ସ୍ମୃତିଙ୍କ ନାମରେ ସୁଟର ବର୍ତ୍ତିକାଙ୍କ ଲାଞ୍ଚ ଅଭିଯୋଗ

ଲକ୍ଷ୍ନୌ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଛନ୍ତି ଉତ୍ତରପ୍ରଦେଶର ପ୍ରତାପଗଡ ଜିଲାନିବାସୀ ଆନ୍ତର୍ଜାତୀକ ଖ୍ୟାତିସମ୍ପନ୍ନ ସୁଟର ବର୍ତ୍ତିକା ସିଂ। ସ୍ମୃତି ତାଙ୍କୁ ମହିଳା ଆୟୋଗ ସଦସ୍ୟା କରାଇବାକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ସେ ଅଭିଯୋଗ କରିଛନ୍ତି। କେବଳ ସ୍ମୃତି ନୁହନ୍ତି; ତାଙ୍କ ସହାୟକ ବିଜୟ ଗୁପ୍ତା ଓ ଡାକ୍ତର ରଜନୀସ୍ ସିଂଙ୍କ ବିରୋଧରେ ସେ ମାମଲା ଦାୟର କରିଛନ୍ତି। ସ୍ବତନ୍ତ୍ର ଅଦାଲତ ବିଚାରପତି ପି.କେ ଜୟନ୍ତ ଏହି ମାମଲାର ଶୁଣାଣି ଜାନୁଆରୀ ୨୧କୁ ଧାର୍ଯ୍ୟ କରିଥିବା ବର୍ତ୍ତିକାଙ୍କ ଓକିଲ ରୋହିତ ତ୍ରିପାଠୀ କହିଛନ୍ତି। ନଭେମ୍ବର ୨୩ରେ ଆମେଥି ଜିଲାର ମୁସାଫିରଖାନା ଥାନାରେ ବର୍ତ୍ତିକା ସିଂ ଓ କମଲ କିଶୋରଙ୍କ ନାମରେ ବିଜୟ କୁମାର ଗୁପ୍ତା ଏକ ମାମଲା ଦାୟର କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ଏକ ହସ୍ପିଟାଲ ନିର୍ମାଣକୁ ନେଇ ବିଜୟଙ୍କ ନାମରେ ବର୍ତ୍ତିକା କୁତ୍ସାରଟନା କରୁଛନ୍ତି। ଏହାଦ୍ୱାରା ତାଙ୍କୁ ମାନସିକ ନିର୍ଯାତନା ମିଳୁଛି। ବର୍ତ୍ତିକା ସିଂ, କମଲ କିଶୋରଙ୍କ ସହ ଅନ୍ୟ କିଛି ଲୋକ ତାଙ୍କ ବିରୋଧରେ ଷଡଯନ୍ତ୍ର ଚଳାଇଛନ୍ତି। ଏହି ଅଭିଯୋଗ ଆଧାରରେ ମୁସାଫିରଖାନା ଥାନା ଅଧିକାରୀ ବର୍ତ୍ତିକା ସିଂଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ଅନ୍ୟପଟେ ବର୍ତ୍ତିକା ଅଭିଯୋଗ କରିଛନ୍ତି ଯେ ସ୍ମୃତି ଓ ତାଙ୍କ ସହଯୋଗୀମାନେ ତାଙ୍କୁ ପ୍ରଥମେ ୧ କୋଟି ଟଙ୍କା ମାଗିଥିଲେ। ପରେ ସ୍ମୃତି କହିଥିଲେ ଯେ ବର୍ତ୍ତିକାଙ୍କର ସୁନାମ ଥିବାରୁ ତାଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ହେବ। ଏଥିରେ ସେ ରାଜି ନ ହେବାରୁ ମନ୍ତ୍ରୀଙ୍କ ଲୋକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ବର୍ତ୍ତିକା ଏହାକୁ ବିରୋଧ କରିବାରୁ ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଇଥିଲା।

Comments are closed.