ଗୋଟିଏ ମେସିନରେ ୮ରୁ ୧୦ପ୍ରକାରର ସେବା : ମାଗଣାରେ ମିଳିବ ଇଣ୍ଟରନେଟ, କଲ୍ ସୁବିଧା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ସ୍ମାର୍ଟସିଟିର ମାନ୍ୟତା ପାଇଛି। ଟଙ୍କା ଜମାଠାରୁ ଆରମ୍ଭ କରି ପାଣି ପିଇବା ପର୍ଯ୍ୟନ୍ତ ସବୁ ସ୍ମାର୍ଟ ହେବାରେ ଲାଗିଛି। ଲୋକମାନେ ଘରେ ବସି ବିଦ୍ୟୁତ ବିଲ୍‌, ଗାଡ଼ି ବୁକିଂ, ମେଡ଼ିସିନ ଓ ଖାଇବା ସବୁ ପାଖରେ ପାଇପାରୁଛନ୍ତି। ଆଗାମୀ ଦିନରେ ରାଜଧାନୀବାସୀ ସ୍ମାର୍ଟ କିଓସ୍କର ସୁବିଧା ପାଇପାରିବେ। ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ମାଗଣା ଫୋନ୍‌ କଲ୍‌ ଓ ମୋ ବସ୍‌ର ସୁବିଧା ପାଇ ପାରିବେ। ଗୋଟିଏ ମେସିନରେ ୮ରୁ ୧୦ପ୍ରକାରର ସେବା ଉପଲବ୍ଧ ହୋଇପାରିବ। ଏହି ମେସିନ ବ୍ୟବହାର ଯେତିକି ସରଳ ସେତିକି ଆରାମଦାୟକ। ସାଧାରଣ ବ୍ୟକ୍ତିଟିଏ ସମ୍ପୂର୍ଣ୍ଣ ମାଗଣାରେ ତା’ର ମୋବାଇଲ ଚାର୍ଜ, ଫ୍ରି ୱାଇଫାଇ, ଫୋନ୍‌ କଲ୍‌, ମନୋରଞ୍ଜନଭିତ୍ତିକ ଗେମ୍‌, ଗୁଗୁଲ ମ୍ୟାପ, ମୋ ବସ୍‌ ସୂଚନା ଓ କ୍ରିକେଟ ସ୍କୋର ବୋର୍ଡ ଭଳି ସମସ୍ତ ସୂଚନା ପାଇପାରିବେ। ଏପରି ଏକ ସ୍ମାର୍ଟ କିଓସ୍କକୁ ସଫଳତାର ରୂପ ଦେଇଛନ୍ତି ୫ ଇଞ୍ଜିନିୟରିଂ ଛାତ୍ର। ଏହାର ନାମ ରହିଛି ‘ହାଏ ସିଷ୍ଟମ’ (ହ୍ୟୁମାନ ଇଣ୍ଟରଆକ୍ଟିଭ ଇଣ୍ଟରଫେୟାର ସିଷ୍ଟମ)।

ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ ପରେ ଦିବ୍ୟ ସିଦ୍ଧାନ୍ତ, ଚିତ୍ତରଞ୍ଜନ ବେହେରା, ଚିରଞ୍ଜିବୀ ନାୟକ, ଗଣେଶ ଚନ୍ଦ୍ର ମୁନି, ବିଶାଲ ବିବେକ କବିରାଜ ଏହି ସ୍ମାର୍ଟ କିଓସ୍କ ତିଆରି କରିଛନ୍ତି। ୨୦୧୭ରେ ଷ୍ଟାର୍ଟ-ଅପ୍ ଓଡ଼ିଶାରେ ଲାଗିଥିବା ଚାର୍ଜିଂ ପଏଣ୍ଟକୁ ଦେଖି ଏଭଳି କିଛି ନୂତନ ମେସିନ କରିବା ପାଇଁ ଯୋଜନା କରିଥିଲେ। ଯେଉଁଥିରେ ଲୋକମାନେ ୫ରୁ ୧୦ପ୍ରକାରର ସୁବିଧା ପାଇପାରୁ ଥିବେ। ଏହି ମେସିନ ସାହାଯ୍ୟରେ ଲୋକମାନେ ମୋବାଇଲ ଚାର୍ଜ କରିବା ସହିତ ଗୀତ, ଫୋନ୍‌କଲ୍‌ ଓ ସିଟି ବସ୍‌ ସୂଚନା ପାଇପାରିବେ। ମେସିନର ସମସ୍ତ ଆପ୍‌ ସହଜରେ ବ୍ୟବହାର କରିହେବ। ମୋବାଇଲ ଆପ୍‌ ଭଳି ସ୍ମାର୍ଟ କିଓସ୍କ ଆପ୍‌ ବ୍ୟବହାର କରିହେବ। ବିଦ୍ୟୁତ୍ ସଂଯୋଗ କଟିଗଲେ ମଧ୍ୟ ଏହା ବନ୍ଦ ହେବନାହିଁ। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସ୍ମାର୍ଟସିଟି ବାସୀଙ୍କୁ ଏଭଳି ଉପହାର ଦେଇଛନ୍ତି ଏହି ଉଦ୍ୟମୀ ଓ କୁଶଳୀ ଇଞ୍ଜିନିୟରିଂ ଛାତ୍ର।

୨୦୧୮ ନଭେମ୍ବରରେ ସ୍ମାର୍ଟ କିଓସ୍କ ମେସିନ ତିଆରି ଆରମ୍ଭ କରିଥିଲେ। ଏଥିପାଇଁ ସେମାନଙ୍କୁ ଏକ ମାସରୁ ଅଧିକ ସମୟ ଲାଗିଥିଲା। ପ୍ରଥମ ମେସିନଟି ଜୟଦେବ ବିହାର ଗାଲାକ୍ସି ଗାର୍ଡେନରେ ଲଗାଯାଇଥିଲା। ଛାତ୍ରମାନେ ନିଜର ସଞ୍ଚିତ ଅର୍ଥରେ ସ୍ମାର୍ଟ କିଓସ୍କ ତିଆରି କରିଥିଲେ। ବର୍ତ୍ତମାନ ଗୋଟିଏ ମେସିନ ତିଆରି ପାଇଁ ସେମାନଙ୍କୁ ସପ୍ତାହ ସମୟ ଲାଗୁଛି। ଏଯାବତ ସେମାନେ ମୋଟ ୪ଟି ମେସିନ ତିଆରି କରିଛନ୍ତି। ଦ୍ବିତୀୟ ମେସିନକୁ ପାଲ୍‌ ହାଇଟ୍ସରେ ଲଗାଇବା ଯୋଜନା ରଖିଛନ୍ତି। ଇନ୍‌ଡୋର କିଓସ୍କ(କେବଳ ରାତି ସମୟ ) ପାଇଁ ୩ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି। ସେହିପରି ବହିଃବିଭାଗ କିଓସ୍କ ପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସରକାରଙ୍କ ସହଯୋଗ ମିଳିଲେ ଅଧିକ ପରିମାଣର ମେସିନ ତିଆରି ଯୋଜନା ଅଛି ବୋଲି ସେମାନେ କହିଛନ୍ତି।

Comments are closed.