ଟ୍ୟାକ୍ସି ଛାତ ଉପରେ ଛୋଟ ବଗିଚା

ବ୍ୟାଙ୍କକ: ଗତ ପ୍ରାୟ ଦେଢବର୍ଷରୁ ଅଧିକ ସମୟ ହେଲା ସାରା ବିଶ୍ୱକୁ କରୋନା ମହାମାରୀ କବଳିତ କରି ରଖିଥିବାବେଳେ ଅନେକ ଲୋକ କାମଧନ୍ଦା ହରାଇଛନ୍ତି। ବିଶେଷକରି ପର୍ଯ୍ୟଟନ ସହିତ ସଂପୃକ୍ତ ଲୋକମାନେ ଅତି ଦୟନୀୟ ଜୀବନ ଯାପନ କରୁଛନ୍ତି। ହୋଟେଲ, ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିବା ସହିତ ଗାଡିମଟରଗୁଡିକ ରାସ୍ତା କଡରେ ଛିଡା ହୋଇରହିଥିଲା। ତେବେ ଏଭଳି ଏକ ଜଟିଳ ସମୟକୁ ସଦୁପଯୋଗ କରିଛନ୍ତି ଥାଇଲାଣ୍ଡର ଟ୍ୟାକ୍ସିଚାଳକ। ସେମାନେ ଦୀର୍ଘଦିନ ଛିଡା ହୋଇ ରହିଥିବା ଟ୍ୟାକ୍ସିଗୁଡିକର ଛାତ ଉପରେ ଛୋଟ ଛୋଟ ପନିପରିବା ବଗିଚା ସୃଷ୍ଟି କରିଛନ୍ତି। ସେମାନେ କଳା ରଙ୍ଗର ପ୍ଲାଷ୍ଟିକ ଥଳିକୁ ବାଉଁଶର ଫ୍ରେମ ମଧ୍ୟରେ ରଖି ସେଥିରେ ମାଟି ଭର୍ତ୍ତି କରିଛନ୍ତି। ତାହାପରେ ସେଥିରେ ସେମାନେ ବିଲାତି ବାଇଗଣ, କାକୁଡି, ବିନ ଆଦି ପନିପରିବା ଲଗାଇଛନ୍ତି। ଟ୍ୟାକ୍ସିଗୁଡିକ ଏକତ୍ର ପାର୍କି କରାଯାଇଥିବାବେଳେ ଉପରୁ ତାହା ଟ୍ୟାକ୍ସି ପାର୍କିଂ ପରିବର୍ତ୍ତେ ଏକ ଛୋଟ ବଗିଚା ଭଳି ମନେହେଉଛି।
ସୂଚନାଯୋଗ୍ୟ ଯେ ବ୍ୟାଙ୍କକର ରାଚାପ୍ରୁକ ଏବଂ ବୋଭର୍ନ ଟାକ୍ସି ସମବାୟ ସଂସ୍ଥା ନିକଟରେ ସଂପ୍ରତି ୫୦୦ କାର ରହିଛି। ତାହାସହିତ ସହରର ଅନ୍ୟାନ୍ୟ ସ୍ଥାନରେ ଆଉ ପ୍ରାୟ ୨୫୦୦ କାର୍‍ ପାର୍କିଂ କରାଯାଇଛି। ତେବେ ଟ୍ୟାକ୍ସି ଡ୍ରାଇଭରମାନେ ଖୁସିରେ ସେମାନଙ୍କ କାର୍‍ ଉପରେ ଏଭଳି ବଗିଚା କରିନାହାନ୍ତି। ସେମାନେ କାମଧନ୍ଦା ହରାଇ ନିଃସ୍ୱ ହୋଇପଡିବା ସତ୍ୱେ ସେମାନଙ୍କୁ ସହାୟତା ନମିଳିବା ପ୍ରତିବାଦରେ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି। ତାହାସହିତ ଏଥିରେ ଯାହାକିଛି ପନିପରିବା ଫଳୁଛି ତାହା ସେମାନଙ୍କ ଘରେ ବ୍ୟବହାର ହେଉଛି। ଜଣାଯାଇଛି ଯେ ଅନେକ କାର ମାଲିକ ସେମାନଙ୍କ କାର ଋଣ ପରିଶୋଧ ମଧ୍ୟ କରିପାରୁନାହାନ୍ତି। ଥାଇଲାଣ୍ଡରେ ସଂପ୍ରତି ଦୈନିକ ସଂକ୍ରମଣ ହାର ପ୍ରାୟ ୧୫ହଜାର ରହିଛି।

Comments are closed.