ଆଉ ନାହାନ୍ତି ବିଶିଷ୍ଟ ସମାଜବାଦୀ ଚାଷୀନେତା ଗଙ୍ଗା ବେହେରା

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଦେବାହାଲ ଗ୍ରାମର ବରିଷ୍ଠ ତଥା ଜଣେ ଟାଣୁଆ ଚାଷୀନେତା ଗଙ୍ଗାଧର ବେହେରା(୬୨)ଙ୍କ ନିଜ ବାସଭବନରେ ଦେହାନ୍ତ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାର ଚାଷୀ ମାନଙ୍କ ଠାରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ବେହେରା ଜଣେ ସଫଳ ଚାଷୀ ହେବା ସହିତ ଜଣେ ଆଗଧାଡ଼ିର ଟାଣୁଆ ଚାଷୀନେତା ଥିଲେ । ବିଶିଷ୍ଟ ସମାଜବାଦୀ ଚିନ୍ତା ନାୟକ କିଶନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଚାଷୀ ଓ ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ହେଉଥିବା ଆନ୍ଦୋଳନ ମାନଙ୍କରେ ଯୋଗ ଦେଉଥିଲେ । ବରଗଡ଼ ଠାରେ ସମତା ଭବନକୁ କେନ୍ଦ୍ର କରି ଗଢ଼ି ଉଠିଥିବା ଜୟ କିଷାନ ଆନ୍ଦୋଳନର ସେ ଜଣେ ସକ୍ରିୟ ନେତା ଥିଲେ । ବରଗଡ଼, ସମ୍ବଲପୁର, ଭୁବନେଶ୍ୱର, ନିୟମଗିରି ପ୍ରଭୃତି ସ୍ଥାନରେ ବିଗତ ଦିନମାନଙ୍କରେ ହୋଇଥିବା ବଡ଼ ବଡ଼ ଜନ ଆନ୍ଦୋଳନ ମାନଙ୍କରେ ସ୍ବର୍ଗତ ବେହେରା ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସେ ସବୁବେଳେ ନିଜ ପରିବାର ଓ ନିଜ ଗ୍ରାମକୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ପ୍ରାଧାନ୍ୟ ଦେଉଥିଲେ । ତାଙ୍କ ମୃତ୍ୟୁ ପରେ ବିଶିଷ୍ଟ ଚାଷୀନେତା ଲିଙ୍ଗରାଜ, ହର ବଣିଆ, କିଶୋର ସାହୁ, ସୁରେନ୍ଦ୍ର ମେହେର, ସୀତାରାମ ମେହେର ତାଙ୍କ ବାସଭବନକୁ ଯାଇ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷକୃତ୍ୟରେ ପୁଅ କେଶବ ବେହେରା ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ସଭାପତି ହାରଧନ ପ୍ରଧାନ,ସମ୍ପାଦକ ଲୋକେଶ୍ୱର୍ ପ୍ରଧାନଙ୍କ ସମେତ ସମସ୍ତ ଚାଷୀନେତା ଗଭୀର ଶୋକ ପ୍ରକାଶ କରିଛନ୍ତି।

 

Comments are closed.