ଇଜିପ୍ଟରେ ଚାଲିଛି ସାପ ମାଲିସ୍

ଇତିହାସର ପୃଷ୍ଠା ଲେଉଟାଇଲେ ଜଣାପଡ଼େ, ଅଧିକାଂଶ ପ୍ରାଚୀନ ସୌନ୍ଦର୍ୟ୍ୟଚର୍ଚ୍ଚା ଇଜିପ୍ଟ ସହିତ ଜଡ଼ିତ। ସେଠିକାର ଯୁବତୀ, ମହିଳାମାନେ ଏବେ ପର୍ୟ୍ୟନ୍ତ ଏଇ ଉପାୟରେ ସୌନ୍ଦର୍ୟ୍ୟ ଚର୍ଚ୍ଚା କରୁଥିବାବେଳେ ଶହଶହ ବର୍ଷ ପୁରୁଣା ଦୋକାନରେ ପ୍ରାଚୀନ ସମୟର ଇତର, ମୁଲତାନି ମାଟି ଓ ହ୍ୟାଣ୍ଡମେଡ୍ ସାବୁନ ଇତ୍ୟାଦି ମିଳେ। ଏବେ ଇଜିପ୍ଟର କାଇରୋ ସହରର କେତୋଟି ବିଉଟିପାର୍ଲରରେ ପୁରାତନ ପ୍ରଣାଳୀର ସାପ ମାଲିସ୍‌ ସୌନ୍ଦର୍ୟ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ହଜାରହଜାର ବର୍ଷ ତଳେ ଇଜିପ୍ଟର ରାଣୀମାନେ ନିଜ ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ସାପ ବିଷକୁ ବିଭିନ୍ନ ଭାବେ ଉପଯୋଗ କରିବା ସହ ସାପ ମାଲିସ୍ ମଧ୍ୟ ମୁହଁର ତ୍ବଚାରେ କରାଉଥିବାର ଜଣାପଡ଼ିଛି। ବିଷହୀନ ସାପଙ୍କୁ ସଂଗ୍ରହ କରାଯିବା ପରେ ସେମାନଙ୍କ ଗତିବିଧିକୁ ଲକ୍ଷ୍ୟ କରାଯାଏ, ବିଉଟିସିଆନ୍‌ଙ୍କ ଉପସ୍ଥିତିରେ ହିଁ ତ୍ବଚାରେ ଏଇ ସାପ୍ ମାଲିସ୍‌ କରାଯାଉଛି। ଉଭୟ ପୁରୁଷ ଓ ମହିଳା ସାପ ମାଲିସ୍ କରାଇବା ସହ ତ୍ବଚାକୁ ଏଇ ମାଲିସ୍‌ରେ ଆରାମ ମିଳୁଥିବାର ସେମାନେ କହିଛନ୍ତି।

 

କାଇରୋର ଏକ ଜଣାଶୁଣା ବିଉଟି ପାର୍ଲର ‘କୁଇନ୍‌’ ଗତ ଅକ୍ଟୋବରରୁ ଏହି ସେବା ଆରମ୍ଭ କରିଛି, ୩୦ ମିନିଟ୍‌ର ଏଇ ମାଲିସ୍‌ରେ ପ୍ରଥମେ ଗ୍ରାହକଙ୍କ ମୁହଁ, ବେକ, ହାତ, ଗୋଡ଼ରେ ତେଲ ଭଲଭାବେ ମାଲିସ୍‌ କରାଯାଏ। କିଛି ସମୟ ପରେ ୨୩ଟି ବିଷହୀନ ସାପଙ୍କୁ ତ୍ବଚା ଉପରେ ରଖାଯାଏ, ସାପ ଯେପରି ଗ୍ରାହକର ବେକରେ ଗୁଡ଼ାଇ ନହୁଅନ୍ତି କିମ୍ବା ନାକରେ ପଶିନଯାନ୍ତି, ସେସବୁ ଦେଖିବାକୁ ବିଉଟିସିଆନ୍‌ ପାଖେପାଖେ ରହିଥାନ୍ତି। ଏଇ ମାଲିସ୍‌ରେ ତ୍ବଚାକୁ ଆରାମ ମିଳିବା ସହ ରକ୍ତ ସଞ୍ଚାଳନ ଭଲଭାବେ ହେଉଥିବାର ବିଉଟିସିଆନ୍ କହିଛନ୍ତି। କାଇରୋରେ ଏଇ ସାପ ମାଲିସ୍‌ ସେବା ଆରମ୍ଭ ସମୟରେ ଗ୍ରାହକ ଭୟ କରୁଥିବାବେଳେ ଏବେ କିନ୍ତୁ ଗ୍ରାହକଙ୍କ ସଂଖ୍ୟା କ୍ରମଶଃ ବଢ଼ିଛି। ଦ୍ଭ

Comments are closed.