‘ସମାଜ’ ପ୍ରଭାବ… ସରପଞ୍ଚଙ୍କ ମିଛ ଧରା ପଡ଼ିଲା : ବିଧବାଙ୍କ ଭତ୍ତା ମଞ୍ଜୁରୀ ପାଇଁ ଚିଠି କଲା ଜିଲାପାଳ ଅଫିସ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ସାହାଣିଡିହ ପଞ୍ଚାୟତରେ ଗରିବ ଅସହାୟ, ବିଧବା, ଭିନ୍ନକ୍ଷମ, ବୟସର ଶେଷ ସୋପାନରେ ପାଦ ରଖିଥିବା ଲୋକମାନଙ୍କର ସାମାଜିକ ସୁରକ୍ଷା ନିମିତ୍ତ ସରକାର ଯୋଗାଇ ଦେଉଥିବା ବିଭିନ୍ନ ଭତ୍ତା ମିଳୁନାହିଁ। ଏହି ଯୋଜନା ସରକାରୀ କର୍ମଚାରୀମାନଙ୍କ ଅବହେଳା ଓ ସରପଞ୍ଚଙ୍କ ସ୍ୱେଚ୍ଛାଚାରିତା କାରଣରୁ ବାଟ ହୁଡିଛି। ଯୋଗ୍ୟ ହିତାଧିକାରୀମାନେ ଏହି ଭତ୍ତାରୁ ବଞ୍ଚିତ ରହିଥିବା ଅଭିଯୋଗକୁ ଭିତ୍ତି କରି “ସମାଜ”ରେ “ଭତ୍ତା ଅଟକାଇଛି କରୋନା”ଶିର୍ଷକ ଖବର ପ୍ରକାଶ ପାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ ନିର୍ଦ୍ଦେଶ ଆସିଥିଲା। ସାମାଜିକ ସୁରକ୍ଷା ଅଧିକାରୀ ଏହି ଅଭିଯୋଗର ତଦନ୍ତ କରି ଜିଲାପାଳଙ୍କୁ ଦେଇଥିବା ରିପୋର୍ଟରେ ସତ ପଦାକୁ ଆସିଛି।

ଏହି ବ୍ଲକ ଅନ୍ତର୍ଗତ ସାହାଣିଡିହ ପଞ୍ଚାୟତ ଚାରଗୋଠ ଗାଁର ମାମି ମଳିକ(୨୮)ଙ୍କର ସ୍ୱାମି ୰ ସୁରେଶ ମଳିକଙ୍କର ଗତ ଦେଢ ବର୍ଷ ପୂର୍ବରୁ କୌଣସି ଅଜଣା ରୋଗରେ ଦେହାନ୍ତ ହେବା ପରେ ଏବେ ଏହି ମହିଳା ଜଣକ ଦୁଇ ପିଲାକୁ ଧରି ବାର ଘର ବୁଲି ମାଗିଯାଚି ପେଟ ପୋଷୁଛନ୍ତି। ଅନେକ ହାରିଗୁହାରୀ କଲା ପରେ ମଧ୍ୟ ତାଙ୍କୁ ବିଧବା ଭତ୍ତା ମିଳୁନଥିବା ଅଭିଯୋଗ କରି ନିରାଶ ହେବା ପରେ “ସମାଜ”କୁ ନିଜର ଦୁଃଖ ଜଣାଇଥିଲେ। ଗତ ତା୧।୧୦ରେ ସମାଜରେ ଏ ନେଇ ଖବର ପ୍ରକାଶ ପାଇଥିଲା। ଯାହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସରପଞ୍ଚ ତାଙ୍କୁ ବାରମ୍ବାର କରୋନା ପାଇଁ ତୁମର ଭତ୍ତା ହୋଇପାରୁ ନଥିବା କହିଚାଲିଥିବା ବେଳେ ତଦନ୍ତ କାରୀ ଅଧିକାରୀ ତାଙ୍କର ଅବସ୍ଥା ଦେଖି ତା ୮।୧୦।୨୦୨୦ ରିଖରେ ପତ୍ର ସଂଖ୍ୟା- ୩୫୯୯ରେ ଭତ୍ତା ମଞ୍ଜୁରୀ ନିମନ୍ତେ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ପତ୍ର ପ୍ରେରଣ କରିଥିବା ତଦନ୍ତ ରିପୋର୍ଟରେ ଉଲେଖ କରିଛନ୍ତି। ପତ୍ର ସଂଖ୍ୟ ୩୬୧୮ରେ ଗତ ୮ ତାରିଖ ଦିନ ତଦନ୍ତକାରୀ ଅଧିକାରୀ ଏହି ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଜିଲାପାଳ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ତେବେ ଖୁବ ଶୀଘ୍ର ମାମି ମଳିକ ବିଧବା ଭତ୍ତା ପାଇ ଦୁଃଖେ କଷ୍ଟେ ଦୁଇ ପିଲାକୁ ଧରି ଚଳିଯିବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତଦନ୍ତ ହୋଇଥିବାରୁ ଓ ଖୁବ ଶୀଘ୍ର ତାଙ୍କୁ ଭତ୍ତା ମିଳିଯିବା ଜାଣି ମାମି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ‘ସମାଜ’କୁ ନିଜର କୃତଜ୍ଞତା ଜଣାଇଛନ୍ତି।

Comments are closed.