କାରରେ ସାପ ; ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର :  କାରରେ ସାପ ।  ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି ଗେଷ୍ଟ ହାଉସରେ ରଖା ଯାଇଥିଲା ଚିତ୍ତ ରଞ୍ଜନ ବରାଳଙ୍କ କାର । କାମ ସାରି କାରରେ ବସି ଇଞ୍ଜିନ ଷ୍ଟାର୍ଟ କଲା ବେଳକୁ ବାହାରୁ ଜଣେ ବ୍ୟକ୍ତି କାର ତଳେ ସାପ ଅଛି ବୋଲି ଚିତ୍କାର କରି ଉଠିଲେ । ଚିତ୍ତ ବାବୁ କାର ଇଞ୍ଜିନ ବନ୍ଦ କରି ଡୋର ବନ୍ଦ କରି ଦେଇ ବାହାରକୁ ପଳେଇ ଆସିଲେ । କାର ତଳକୁ ଦେଖିବା ବେଳକୁ ଏକ ସାପ ଚେସିସ ଥିବା ଲୁହା ପାଇପ ଭିତରେ ଫସି ଥିବା ଦେଖିଲେ ।  ଚିତ୍ତ ବାବୁ ଉଦ୍ଧାର ପାଇଁ ସ୍ନେକ୍ ହେଲ୍ପ ଲାଇନ କୁ ଫୋନ କଲେ । ପ୍ରଥମେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଏକ ବିଷ ହୀନ ଢ଼ମଣା ସାପ ବୋଲି ଚିହ୍ନଟ କରିଥିଲେ । ତେବେ ବହୁ ଚେଷ୍ଟା କରି ଆଶିଷ ସାପ ଟିକୁ ବାହାର କରି ପାରିଲେ ନାହିଁ । ସାପ ଟି ଅତ୍ୟନ୍ତ ଅସୁବିଧା ଜନକ ସ୍ଥିତିରେ ଫସିଥିବାରୁ ଆଶିଷଙ୍କୁ ସାହାଯ୍ୟ କରିବା ପାଇଁ ସ୍ନେକ୍ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏବଂ ଆଉ ଜଣେ ସଦସ୍ୟ ରାଜେଶ ସୁତାର ଘଟଣାସ୍ଥଳରେ ପହଞ୍ଚିଲେ ।
ସାପଟି ପାଇପ ଭିତରେ ପଶି ବାହାରିବା ପାଇଁ ଚେଷ୍ଟା କରିବା ବେଳ ପିଠି ପାଖରେ ଅଟକି ଯାଇଥିଲା, ଏବଂ ଆଉ ବାହାରି ପାରୁ ନଥିଲା । ଶୁଭେନ୍ଦୁ ସେଇ ପାଇପ ଭିତରେ ନଡ଼ିଆ ତେଲ ଭର୍ତ୍ତି କରି ଧୀରେ ଧୀରେ ସାପଟିକୁ ଭିଡ଼ିବା ପାଇଁ ପରାମର୍ଶ ଦେଇଥିଲେ ।  ୫ ମିନିଟ୍ ଭିତରେ ସାପ ଟି ପାଇପ ଭିତରୁ ବାହାରି ଆସିଥିଲା ।
ତେବେ କାର ତଳେ ଶୋଇକି କାମ କରୁଥିବା ବେଳେ ସାପ ଆକ୍ରମଣ ରୁ ନିଜକୁ ବଞ୍ଚେଇବା ପାଇଁ ଚେଷ୍ଟା କଲା ବେଳେ ରାଜେଶ ଙ୍କ କପାଳ ରେ କାର ଚେସିସ ବାଜି ଖଣ୍ଡିଆ ହେଇ ଯାଇଥିଲା । ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଏହା ଆମପାଇଁ ଏକ ଚ୍ୟାଲେଞ୍ଜ ପୂର୍ଣ୍ଣ ରେସକ୍ୟୁ ଥିଲା । ସାପଟି ଯଦିଓ ବିଷଧର ନଥିଲା କିନ୍ତୁ ଏମିତି ଅଖାଡୁଆ ଭାବରେ ଫସିଥିଲା ଯେ ଆମକୁ ୩ ଘଣ୍ଟା ନାକେଦମ ହେବାକୁ ପଡିଥିଲା । ସାପଟିକୁ ଆମେ ଅକ୍ଷତ ଅବସ୍ଥାରେ ଅନ୍ୟ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦେଇଛୁ” ।

Comments are closed.