ପ୍ରକୃତ ଶିକ୍ଷା କ’ଣ ?

ନୂଆଦିଲ୍ଲୀ : ଗତ କିଛିଦିନ ହେଲା ବିଭିନ୍ନ ସୋସିଆଲ ସାଇଟ୍‌ରେ ଏକ ଫଟୋ ବାରମ୍ବାର ଶେୟାର କରାଯାଉଛି। ଦିଲ୍ଲୀର ଏଇ ଫଟୋଟି ଏବେ ବିଶ୍ବସ୍ତରରେ ଚର୍ଚ୍ଚିତ ହେଉଛି। ଫଟୋରେ ଏକ ସ୍କୁଲ ଝିଅ କିଭଳି ଭାବେ ବୟସ୍କ ଲୋକଙ୍କୁ ନିଜ ବୋତଲରୁ ପାଣି ସେମାନଙ୍କ ବୋତଲରେ ଭରିଦେଉଛି, ତାହା ହିଁ ମୁଖ୍ୟ ଆଲୋଚ୍ୟର ବିଷୟ। ଘଟଣାଟି କିଛି ଏଇପରି। ଦିଲ୍ଲୀର ଏକ ନାମୀ ସ୍କୁଲରେ ପାଠପଢ଼ୁଥିବା ଏଇ ଛାତ୍ରୀଜଣକ ହେଲେ ସେଠାକାର ନାମୀ ଶିଳ୍ପପତିଙ୍କ ଏକମାତ୍ର ଗେହ୍ଲୀ ଝିଅ। ସବୁଦିନ ପରି ସେଦିନ ମଧ୍ୟ ସେ କାର୍‌ରେ ବସି ସ୍କୁଲ ଯାଉଥାଏ। ରାସ୍ତା ଭିଡ଼ ଥିବାରୁ ଡ୍ରାଇଭର୍‌ ଅନ୍ୟ ଏକ ଗଳିରେ କାର୍ ଭର୍ତ୍ତି କଲା। ସେଠାରେ ମଧ୍ୟ ଭିଡ଼, ଏ ଭିତରେ କାର୍‌ରେ ବସି ଚାରିପାଖର ଦୃଶ୍ୟ ଦେଖୁଥାଏ ଝିଅଟି। ହଠାତ୍ ତା’ର ଦୃଷ୍ଟି ପଡ଼ିଲା ରାସ୍ତାକଡ଼ରେ ବସିଥିବା ଜଣେ ବୟସ୍କ ଦମ୍ପତିଙ୍କ ଉପରେ। ବୃଦ୍ଧଜଣକ ବୋତଲରେ ପାଣି ନଥିବାରୁ ଏପାଖସେପାଖ ଚାହୁଁଥାନ୍ତି, ହେଲେ ପାଖରେ ନଳକୂପ କେଉଁଠି ବୋଧହୁଏ ଜାଣିପାରୁନଥାନ୍ତି। କାର୍‌ରେ ବସିଥିବା ଝିଅଟି କାଚ ତଳକୁ କରି ପଚାରିଲା, ସାର୍, ପାଣି ଦରକାର କି ? ବୃଦ୍ଧଜଣକ ହଁ କହି ମୁଣ୍ଡ ଟୁଙ୍ଗାରିଥିଲେ। ଝିଅଟି ତୁରନ୍ତ କାର୍‌ରୁ ଓହ୍ଲାଇ ନିଜ ବୋତଲର ପାଣି ସେମାନଙ୍କ ବୋତଲରେ ଭର୍ତ୍ତି କଲା ଓ ପଚାରିଲା ଆପଣଙ୍କୁ କେଉଁଠି ଛାଡ଼ିଦେବେ କି? ମୋ କାର୍‌ରେ ଆପଣମାନେ ଯାଇପାରିବେ। ବୃଦ୍ଧ ଦମ୍ପତି କୁନି ଝିଅର ଏଇ ବ୍ୟବହାରରେ ଖୁବ୍ ଖୁସି ହେବା ସହ ଆଲିଙ୍ଗନ କରି ତାକୁ କାର୍‌ରେ ବସାଇ ବିଦାୟ ଦେଇଥିଲେ। ଏଇ ଘଟଣାକୁ ସ୍ଥାନୀୟ ଲୋକ ମୋବାଇଲ୍‌ରେ ଫଟୋ ଉଠାଇ ସୋସିଆଲ୍ ସାଇଟ୍‌ରେ ଶେୟାର କରିଥିଲେ। ସଂଖ୍ୟାଧିକ ଲୋକ ଉଲ୍ଲେଖ କରିଛନ୍ତି, ‘ଏହା ହିଁ ପ୍ରକୃତରେ ଶିକ୍ଷା’। କେବଳ ନାମୀ ସ୍କୁଲରେ ପାଠ ପଢ଼ି କିମ୍ବା ଉଚ୍ଚଶିକ୍ଷା ଗ୍ରହଣ କରି କେହି ସଫଳ ହୋଇନଥାନ୍ତି। ମାନବିକତାର ମୂଲ୍ୟ କ’ଣ, ତାହା ଏଇ କୁନି ଝିଅର ବ୍ୟବହାରରୁ ପ୍ରମାଣିତ ହୋଇପାରିଛି।

Comments are closed.