିତିରେ ଛାତ୍ରାବାସରେ ରହୁଥିବା ଶହେରୁ ଊର୍ଦ୍ଧ୍ବ ଆଦିବାସୀ ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ସିଧା ସଲଖ ପ୍ରଭାବ ପଡିବ ଯାହାକି କୋମଳମତି ପିଲାଙ୍କ ପାଇଁ ବିପଦ ଡାକି ଆଣିବ। ପ୍ରସ୍ତାବିତ ସ୍ଥାନ ନିକଟକୁଲାଗି ରହିଛି ନୁଆମୁଣ୍ଡା କ୍ଷୁଦ୍ରଜଳ ସେଚନ ପ୍ରକଳ୍ପ ଏହି ପ୍ରକଳ୍ପ ଅନ୍ତର୍ଗତ କେନାଲ ମାଧ୍ୟମରେ ସୋଢାମାଲ ଅଂଚଳକୁର ଚାଷ ଜମିକୁ ଚାଷକାର୍ଯ୍ୟ ପାଇଁ ଜଳ ଯୋଗାଣ ହୋଇଥାଏ। ଯାହାକି ପ୍ରଭାବିତ ହେବା ସହ ଉକ୍ତ ପ୍ରକଳ୍ପରେ ଗଚ୍ଛିତ ରହୁଥିବା ପାଣି ଉପରେ ନିର୍ଭର କରିଥାନ୍ତି ଲାଗିରହିଥିବା ସଂରକ୍ଷିତ ଜଙ୍ଗଲର ବନ୍ୟପ୍ରାଣୀ। ବର୍ଷ ସାରା ଉକ୍ତ ସଂରକ୍ଷିତ ଜଙ୍ଗଳରେ ରହୁଥିବା ବିଭିନ୍ନ ପ୍ରକାରର ବନ୍ୟପ୍ରାଣି ପାଣି ପାଇଁ ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଣି ଉପରେ ନର୍ଭର କରିଥାନ୍ତି। ଏଠାରେ ଶିଳ୍ପ ପ୍ରତିଷ୍ଠାନ ହେବା ଦ୍ୱାରା ଜୀବଜନ୍ତୁ ମଧ୍ୟ ଧିରେ ଧିରେ ଲୋପ ପାଇଯିବାର ଆଶଂକା ରହୁଛି। ସର୍ବୋପରି ଇଡକୋ ଦ୍ୱାରା ପ୍ରଦାନ କରାଯାଇଥିବା ଜମି ଦେଇ ହାତୀଙ୍କ ଯାତାୟାତର ମୁଖ୍ୟ ରାସ୍ତା ଯଦି ଏଠିକାର ଜଙ୍ଗଲକୁ କାଟିଓେଷ୍ଟ  ମେନେଜମେଂଟ ପାଇଁ କାରଖାନା ନିର୍ମାଣ କରାଯାଏ ତେପେ ହାତୀଙ୍କ ନିରାପଦ ଯାତାୟାତରେ ମଧ୍ୟ ବାଧା ଉପୁଜିବ ତେଣୁ ଶିଳ୍ପ ପ୍ରତିଷ୍ଠାନ ପାଇଁ ପ୍ରଦାନ କରାଯାଇଥିବା ଉକ୍ତ ଜମିକୁ ବାତିଲ କରାଯିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ,ଇଡକୋ.ପରିବେଶ ବିଭାଗ,ଝାରସୁଗୁଡା ଜିଲ୍ଲାପାଳଙ୍କୁ ପିଟିସନ ମାଧ୍ୟମରେ ଅବଗତ କରାଯିବ ବୋଲି ଏହି ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା।

ଯଦି ଏହାପରେ ମଧ୍ୟ କୈାଣସି ବାଟ ନ ଫିଟେ ତେବେ ଜନ ଆନ୍ଦୋଳନ କରାଯିବ ବୋଲି ଉପସ୍ଥିତ ବକ୍ତାଗଣ ରୋଷ ପ୍ରକଟ କରିଥିଲେ। ପୂର୍ବତନ ସରପଂଚ ବଳରାମ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅଂଚଳର ବରିଷ୍ଠ ସମାଜସେବୀ ପ୍ରେମ ସାଗର ଧୁରୁଆ, ଜିଲ୍ଲା ସମ୍ମିଲିତ ଆଦିବାସୀ ସମାଜର ମୂଖ୍ୟ ଉପଦେଷ୍ଟା ମହେନ୍ଦ୍ର ନାଏକ, ମହାସଚିବ ପ୍ରଭାକର ଓରାମ,ଉପ-ସଭାପତି କୃଷ୍ଣଚନ୍ଦ୍ର ଭୋଇ,ଭୀମଯୋର ବନସୁରକ୍ଷା ସମିତିର ସଭାପତି ପ୍ରମୋଦ ପରୁଆ,ରେଙ୍ଗାଲପାଲି ବନସୁରକ୍ଷା ସମିତିର ସଭପତି ଅଶ୍ୱନୀ ଧୁରୁଆ,ଆମଝରନ ବନ ସୁରକ୍ଷା ସମିତିର ସଭାପତି ବିସେଶ୍ୱର ମାଝୀ .ରାମ ପ୍ରସାଦ ଧୁରୁଆ,ପିଛାଲୁ ବାଗ,ମନୋଜ ଧୁରୁଆ,ସୁଧାଂସୁ ଧୁରୁଆ,ହିରାଲାଲ ମାଝି,ଲାଲାମୋହନ ରୋହିଦାସ,ମୋହନଲାଲ ନାଏକ,ଫକିର ନାଏକ,ନଲିନ ନାଏକ,ଲିଙ୍ଗରାଜ ପଧାନ,ରାଜେଶ ନେଟୀ,ଜିତେନ୍ଦ୍ରିୟ ଧୁରୁଆ,ତ୍ରିଲୋଚନ ଡନସନା,ଦାମୋଦର ପରେଖ,ନିସପୁରି କିସାନ ସମେତ ଅଂଚଳର ଶତାଧିକ ଜନସାଧାରଣ ଏହି ବୈଠକରେ ଯୋଗଦେଇ ମତପ୍ରକାଶ କରିଥିଲେ।

ପ୍ରକାଶ ଯୋଗ୍ୟ ଯେ କୋଲାବିରା ତହସିଲ ଅନ୍ତର୍ଗତ ସୋଢାମାଲ ମୈାଜାରେ ୮ ଏକର ସରକାରୀ ଜମିକୁ ମହାନଦୀ ଓେଷ୍ଟ ମେନେଜମେଂଟ ସର୍ଭିସେସ ନାମକ ଏକ ସଂସ୍ଥାକୁ ପ୍ରଦାନ କରାଯିବା ପରେ ଏବେ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ଜମିକୁ ଆଗରୁ ମଧ୍ୟ ବିଶାଲ ଦାସ ନାମକ ବ୍ୟକ୍ତି ଲିଜ ଆବେଦନ କରିଥିଲେ ଏବଂ ଅଂଚଳବାସୀଙ୍କ ପ୍ରତିବାଦ ପରେ ଜମିର ଆବଶ୍ୟକତା ନଥିବା ଦର୍ଶେଇ ଲିଜ ଆବେଦନକୁ ବାତିଲ କରିବା ପାଇଁ କୋଲାବିରା ତହସିଲରେ ପୁନଃ ଆବେଦନ କରିଥିଲେ ଏବଂ ତାଙ୍କର ଆବେଦନ କ୍ରମେ ଲିଜ ଆବେଦନକୁ କୋଲାବିରା ତହସିଲଦାର ଗୋଲକ ବିହାରୀ ମଙ୍ଗରାଜ ବାତିଲ ମଧ୍ୟ କରିଥିଲେ। ମାତ୍ର ସେ ସମୟରେ ଦୀଲିପ କୁମାର ସିଂଦେଓ ନାମକ ଜଣେ ବ୍ୟକ୍ତି ଉକ୍ତ ସ୍ଥାନରେ ଡାଏରି ଫାର୍ମ କରିବାକୁ ଲିଜ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଦିଆଯାଇନଥିଲା।

ତେବେ ପ୍ରଥମ ବ୍ୟକ୍ତିଙ୍କ ଲିଜ ଆବେଦନ ଖାରଜ ହେବାପରେ ଦ୍ୱିତୀୟ ଆବେଦନକାରୀଙ୍କୁ ଲିଜ ପ୍ରଦାନର ବ୍ୟବସ୍ଥାର ନିୟମ ରହିଥିବା ବେଳେ ତାହା କରାନଯାଇ ଇଡକୋ କୁ ଜମି ହସ୍ତାନ୍ତର କରାଯାଇଥିଲା ଏବଂ ଇଡକୋ ବର୍ତମାନ ମହାନଦୀ େଓଷ୍ଟ ମେନେଜମେଂଟ ସାର୍ଭିସେସ୍‍ ସଂସ୍ଥାକୁ ୮ ଏକର ଜମି ଟେକି ଦେଇଛି। ଏହାକୁ ନେଇ ଜନସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ରାଜସ୍ୱ ବିଭାଗ ପକ୍ଷରୁ କରାଯାଉଥିବା ପାତର ଅନ୍ତର ନିତିକୁ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରଦୁଷଣ ଏବଂ ପାନୀୟ ଜଳର ସମସ୍ୟାକୁ ନେଇ ଏହି ଜମିକୁ କୈାଣସି କମ୍ପାନି କି ଶିଳ୍ପାନୁଷ୍ଠାନ ଦିଆନଯାଉ ବୋଲି ପୂର୍ବରୁ ଜିଲ୍ଲାପାଳଙ୍କୁ ଅଂଚଳବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା ଏବଂ ଲୋକଙ୍କ ଦାବି ଓ ସ୍ୱାର୍ଥ ଦୃଷ୍ଟିରୁ ସେ ଅଂଚଳରେ ଲିଜ ଦେବାକୁ ମନାକରାଯାଇଥିଲା। ପୁନଶ୍ଚ ବିଶାଲ ଦାସଙ୍କ ଦ୍ୱାରା ୨୦୧୯ରେ ଆବେଦନ କରାଯିବା ପରେ ସ୍ଥାନୀୟ ଲୋକଙ୍କ ବିରୋଧ ଏବଂ ଜନ ଆକ୍ରୋସ ପରେ ଲିଜ ବାତିଲ ପାଇଁ ଆବେଦନ ହୋଇଥିଲା। ଏବେ ଇଡକୋ ମଧ୍ୟ ଉକ୍ତ ଜମିକୁ ନେବା ପରେ ସ୍ଥାନୀୟ ଲୋକଙ୍କ ମତାମତ ବିନା ୮ ଏକଡ ସରକାରୀ ଜମିକୁ ମହାନଦୀ େଓଷ୍ଟ ମେନେଜମେଂଟ ସାର୍ଭିସେସ୍‍ ନାମକ ଶିଳ୍ପସଂସ୍ଥାକୁ ଦେବା ନେଇ ଲୋକଙ୍କ ମନରେ ଆକ୍ରୋସଭାବ ଦେଖିବାକୁ ମିଲିଛି। ଏହି ଜମି ପ୍ରଦାନ ପାଇଁ ଉକ୍ତ ସଂସ୍ଥା ପକ୍ଷରି ୧କୋଟି ୨୦ଲକ୍ଷ ଟଙ୍କା ଜମାକରିବାକୁ ନିର୍ଦ୍ଦେଶ ଦିଆସରିଛି।

Comments are closed.