ଷୋଡ଼ଶୋପଚାର ପୂଜା ସହିତ ସୁନାବେଶରେ ଝଲସିଲେ ମହାମାୟା ଭଟ୍ଟାରିକା

ମା ଭଟ୍ଟାରିକାଙ୍କ ଶାରଦୀୟ ଆବାହନୀ,ବର୍ଷାଭିଜା ପଟ୍ଟୁଆରରେ ଦୁଲୁକିଲା ଶଶାଙ୍ଗ ଗାଁ ଦାଣ୍ଡ

ବଡ଼ମ୍ବା  – ମା ଭଟ୍ଟାରିକାଙ୍କ ଶାରଦୀୟ ଆଗମନୀ ଏବଂ ଷୋଳଦିନ ବ୍ୟାପି ପାର୍ବଣ ପୂଜା ପୀଠରେ ଆଜିଠାରୁ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଘଣ୍ଟନାଦ,ଶଂଖ ହୁଳହୁଳି,ସଂକୀର୍ତ୍ତନ ସହିତ ଆତସବାଜି ଫୁଟାଯାଇ ଶଶାଙ୍ଗ ଗ୍ରାମସ୍ଥ ଦେବୀଙ୍କ ମାଉସୀ ମା ଘରୁ ସଂକଳ୍ପ ଘଟ ଏବଂ ଖର୍ପର ଆୟୁଧକୁ ଅପରାହ୍ନରେ ଏକ ଆକର୍ଷଣୀୟ ପଟ୍ଟୁଆରେ ମନ୍ଦିର ବିଜେ କରାଯାଇଥିଲା । ପରେପରେ ମହାନଦୀର ପବିତ୍ରଜଳକୁ ଗନ୍ଧଚନ୍ଦନ,ଚୁଆ,କର୍ପୁର,ଅଗରୁ ଆଦି ସୁବାସିତ ଦ୍ରବ୍ୟରେ ସୁଗନ୍ଧିତ କରାଯାଇ ପୀଠକୁ ମନ୍ତ୍ରଶୋଧନ କରାଯିବାସହ ଦେବୀଙ୍କ ମାଜଣା ନୀତି ସମ୍ପନ କରାଯାଇଥିଲା । ଏହାପରେ ପର୍ବପୂଜକଙ୍କ ଦ୍ୱାରା ଦେବୀ ଭଟ୍ଟାରିକାଙ୍କଠାରେ ସ୍ୱର୍ଣ୍ଣ ଅଳଙ୍କାର ଲଗାଯାଇ ତ୍ରିପୁରା ସୁନ୍ଦରୀ ବେଶରେ ସୁସଜ୍ଜିତ କରାଯାଇଥିଲା ।

ପରେପରେ ମଙ୍ଗଳଆଳତି ସହିତ ଦେବୀଙ୍କ ବାଳଭୋଗ ନୀତି ସମ୍ପନ୍ନ ହେବାରେ ସୁନାବେଶର ପ୍ରଥମ ସଂଧ୍ୟା ଆଳତିକୁ ଅପେକ୍ଷିତ ଶହଶହ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ଷୋଡ଼ଶୋପଚାର ନୀତିରେ ଦେବୀଙ୍କ ଶାରଦୀୟ ଆବାହନି କରାଯାଇଛି । ଏହି ଅବସରରେ ସ୍ୱତନ୍ତ୍ର ବିଧିରେ ଦେବୀଙ୍କ ଦୈନନ୍ଦିନ ପୂଜାର୍ଚ୍ଚନା ତିନିବେଳା(ସକାଳ,ମଧ୍ୟାହ୍ନ,ଅପରାହ୍ନ) କରାଯିବା ସହିତ ସଂଧ୍ୟାରେ ସଂଧ୍ୟା ଆଳତି ପରେ ପ୍ରତ୍ୟହ ଚଣ୍ଡିପୁରାଣ ପାଠ କରାଯିବ । ବିଳମ୍ବିତ ରାତିରେ ଦେବିଙ୍କଠାରେ ଶାନ୍ତିଉଦକ ପଣା ଲାଗିବାରେ ମନ୍ଦିର ପହୁଡ଼ ପଡ଼ିବ ।

ଏହିଭଳି ୧୬ଦିନ ବ୍ୟାପି ପାର୍ବଣପୂଜା ପରମ୍ପରାନୁଯାଇ ପୀଠରେ ଅନୁଷ୍ଠିତ ହେବ ବୋଲି ପର୍ବପୂଜକ ଶିରିଶ ରଣା ଏବଂ ଅନ୍ୟତମ ବରିଷ୍ଠ ସେବାୟତ ସାମଲ ରଣାଙ୍କଠାରୁ ପ୍ରକାଶ । ସେବାସୀ ପରିବାର ଭକ୍ତି ଓ ଶ୍ରଦ୍ଧା ସହକାରେ ମା’ଙ୍କର ଏହି ଆଶ୍ୱିନ ପର୍ବ ପାଳୁଥିବା ବେଳେ ଆଗାମୀ ୧ ତାରିଖରେ ପୀଠରେ ମହାସପ୍ତମୀ,୨ତାରିଖରେ ମହାଷ୍ଟମୀ ଏବଂ ମା ଭଟ୍ଟାରିକାଙ୍କ ବାର୍ଷିକୋତ୍ସବ,୩ ତାରିଖରେ ମହାନବମୀ ସହିତ ସକାଳବେଳା ସ୍ୱତନ୍ତ୍ର ସୁନାବେଶ ଶେଷ ହେବ ଏବଂ ୪ତାରିଖରେ ପୀଠରେ ଦଶହରା ପାଳନ ହେବ ବୋଲି ଜଣାଯାଇଛି । ପାର୍ବଣ ଅବସରରେ ମା ଭଟ୍ଟାରିକାଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରିବାକୁ ରାଜ୍ୟର କୋଣ ଅନୁକୋଣରୁ ଶହଶହ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତରଫରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ସୂଚନାଦେଇଛନ୍ତି ଦେବୋତ୍ତର ଅଧିକାରୀ ତଥା ତହସିଲଦାର ତପନକୁମାର ପରିଡ଼ା ।

 

Comments are closed.