ଆସନ୍ତୁ ହସିବା

ସୁସ୍ଥ ଜୀବନ ଓ ସମାଜ ପାଇଁ ହସ ହିଁ ମହୌଷଧୀ

(କିଶୋର ମହାନ୍ତି)  ହସନ୍ତୁ…..ହସାନ୍ତୁ। ହସିବାକୁ ଚେଷ୍ଟା କରନ୍ତୁ, କିନ୍ତୁ ଆପଣମାନେ ହସିପାରୁ ନାହାନ୍ତି। ସତରେ ମନ ଖୋଲି ହସିବାକୁ ମଣିଷ ପାଖରେ ସେତକ ସମୟ କାହିଁ? ଦୁନିଆସାରା ନୁଖୁରା ମୁହଁ ଗୁଡ଼ାକୁ ଚାହିଁଦେଲେ ହସ ମାଡ଼ୁଥିଲେ ବି ତାହା ଆପେଆପେ ଭିତରେ ପଶିଯିବ। ଆମ ଆଖପାଖରେ ସେମିତିକା ହସକୁରା ଲୋକ ନାହାନ୍ତି, ଯିଏ ସବୁବେଳେ ହସାଉଥିବ। ସକାଳୁସକାଳୁ ଘରଦ୍ବାର ଖୋଲି ଦେଲାକ୍ଷଣି ମୁହଁ ଶୁଖାଇ ଭିକାରିଟିଏ ହାତ ପାତି ଥିବ। ପକେଟରୁ କିଛି ହାତରେ ପକାଇ ଦେଲେବି ସେ ଅସନ୍ତୁଷ୍ଟ ହୋଇ ମୁହଁ ଛିଞ୍ଚାଡ଼ି ଚାଲିଯାଉଥିବ ବେଖାତିର କରି। ଦିନ ତମାମ ମଣିଷ ଆଉ କେତେବେଳେ ଅବା ହସିବ।
ଆଜିକାଲି ଦେଖାଯାଉଛି ଏ ବିରାଟ ସଂସାରରେ ସବୁଆଡ଼େ ଫାଟ। ଘରେ ସ୍ବାମୀ-ସ୍ତ୍ରୀ ଭିତରେ ଫାଟ, ଭାଇ-ଭାଇ ଭିତରେ ଫାଟ, ବନ୍ଧୁବାନ୍ଧବ, ସାହିପଡ଼ିଶାଙ୍କ କଥା ଛାଡ଼। ପାଠପଢ଼ୁଆ ଉଚ୍ଚଶିକ୍ଷିତ ପୁଅଝିଅ ବି ନିଜର ବାପମାଆଙ୍କୁ ବୁଢ଼ାଦିନେ ପଚାରେନି,ଏପରି ସ୍ଥଳେ ସଭିଙ୍କ ମୁହଁରେ ହସବୋଳି ଦେବ ବା କିଏ ?
ହସଟା ଏତେ ସୁବିଧା ନୁହେଁ ଯେ ବଜାର ଘାଟରେ ମିଳୁଛି, କିଣି ଆଣି ହେବ। ଚଟାପଟ ବି କାହା ଭିତରୁ ଆପେଆପେ ବାହାରି ଆସିବ ସିଏ। ହସ ମାଡ଼ିବା ପାଇଁ ଉପଯୁକ୍ତ ସମୟ ଦରକାର। ହସ ଏବେ ସମସ୍ତଙ୍କ ପାଇଁ ମହଙ୍ଗା ହୋଇଗଲାଣି। କେତେ ପ୍ରକାର ହସ- ମୁରୁକି ହସ, ଲାଜୁଆହସ, ଦିହ ଚିହିଁକି ଯିବା ହସ, ତାଚ୍ଛଲ୍ୟହସ,- ଭଳିକିଭଳିକି ହସର କିସମ। ନାଟ ତାମ୍‌ସାରେ ଯୋଉ ହସଥିଲା,ତାହା ଉଭେଇ ଗଲାଣି।
ମାନବର ଯେତକ ବ୍ୟାବହାରିକ ଗୁଣ ଅଛି ତା’ମଧ୍ୟରୁ ‘ହସ’ ଅନ୍ୟତମ ଯାହାକି ମଣିଷର ମସ୍ତିଷ୍କ ଦ୍ବାରା ପରିଚାଳିତ। ‘ହସ’ ମାଧ୍ୟମରେ ମଣିଷ ସମ୍ବେଦନଶୀଳ ହେବା ସଙ୍ଗେସଙ୍ଗେ ସାମାଜିକ ସମ୍ପର୍କରେ ମଣିଷମଣିଷ ଭିତରେ ଅଧିକ ବାନ୍ଧି ହୋଇପଡ଼େ।
ମାତୃଗର୍ଭରୁ ଜନ୍ମିତ ଶିଶୁର ପରିଚୟ ହିଁ ପ୍ରଥମେ ହସରୁ ମିଳିଥାଏ। ତା’ର ହସ ଜଣେ ଯୁବକର ହସଠାରୁ ଶାନ୍ତ,ସରଳ ତଥା ଚିତ୍ତାକର୍ଷକ। ​‌େ​‌ଗାଟିଏ ଦିନରେ ଜଣେ ଶିଶୁ ପ୍ରାୟତଃ ୩୦୦ ଥର ହସିଥାଏ ଯେଉଁଠି ଜଣେ ଯୁବକ ଦିନକୁ ୨୦ଥର ହସିଥାଏ। ଏମିତିକି ଜଣଜଣକର ହସିବା ତା’ର ବ୍ୟକ୍ତିତ୍ବ ଉପରେ ନିର୍ଭର କରେ।
ଗବେଷଣାରୁ ଜଣାଯାଇଛି ଯେ ଜଣେ ଯୁବକର ହସର ପରିମାଣ ଆସ୍ତେଆସ୍ତେ କମିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଲା, ଯୁବକଟିଏ ବା ଯୁବତୀଟିଏ ଯେଉଁ ପରିସ୍ଥିତିରେ ଆତଯାତ ହେଉଛି ତା’ର ମାନସିକ ଚାପ, ଜୀବନଯନ୍ତ୍ରଣା, ସାମାଜିକ ପରିସ୍ଥିତି, ପାରିବାରିକ ଦାରିଦ୍ର୍ୟ, ଏସବୁ ପାଇଁ ଅନେକାଂଶରେ ଦାୟୀ। ବେଳେବେଳେ ଏସବୁ କାରଣରୁ ସେ ଏତେ ଗୁରୁଗମ୍ଭୀର ହୋଇଯାଏ ଯେ ହସିବାକୁ ଆଦୌ ଭଲ ପାଏ ନାହିଁ। ‘ହସ’ ହେଉଛି ଭାବର ଦୃଶ୍ୟମାନ ପରିପ୍ରକାଶ। ମନରେ ଅତି ଆନନ୍ଦ ଉପଲବ୍ଧି କଲେ, ଅଜାଣତରେ ହସ ବାହାରି ଆସେ। ଥଟ୍ଟା,ମଜା,ପରିହାସ,ଗେଲ,ଏପରିକି ଅଙ୍ଗଭଙ୍ଗୀ ପ୍ରଦର୍ଶନ, ବାକ୍‌ଚାତୁରୀରେ ମଣିଷ ହସେ, ବେଢ଼ଙ୍ଗ ଅବସ୍ଥା ଦେଖିଲେ ମଣିଷ ହସେ।
ଗବେଷକମାନେ ମତ ଦିଅନ୍ତି ଯେ ୧୭ଦିନର ଶିଶୁର ହସ ଶବ୍ଦରେ ପରିଣତ ହୋଇଥାଏ। ଏପରିକି ତିନିଚାରି ମାସର ଶିଶୁ ହସିବା ଜାହିର ରଖେ। ପ୍ରଥମେ ଶିଶୁ କହି ଶିଖିବା ପୂର୍ବରୁ ହସିବାକୁ ଚେଷ୍ଟା କରିଥାଏ। ଯେଉଁ ଶିଶୁମାନେ ଜନ୍ମାନ୍ଧ ଅବା ବଧିର ତାଙ୍କ ଓଠରେ ମଧ୍ୟ ହସ ପ୍ରକାଶ ପାଇଥାଏ।
ଅଜାଙ୍କର ହସ ମୁଣି ଖୋଲା ହେଲେ ନାତି ନାତୁଣୀମାନେ ହସିହସି ତଳେ ଗଡ଼ିଯାଆନ୍ତି। ଏବେ ଅଜା ହସଉ ନାହାନ୍ତି କି ନାତି ନାତୁଣୀମାନେ ଅଜାଙ୍କର ହସ କଥା ଶୁଣୁ ନାହାନ୍ତି। ହସ ବାସ୍ତବ​‌ରେ ଅପୂର୍ବ ଚିଜ। ତାକୁ ସାଉଁଟି ଆଣି କାନିରେ ବାନ୍ଧି ରଖିଛି ଯିଏ, ସିଏ ଜୀବନକୁ ଭଲ ପାଇଛି- ଏବେ ହସ ଖୋଜୁଛି ବା କିଏ?
ଏବେକାର ହସଟାରେ କେମିତି କୃତ୍ରିମତା ଭରି ରହିଛି। କୁଟିଳ ହସ ସମସ୍ତେ ହସୁଛନ୍ତି, ନାଟକର କଂସର ହସ, ରାବଣର ହସ, ପୁଣି ମାମୁ ଶକୁନିଙ୍କର ଜଟିଳ କୁଟିଳ ହସ। ଶିଶୁର ଯେଉଁ ଅମୃତବୋଳା ହସ ସଭିଙ୍କ ପ୍ରାଣକୁ ଛୁଇଁଯାଏ ସେଥିରେ କୃତ୍ରିମତା ନଥାଏ। ସେଥିରେ ଥାଏ ବିମଳ ହସ। ହସର ବଜାରରେ ହସକୁରା ବେପାରୀମାନଙ୍କର ଅଭାବ ପରିଲକ୍ଷିତ ହେଲାଣି। ଏମିତିକି ନାଟ୍ୟକାରମାନେ ନାଟକରୁ ହାସ୍ୟରସ ଉଠାଇବାରେ ବ୍ୟସ୍ତ। ପ୍ରଭୁ ସ୍ବୟଂ ଜଗନ୍ନାଥ ଭକ୍ତମାନଙ୍କୁ ଦେଖି ଆଉ ହସୁ ନାହାନ୍ତି। କାରଣ ସେ ଜାଣି ପାରିଲେଣି ଏବେ ଭକ୍ତମାନେ ଭେଜାଲ ହୋଇଗଲେଣି। ନା ଅଛି ସୁଦାମା, ବଂଧୁମହାନ୍ତି, ଦାସିଆବାଉରୀ ଅବା ସାଲବେଗ। ଶ୍ରୀକୃଷ୍ଣଙ୍କର ଶେଷ ହସ ସରିଯାଇଛି ମହାଭାରତ ଯୁଗରୁ। ନାମୀ ଦାମୀ ବିଦେଶୀ ଚିତ୍ରରେ ଲିଓନାର୍ଡ-ଡା-ଭିନ୍‌ସିଙ୍କର ବିଶ୍ବ ପ୍ରସିଦ୍ଧ ମୋନାଲିସାର ହସ କେତେ ସତେ ଚର୍ଚ୍ଚାକୁ ଆସିଥିଲା। କବି ହସକୁ କେଉଁଠି ଆଣି କେଉଁଠି ରଖେ- ତା’ର କଲମରେ ହସ ନୂଆ ରୂପ ଦିଏ- ରସିକ କବି ଲେଖିଲାବେଳେ ଚାତୁରୀରେ ଲେଖେ ‘ହସରେ ତା’ ମଧୁ ଝରେ…’, ‘ହସ ତା’ର ନବାତ ପଣା…’, ପୁଣି ‘ହସ ତା’ର ଲକ୍ଷେ ଟଙ୍କା…’ ଇତ୍ୟାଦିଇତ୍ୟାଦି।
କକରଛନିଆ ହସ ହେଉ ଅବା କୁତୁକୁତିଆହସ ହେଉ, ସମସ୍ତେ ତାକୁ ଆଦର କରନ୍ତି। ସମସ୍ତେ ହସ ଟିକକ ପାଇଁ ବ୍ୟସ୍ତ ବହୁଳ ଦୁନିଆରେ ଡହଳବିକଳ। ହାସ୍ୟ ସମ୍ରାଟ କବି ଯଦୁମଣି ନାହାନ୍ତି କି ବୀରବଲ ନାହାନ୍ତି ଯେ ସେ ହସାନ୍ତେ।
ଏମିତି ଏକ ସନ୍ଧିକ୍ଷଣ ଆସି ପହଞ୍ଚିଲାଣି ମଣିଷ ଜୀବନରେ। ଏବେ ଚିକିତ୍ସାବିତ ମାନେ କହିଲେଣି ଜବରଦସ୍ତ ହସିବାକୁ, କାରଣ ଏହା ମେଦବୃଦ୍ଧି, ରକ୍ତଚାପ ଓ ମଧୁମେହର ଉପଶମ ପାଇଁ ଲାଭପ୍ରଦ। ତେଣୁ ସବୁଆଡ଼େ ଲାଫିଙ୍ଗ୍‌ କ୍ଲବ ଗଢ଼ା ହେଲାଣି।
ଶରୀରକୁ ସୁସ୍ଥ ରଖିବା ପାଇଁ ଥୋକେ ବୟସ୍କଲୋକ ପ୍ରାତଃଭ୍ରମଣ ସମୟରେ କିଛି ସମୟ ପାଇଁ ଏକାଠି ଜୋରରେ ହସିବାର ପ୍ରକ୍ରିୟା ଆରମ୍ଭ କରିଦେଲେଣି। ସତ କହିଲେ ବଞ୍ଚିବାକୁ କାହାର ଲୋଭ ନାହିଁ ବା ଆଶା ନାହିଁ? ହସପରା ଏବେ ଯୋଗ ଓ ପ୍ରାଣାୟମର ଏକ ଅଂଶବିଶେଷ ଭାବରେ ପରିଗଣିତ ହେଲାଣି! ତେବେ ଆସନ୍ତୁନା ନିଜେ ହସିବା, ଅନ୍ୟକୁ ହସାଇବା ଏବଂ ସୁସ୍ଥ ରହିବା।

Comments
Loading...