ସାତକୋଶିଆରେ କମାଲ ଦେଖାଉଛି ସ୍ନିପର ଡଗ୍‌ ‘ଇମଲି’

ବନ୍ତଳା: ସାତକୋଶିଆ ଅଭୟାରଣ୍ୟରେ ଏବେ ଦେଖିବାକୁ ମିଳିଛି ସ୍ନିପର ଡଗ ‘ଇମଲି’ର କମାଲ। ଇଏ ସେହି ସ୍ନିପର ଡଗ୍‌ ଯିଏ ସାତକୋଶିଆରେ ବାଘୁଣୀ ସୁନ୍ଦରୀର ସୁରକ୍ଷା ସହ ଗତିବିଧି ଲକ୍ଷ୍ୟ କରିବାରେ ଏକଦା ସହାୟକ ସାଜିଥିଲା। ବାଘୁଣୀ ଏନକ୍ଲୋଜର ମଧ୍ୟରେ ରହିବା ଦିନରୁ ଇମିଲିକୁ ଏବେ ରାଇଗୁଡାର କୋର ଜଙ୍ଗଲର ସୁରକ୍ଷା ଦାୟିତ୍ୱରେ ବିଭାଗୀୟ କର୍ତ୍ତୃପକ୍ଷ ଲଗାଇଛନ୍ତିି।
ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ରାଇଗୁଡା ରେଞ୍ଜ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସାତକୋଶିଆର କୋର ଅଞ୍ଚଳ ଭାବେ ବନବିଭାଗ ଏହାକୁ ଘୋଷଣା କରିଛି। ଏହି ଜଙ୍ଗଲ ମଧ୍ୟରେ ଏବେ ରହୁଛି ବାନ୍ଧବଗଡ଼ ରାଣୀ ବାଘୁଣୀ ସୁନ୍ଦରୀ। ସେହିପରି କୁମକୀ ହାତୀ ମହେନ୍ଦ୍ର ଓ ରାଜକୁମାର ମଧ୍ୟ ଏହି ଜଙ୍ଗଲ ମଧ୍ୟରେ ରହୁଛନ୍ତି। ବାଘୁଣୀ ସୁନ୍ଦରୀ ସହ ମହେନ୍ଦ୍ର ଓ ରାଜକୁମାର ଏଠାରେ ରହୁଥିବା ବେଳେ ଯେପରି ଏମାନଙ୍କର କୌଣସି ପ୍ରକାରର କ୍ଷତି ନହୁଏ ସେ ନେଇ ବନବିଭାଗ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇ ଦେଇଛି।

ଏହି ସୁରକ୍ଷାର ଭାର ଗ୍ରହଣ କରିଛି ସ୍ନିପର ଡଗ ଇମିଲି। ଏହି ସ୍ନିପର ଡଗଟି ‘ଜର୍ମାନ ସେଫର୍ଡ’ ପ୍ରଜାତିର। ଏହା ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ହେବା ପରେ ତାକୁ ସାତକୋଶିଆକୁ ଅଣାଯାଇଥିଲା। ଏହାର ଘ୍ରାଣ ଶକ୍ତି ବହୁତ ଶକ୍ତିଶାଳୀ। ବହୁତ ଦୂରରୁ ଯେ କୌଣସି ଏକ ସନ୍ଦେହଜନକ ପରିସ୍ଥିତିକୁ ଅତି ସହଜରେ ଧରିପାରେ ଇମିଲି। ସାତକୋଶିଆର କୋର ଜଙ୍ଗଲ ମଧ୍ୟରେ ଅନେକ ଜୀବଜନ୍ତୁ ରହୁଥିବା ହେତୁ ପ୍ରାୟ ସମୟରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଥାଏ ଏହି ଅଭୟାରଣ୍ୟ ମଧ୍ୟରେ। ହେଲେ ସେ ଅନେକ ସମୟରେ ଏ ସବୁକୁ ଚକମା ଦେଇ ଶିକାରୀଙ୍କ ଉଦ୍ୟମକୁ ପଣ୍ଡ କରିଦେଉଛି। ବନ ବିଭାଗ ପାଟ୍ରୋଲିଂ ସମୟରେ ଇମିଲିକୁ ବ୍ୟବହାର କରୁଛି। ଜଙ୍ଗଲ ମଧ୍ୟରେ କୌଣସି ପ୍ରକାରର ବିସ୍ଫୋରକ ପଦାର୍ଥ କିମ୍ବା କୌଣସି ଫାଶ ବସା ଯାଇଥିଲେ ଏହାକୁ ଦୂରରୁ ଘ୍ରାଣ ଶକ୍ତି ମାଧ୍ୟମରେ ଜାଣି ପାରୁଛି ଇମିଲି। ଆଉ ବନ ବିଭାଗର କର୍ମଚାରୀଙ୍କୁ ଏ ସଂକ୍ରାନ୍ତରେ ସତର୍କ କରାଉଛି।

ସାତକୋଶିଆରେ ପୂର୍ବରୁ ଗିରଫ ହୋଇଥିବା କିଛି ଶିକାରୀଙ୍କୁ ଧରିବାରେ ଇମଲିର ହାତ ଥିବା ଜଣାପଡିଛି। ଦୈନନ୍ଦିନ ବନ ବିଭାଗର ପାଟ୍ରୋଲିଂରେ ସହାୟତା କରିବା ସହ କିଛିଦିନ ପୂର୍ବରୁ ଅଞ୍ଚଳରେ ଏକ ଚୋରି ଜିନିଷ ଠାବ କରିଥିଲା ଇମଲି। ଏହାକୁ ନେଇ ଅଞ୍ଚଳବାସୀ ଇମିଲିକୁ ପ୍ରଶଂସା କରିଥିଲେ। ଏବେ ମଧ୍ୟ ଇମିଲି ରାଇଗୁଡ଼ାରେ ରହି ପ୍ରତିଦିନ କୋର ଜଙ୍ଗଲରେ ପଇଁତରା ମାରୁଛି। ଶିକାରୀଙ୍କ ନିଦ ହଜାଇ ଦେଇଛି ଏହି ସ୍ନିପର ଡଗ ଇମିଲି

Comments are closed.