ସାପ-ମଣିଷ ବନ୍ଧୁତା

ପ୍ରାଣୀଙ୍କୁ ଆକ୍ରମଣ କି କ୍ଷତି ନ ପହଞ୍ଚାଇବା ପର୍ଯ୍ୟନ୍ତ ସେମାନେ ପାଲଟା ଆକ୍ରମଣ କରିନଥାନ୍ତି। ଜୀବବିଜ୍ଞାନୀମାନେ ବରାବର ଏଇ ପରାମର୍ଶ ମନୁଷ୍ୟଜାତିକୁ ଦେଇ ଆସୁଥିବାବେଳେ କେତେକଙ୍କ ଯୁକ୍ତି ଯେ ହିଂସ୍ର ପ୍ରାଣୀଙ୍କ ଉପରେ ଭରସା କରିବା ମୂର୍ଖାମି। ଏଭଳି ମତ ରଖୁଥିବା ଲୋକଙ୍କ ପାଇଁ ମହାରାଷ୍ଟ୍ରର ଶେତପାଲ୍ ଗ୍ରାମ ବାସିନ୍ଦା ହେଉଛି ପ୍ରକୃଷ୍ଟ ଉଦାହରଣ। ମୋଟ୍ ୨,୫୦୦ ଲୋକ ବସବାସ କରୁଥିବା ଏଇ ଗାଁରେ ମଣିଷଙ୍କ ତୁଳନାରେ ନାଗ ସାପର ସଂଖ୍ୟା ଅଧିକ। କାହିଁ କେଉଁ କାଳରୁ ଗାଁର ପ୍ରତି ଘରେ, ରାସ୍ତାଘାଟରେ ସାପମାନେ ଚଳପ୍ରଚଳ କରିଆସୁଛନ୍ତି। ଗାଁଲୋକଙ୍କ ସାପକୁ ଭୟ ନାହିଁ କି ସାପମାନେ ଗାଡ଼ିମଟର ଶବ୍ଦରେ ଭୟଭୀତ ହୋଇ ଲୁଚୁନାହାନ୍ତି। ଗାଁର ପ୍ରତ୍ୟେକ ପରିବାରର ଲୋକ ନାଗସାପର ପୂଜାର୍ଚ୍ଚନା କରିବା ସହ ପ୍ରତି ଘରେ ସାପଙ୍କ ପାଇଁ ଗାତଟିଏ ନିଶ୍ଚିତ ଥାଏ। ନୂଆ କରି କେହି ଘର ଆରମ୍ଭ କରୁଥିଲେ ମଧ୍ୟ ସାପଙ୍କ ଗାତ ତିଆରି କରିବାକୁ ଭୁଲିନଥାନ୍ତି। ସାପମାନେ ଗାଁରେ ଆଜି ପର୍ଯ୍ୟନ୍ତ କାହାକୁ ଚୋଟ ମାରିବାର କେହି ଶୁଣିନାହାନ୍ତି। କୁନି ଛୁଆ ସାପଙ୍କ ଚଳପ୍ରଚଳରେ ଅଭ୍ୟସ୍ତ, ବିଦ୍ୟାଳୟରେ ସାପମାନେ ଶ୍ରେଣୀ କକ୍ଷ ଭିତରେ-ବାହାରେ ବୁଲିବା ସହ କୌଣସି କ୍ଷତି ପହଞ୍ଚାଇନଥାନ୍ତି। ଦୂରଦୂରାନ୍ତରୁ ଲୋକେ ଏଇ ଗାଁକୁ ସାପଙ୍କର ଚଲାବୁଲା ଦେଖିବାକୁ ଆସନ୍ତି, କିନ୍ତୁ ମନରେ ଭୟ ଥିବାରୁ ସେମାନେ ଗାଁ ମୁଣ୍ଡରୁ ହିଁ ଫେରିଯାନ୍ତି। ସାପ-ମଣିଷଙ୍କ ଏଇ ନିବିଡ଼ ବନ୍ଧୁତାକୁ ଆଖିରେ ନ ଦେଖିଲେ ସହଜରେ ବିଶ୍ବାସ କରିହୋଇନଥାଏ।

Comments
Loading...