ବିପଦରେ ରୋଗୀ, ବିଷ ଝାଡିବା ପାଇଁ ଗୁଣିଆ କରୁଛି ଏସିଡ ପ୍ରୟୋଗ

୨୦୨୦ ମସିହାରେ ଚାଲିଛି ୧୯୦୦ ମସିହା ପୂର୍ବର ବ୍ୟବସ୍ଥା। ଚିକିତ୍ସା ନାଁରେ ଚାଲୁଛି ଅଚିକିତ୍ସା। ବିପଦରେ ପଡୁଛି ସାପ କାମୁଡା ରୋଗୀଙ୍କ ଜୀବନ। ଗୁଣିଆ ଉଡାଉଛି ସରକାରୀ ଯୋଜନାର ମଜାକ। ସାପ କାମୁଡ଼ିଲେ ରୋଗୀ ଡାକ୍ତରଖାନା ନଯାଇ ଯାଉଛନ୍ତି ଗୁଣିଆ ବା କ୍ବାକ୍ ପାଖକୁ। ବିଷ ଝାଡିବା ପାଇଁ ଗୁଣିଆ କରୁଛି ଏସିଡର ପ୍ରୟୋଗ।

ଯେଉଁ ଯେଉଁ ଅଙ୍ଗରେ ବିଷ ଚରିଥିବ ବୋଲି ଗୁଣିଆ ଭାବୁଛି ବୋଳି ଦେଇ ଯାଉଛି ଏସିଡ। କଳା ପଡ଼ି ଯାଉଛି ମଣିଷ ଅଙ୍ଗ। ତା ପରେ ଘା ହେଇଯାଉଛି। ଆଉ ଘରୁ ଗୋଡ଼ କାଢି ପାରୁନି ବିଚରା ସାପ କାମୁଡା ରୋଗୀ। ଗୋଟିଏ ପଟେ ଏସିଡ ଜ୍ବାଳାରେ ଚମଡା ପୋଡିଯିବାରୁ କପଡା ପିନ୍ଧିବା ଅସମ୍ଭବ ହେଇଯାଉଛି ଏବଂ ଅନ୍ୟ ପକ୍ଷରେ ଘୋର ସାମାଜିକ କଳଙ୍କ ବା ଅଘୋଷିତ ବାସନ୍ଦ ଅନୁଭବ କରି ଘର ଭିତରେ ନିଜକୁ ଆବଦ୍ଧ କରି ରଖୁଛି ଏବଂ ଘୋର ମାନସିକ ଦୁଶ୍ଚିନ୍ତାର ସମ୍ମୁଖୀନ ହେଉଛନ୍ତି ସାପ କାମୁଡା ରୋଗୀ।

ଏହା କେଉଁ ମାଓ ଅଧ୍ୟୁଷିତ ଅଞ୍ଚଳରେ ହେଉନି ବା କେଉଁ ଉପାନ୍ତ ଯୋଗାଯୋଗ ସୁବିଧା ନଥିବା ଅଞ୍ଚଳରେ ନୁହେଁ। ଏହା ଜାତୀୟ ରାଜପଥ କଡରେ ଥିବା ଏକ ଗାଁ। ଭୁବନେଶ୍ୱରରୁ ୧୦୦ କିମି ମଧ୍ୟ ଦୂରତା ହେବନାହିଁ ସେଇ ଗାଁ। ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ମୃଦଙ୍ଗାପଲ୍ଲୀ ଗ୍ରାମ କଥା। ଏହି ଗାଁର ପାଖ ପାଖି ଗାଁରେ ଯାହାକୁ ବି ସାପ ବା କଙ୍କଡା ବିଛା କାମୁଡ଼େ, ସେହି ରୋଗୀଙ୍କୁ ପାଖ ଗାଁର ଶୁକ ବାରିକ ବୋଲି ଜଣେ ଗୁଣିଆ ପାଖକୁ ନିଆଯାଏ, ଯଦିଓ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାପ କାମୁଡା ରୋଗୀଙ୍କ ଚିକିତ୍ସା ପାଇଁ ଵ୍ୟଵସ୍ଥା ଅଛି ଏବଂ ଦୂରତା ମାତ୍ର 30 କିମି । ହେଲେ ସାପ କାମୁଡା ରୋଗୀଙ୍କୁ ସଙ୍ଗେ ସଙ୍ଗେ ନିଆଯାଉଛି ଶୁକ ବାରିକ ଭଳି ଜଣେ ଗୁଣିଆ ବା କ୍ବାକଙ୍କ ପାଖକୁ।

ଏବେ ଆସନ୍ତୁ ଦେଖିବା କ୍ୱାକ୍ ଶୁକ ବାରିକ କଣ କରୁଛନ୍ତି ସାପ କାମୁଡା ରୋଗୀଙ୍କ ସହ? କଣ ତାଙ୍କର ଚିକିତ୍ସା ପଦ୍ଧତି?

ଘଟଣା ୧– ରୋଗୀଙ୍କ ନାମ ସରିତା ମହାପାତ୍ର । ବୟସ ୨୫ ବର୍ଷ। ୧୭ ଅଗଷ୍ଟରେ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ବାମ ଗୋଡ଼ ଆଙ୍ଗୁଠିକୁ ଏକ ସାପ କାମୁଡିବା ପରି ଲାଗିଲା। ଯଦିଓ ସରିତା ଅନ୍ଧାରରେ ସାପକୁ ଦେଖିପାରିଲେ ନାହିଁ। କିନ୍ତୁ ମନରେ ଡର ବି ରହିଲା ଯେ କାଳେ କିଛି ବିଷଧର ସାପ କାମୁଡିଥିବ। ସରିତାଙ୍କୁ ସଂଗେ ସଙ୍ଗେ ନିଆଗଲା ତାଙ୍କ ପାଖ ଗାଁରେ ଥିବା କ୍ବାକଙ୍କ ଘରକୁ। ସିଏ ହେଲେ ଶୁକ ବାରିକ। କ୍ୱାକ ସରିତାଙ୍କ ପାଦ ଠାରୁ ନେଇ ଜଙ୍ଘ ପର୍ଯ୍ୟନ୍ତ କିଛି ଏକ ତରଳ ପଦାର୍ଥ ଲେପ ଦେଲେ। ତେବେ ଏଠି ଗୁରତ୍ୱପୂର୍ଣ କଥାଟି ହେଲା ଶୁକ ବାରିକ ନିଜ ହାତରେ ସେଇ ତରଳ ପଦାର୍ଥକୁ ନ ଛୁଇଁ, ଏକ ବ୍ରସ ବ୍ୟବହାର କରି ସରିତାଙ୍କ ଗୋଡ଼ରେ ସେହି ତରଳ ବୋଲିଲେ। ଅବଶ୍ୟ ସରିତା ସେଇଟା ଏସିଡ କି ବୋଲି ପଚାରିବାରୁ ଶୁକ ବାରିକ ସେଇଟା ଏସିଡ ନୁହେଁ କିନ୍ତୁ ଏସିଡ ଭଳିଆ ବୋଲି କହିଲେ।

ତେବେ ସେହି ଏସିଡ ଭଳି ତରଳ ବ୍ରସ ଦ୍ୱାରା ବୋଳି ସାରିବା ପରେ ସରିତାଙ୍କ ଗୋଡ଼ରେ ବହୁତ ଜଳା ପୋଡା ହେଲା। ସାରା ରାତି ଯନ୍ତ୍ରଣାରେ ଛଟପଟ ହୋଇ ସରିତା ଆଉ ଶୋଇ ପାରିଲେ ନାହିଁ। ସକାଳୁ ଦେଖିଲା ବେଳକୁ ତାଙ୍କର ଗୋଡ଼ରେ ଯେଉଁ ସବୁ ଜାଗାରେ ସେହି ଏସିଡ ଭଳି ତରଳ ଲାଗି ଥିଲା ତାହା ସିଝି କଳା ପଡିଯାଇଛି ଏବଂ ଠାଏ ଠାଏ ଫୋଟକା ହୋଇ ଲସା ମଧ୍ୟ ଦେବା ଆରମ୍ଭ କଲାଣି। ଭୁବନେଶ୍ୱରରେ ଜଣେ ପରିଚିତ ଲୋକଙ୍କ ମାଧ୍ୟମରେ ସରିତାଙ୍କ ଗୋଡ଼ର ଫୋଟୋ ହ୍ଵାଟ୍ସଆପ ଜରିଆରେ ପହଞ୍ଚିଲା ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ପାଖରେ। ଶୁଭେନ୍ଦୁ ସରିତା ଙ୍କ ସହ କଥା ହେବା ପରେ ଘଟଣାର ଗୁରୁତ୍ୱକୁ ଉପଲବ୍ଧ କରି ଏକ ୩ ଜଣିଆ ଟିମ ନେଇ ଭୁବନେଶ୍ୱରରୁ ମୃଦଙ୍ଗାପଲ୍ଲୀ ଗାଁରେ ପହଞ୍ଚିଲେ। ସରିତାଙ୍କ ସହ କଥା ହେବା ଭିତରେ ତାଙ୍କ ପଡିଶା ଘର ଜଣେ ସ୍ତ୍ରୀ ଲୋକ ନିଜର ଦୁର୍ଦ୍ଦଶା ବଖାଣିଲେ।

ସାମାଜିକ କଳଙ୍କ ମୁଣ୍ଡଉଛନ୍ତି ସାପ କାମୁଡା ରୋଗୀ

ଦେଖିବାକୁ ଗଲେ ଏକ ପ୍ରକାର ଆତ୍ମଘୋଷିତ ସାମାଜିକ ବାସନ୍ଦ ଭୋଗୁଛନ୍ତି ସାପ କାମୁଡା ରୋଗୀ। କାରଣ ଶୁକ ବାରିକ ଯେଉଁ ତରଳ ପଦାର୍ଥ ଲେପ ଦେଉଛନ୍ତି ତାହା ନିଃସନ୍ଦେହରେ ଏସିଡ ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ। ୧୮ ଅଗଷ୍ଟରେ ଶୁଭେନ୍ଦୁଙ୍କ ନେତୃତ୍ୱରେ ସ୍ନେକ ହେଲ୍ପ ଲାଇନର ଏକ ୩ ଜଣିଆ ଟିମ ଘଟଣା ସମ୍ପର୍କରେ ଖବର ପାଇ ଅନୁସନ୍ଧାନ କରିବାକୁ ଯାଇଥିଲା। ସ୍ନେକ ହେଲ୍ପ ଲାଇନ ହିଁ ଏହି ଉନବିଂଶ ଶତାବ୍ଦୀର ଅତ୍ୟନ୍ତ କଷ୍ଟ ଦାୟକ ପ୍ରଥାର ପର୍ଦାଫାଶ କରିଛି। ଏଥି ସହ ଶୁକ ବାରିକ ନାମକ କ୍ବାକ୍ ର ମଧ୍ୟ ପର୍ଦା ଫାଶ ହେଇଛି।

ଘଟଣା ୨ – ଶୁଭଶ୍ରୀ ମହାପାତ୍ର। ବୟସ ୪୫ ବର୍ଷ। ସ୍ୱାମୀ ବିଶ୍ୱନାଥ ମହାପାତ୍ର। ସେଇ ମୃଦଙ୍ଗାପଲ୍ଲୀ ଗାଁ। ପ୍ରାୟ ପନ୍ଦର ଦିନ ତଳେ ତାଙ୍କର ବାମ ଗୋଡ଼ରେ ଏକ କଙ୍କଡା ବିଛା କାମୁଡ଼ିଲା। ତାଙ୍କୁ ନିଆ ଯାଇଥିଲା ଶୁକ ବାରିକଙ୍କ ପାଖକୁ, ସିଏ ତାଙ୍କର ବି ଚିକିତ୍ସା କରିଥିଲେ। ଶୁଭଶ୍ରୀଙ୍କର ମଧ୍ୟ ଗୋଡ଼ରେ ସେଇ ସମାନ ଏସିଡ ଭଳି ତରଳ ଲେପ ଦିଆ ଯାଇଥିଲା। ଖାଲି ସେତିକି ନୁହେଁ ମୁଣ୍ଡ ବୁଲାଉ ଥିଲା ବୋଲି ଶୁକ ବାରିକ ଶୁଭଶ୍ରୀଙ୍କର ମୁଣ୍ଡରେ ମଧ୍ୟ ସେଇ ଏସିଡ ଭଳି ତରଳ ବୋଳି ଥିଲେ। ଦେହ ସାରା ଫୋଟକା ଆଉ ଘା ହେବା ପରେ ଡାକ୍ତର ଖାନାରେ ଦେଖେଇ ଅନେକ ମେଡିସିନ ଖାଇବା ପରେ ଶୁଭଶ୍ରୀ ସୁସ୍ଥ ହେଇଛନ୍ତି। ହେଲେ ମୁଣ୍ଡରେ କଳା ଦାଗ ଏଯାଏ ଯାଇନି।

ଘଟଣା ୩ – ଏହି ୩ ନମ୍ବର କେସ ଟି ସବୁଠୁ ଭୟଙ୍କର। ନିରଞ୍ଜନ ବେହେରା। ପିତା ଶ୍ୟାମ ସୁନ୍ଦର ବେହେରା। ବୟସ ୩୦ ବର୍ଷ। ଗତ ଅଗଷ୍ଟ ୧୫ ତାରିଖରେ ତାଙ୍କ ମୁଣ୍ଡ ଉପରେ ଚାଳରୁ ଏକ ସାପ ଖସିପଡ଼ିଲା। ନିରଞ୍ଜନ ଡାହାଣ ହାତକୁ ଛାଟି ଦେବାରୁ ସାପଟି ଡାହାଣ ହାତ ଦେଇ ତଳେ ପଡି ଚାଲିଗଲା। ନା ସାପଟି ନିରଞ୍ଜନଙ୍କୁ କାମୁଡିଥିଲା ନା ତାଙ୍କ ଦେହରେ ଦାନ୍ତର ଦାଗ ଥିଲା। ତେବେ ସାପଟି ମୁଣ୍ଡରେ ପଡି ଡାହାଣ ହାତ ଦେଇ ଶରୀରକୁ ସ୍ପର୍ଶ କରିଥିବାରୁ ନିରଞ୍ଜନଙ୍କୁ ନିଆଗଲା ସେଇ ଶୁକ ବାରିକ ପାଖକୁ। ଶୁକ ବାରିକ ବି ତାଙ୍କର ଚିରା ଚରିତ ତରଳ ବୋଲିଲେ ନିରଞ୍ଜନଙ୍କ ଦେହରେ। ମୁଣ୍ଡରୁ ନେଇ ହାତ ଯାଏଁ। ବେକ ପଛ ପଟ, କାନ୍ଧ, ହାତ ସବୁ ଆଡେ। ଏମିତିକି ନିରଞ୍ଜନଙ୍କ ମୁହଁ ରେ ବି ତରଳ ଲେପ ହେଲା। ହଁ ଆଉଥରେ କହିରଖୁଛୁ ତରଳ ଲେପ ପାଇଁ ସବୁ କେସରେ ଶୁକ ବାରିକ ଏବଂ ତାଙ୍କର ଚେଲା ଏକ ବ୍ରସ ହିଁ ବ୍ୟବହାର କରନ୍ତି। ନିଜ ହାତ କେବେ ବି ସେଇ ତରଳରେ ଲଗାନ୍ତି ନାହିଁ।

୧୮ ଅଗଷ୍ଟ ରେ ଏଇଆ ଅବସ୍ଥା ହେଇଚି ନିରଞ୍ଜନଙ୍କର ଯେ ସେ ଆଉ ସାର୍ଟ ପିନ୍ଧି ପାରୁ ନାହାନ୍ତି। ଯେଉଁ ଜାଗାରେ ତରଳ ଲେପିଥିଲେ ଶୁକ ବାରିକ, ସେଇ ଜାଗା ସବୁ ସିଝି କଳା ପଡିବା ସହ ଫୋଟକା ହେଇ ଲସା ଦେବା ସହ ଅନେକ ଜାଗାରେ ଚର୍ମ ଫାଟି ମେଳା ହେଇଛି। ଅତ୍ୟନ୍ତ କୁରୂପ ହେଉ ଯାଇଛନ୍ତି ନିରଞ୍ଜନ, ଆଉ ସେଥିପାଇଁ ଆଉ ଘରୁ ବାହାରୁ ନାହାନ୍ତି। ସବୁବେଳେ ଏକ ଗାମୁଛା ଦ୍ୱାରା ନିଜର ଶରୀରର ଉପର ଭାଗକୁ ଘୋଡେଇ ରଖୁଛନ୍ତି। ଏଯାଏଁ ଡାକ୍ତରଖାନା ବି ଯାଇନାହାନ୍ତି ନିରଞ୍ଜନ, ଯଦିଓ ତାଙ୍କ ଘରଠାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାତ୍ର ୩୦ କିମି ଦୂର।

Comments are closed.