ଫୋକସ୍‌ରେ ‘ସ୍କିଲଡ୍‌ ଇନ୍‌ ଓଡ଼ିଶା’ ବ୍ରାଣ୍ଡ୍‌ : ଦେଶର ଶ୍ରେଷ୍ଠ ଶହେ ଆଇଟିଆଇରେ ଆସନ୍ତାବର୍ଷ ରାଜ୍ୟରୁ ୨୦ ସାମିଲ ଲକ୍ଷ୍ୟ

ଏଥର ତାଲିକାରୁ ବାଦ୍‌ପଡିଲା କଟକ ଖପୁରିଆ ଆଇଟିଆଇ

ଭୁବନେଶ୍ବର: ଓଡ଼ିଶାର ଶିଳ୍ପ ପ୍ରଗତି ତଥା ଆର୍ଥିକ ବିକାଶ କ୍ଷେତ୍ରରେ ନୂଆ ମାଇଲ୍‌ଖୁଣ୍ଟ ପାଲଟିଛି ଆଇଟିଆଇ। ରାଜ୍ୟର ୧୧ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଭାରତରେ ଆଗୁଆ ଅନୁଷ୍ଠାନ ଭାବରେ ପରିଗଣିତ ହୋଇଛି। ଦେଶର ୧୦୦ଟି ଉନ୍ନତ ଶିଳ୍ପ ତାଲିମ ପ୍ରତିଷ୍ଠାନ ମଧ୍ୟରେ ଓଡ଼ିଶାର ୧୧ଟି ଅନୁଷ୍ଠାନ ତାଲିକାଭୁକ୍ତ ହେବା ରାଜ୍ୟ ପାଇଁ ଗୌରବର ବିଷୟ ପାଲଟିଛି। ଆଜିର ସମୟ ଦକ୍ଷତା ପ୍ରଦର୍ଶନର ସମୟ । ଦକ୍ଷତା, ଆଚାର ବ୍ୟବହାର, ଡିଜିଟାଲ ଏବଂ ସ୍ବାବଲମ୍ବନ‌େ‌ର ସମନ୍ବୟ ଯିଏ ଆଣିପାରିବ ତା’ଆଗରେ ସାରା ପୃଥିବୀ ମୁଣ୍ଡ ନୁଆଁଇବ । ଆଉ ସେହି ମଣିଷଟିର ଭବିଷ୍ୟତ ହିଁ ସୁରକ୍ଷିତ ରହିବ । ଜଣେ ଅଧାପନ୍ତରିଆ ଡାକ୍ତର କିମ୍ବା ଇଞ୍ଜିନିୟର ହେବା ଅପେକ୍ଷା ଜଣେ ଭଲ ଟେକ୍ନିସିଆନ୍‌ଙ୍କ ଭବିଷ୍ୟତ ନେଇ ଅଧିକ ସମ୍ଭାବନା ରହିଛି । ଆଜିର ଧରା, ଅନ୍‌ଲାଇନ୍‌ର ଧରା । ଯିଏ ଅନ୍‌ଲାଇନ୍‌କୁ ବଶ ମନାଇପାରିବ ସେ ହିଁ ହେବ ଆଗାମୀ ଦିନର ସ୍କିଲ୍‌ ସମ୍ରାଟ । ଓଡ଼ିଶାକୁ ଆଧୁନିକ ଦୁନିଆର ଦକ୍ଷତା‌‌ କ୍ଷେତ୍ରରେ ଦାଖଲ ଦେବାକୁ ହେବ ଏବଂ ‘ସ୍କିଲଡ୍‌ ଇନ୍‌ ଓଡ଼ିଶା’ ବୋଲି ଏକ ବ୍ରାଣ୍ଡ୍‌ ତିଆରି କରିବାକୁ ହେବ ବୋଲି ଓଡ଼ିଶା ଦକ୍ଷତା ବିକାଶ ପର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଛନ୍ତି ।

ଦେଶରେ ରହିଥିବା ୧୩,୩୪୮ଟି ଆଇଟିଆଇରେ ପ୍ରାୟ ୧୯ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢିଥାନ୍ତି । କେନ୍ଦ୍ର ସରକାର ଏହି ସମସ୍ତ ଆଇଟିଆଇର ରେଟିଂ କରି ଏଥିମଧ୍ୟରୁ ଶହେଟିକୁ ଚୟନ କରିଥାନ୍ତି । ଚଳିତଥର ସର୍ବଭାରତୀୟ ସ୍ତରର ଶ୍ରେଷ୍ଠ ଶହେ ଆଇଟିଆଇ ମଧ୍ୟରେ ଓଡ଼ିଶାରୁ ୧୧ଟି ଆଇଟିଆଇ ସ୍ଥାନ ପାଇଛି । ଦେଶର ଶ୍ରେଷ୍ଠ ୨୦ଟି ପ୍ରତିଷ୍ଠାନ ମଧ୍ୟରେ ଓଡ଼ିଶାର ୨ଟି ଏବଂ ୫୦ଟି ମଧ୍ୟରେ ୪ଟି ପ୍ରତିଷ୍ଠାନ ସ୍ଥାନ ପାଇଛନ୍ତି। ରାଜ୍ୟର ଶ୍ରେଷ୍ଠ ୧୧ ଆଇଟିଆଇ ମଧ୍ୟରୁ ୭ଟି ହେଉଛି ସରକାରୀ ଏବଂ ୪ଟି ‌ହେଉଛି ବେସରକାରୀ ଆଇଟିଆଇ । ଏହି ତାଲିକାରେ ଥିବା ରାଜ୍ୟର ସରକାରୀ ଆଇଟିଆଇ ମଧ୍ୟରେ ସରକାରୀ ଆଇଟିଆଇ ବ୍ରହ୍ମପୁର (ଏକାଦଶ), ହିଞ୍ଜିଳିକାଟୁ (ପଞ୍ଚଦଶ), ଯାଜପୁର(୨୪ତମ), ଝାରସୁଗୁଡା(୪୫ତମ), ପୁରୀ(୬୧ତମ), ମୟୂରଭଞ୍ଜର ତକତପୁର (୭୩ତମ) ଏବଂ ଭୁବ‌େ‌ନଶ୍ବର ଆଇଟିଆଇ (୮୮ତମ) ସ୍ଥାନରେ ରହିଥିବାବେଳେ ବେସରକାରୀ ଆଇଟିଆଇ ମଧ୍ୟରେ ଭଦ୍ରକର ଅଲମାଇଟି ଟେକ୍ନିକାଲ ଇନ୍‌ଷ୍ଟିଚ୍ୟୁଟ୍‌ (୫୨ତମ), ସୁନ୍ଦରଗଡ ଡାଲମିଆ (୬୪ତମ), କଟକ ଶ୍ରୀଗୁରୁ ଆଇଟିଆଇ(୬୫ତମ)ଏବଂ ଆଇଟିସି ଚରମ୍ପା ଭଦ୍ରକ (୬୬ତମ) ରହିଛି । ଏ ସମ୍ପର୍କରେ ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ, ଅନ୍ତତଃପକ୍ଷେ ଆଉ ୧୦ଟି ଆଇଟିଆଇ ଆମର ଶ୍ରେଷ୍ଠ ଦକ୍ଷତା ବିକାଶ ସଂସ୍ଥାମାନଙ୍କ ସମକକ୍ଷ । ଆସନ୍ତାବର୍ଷ ଏହି ତାଲିକାରେ ରାଜ୍ୟରୁ ଯେଭଳି ୨୦ ଆଇଟିଆଇ ଆସିପାରିବେ ସେ ‌ନେଇ ଆମକୁ ସ୍ଥାନ ସୁରକ୍ଷିତ କରିବାକୁ ହେବ । ଏହି ତାଲିକାରେ ରାଜ୍ୟର ୧୧ ଆଇଟିଆଇ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର ହୋଇଛି । ଏହା ଉପରେ ରାଜ୍ୟ ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ସଞ୍ଜୟ କୁମାର ସିଂ କହିଛନ୍ତି ଯେ, ଏହି ଗୌରବ ଆମ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ବାସକୁ ସୁଦୃଢ଼ କରିବା ସହିତ ରାଜ୍ୟର ଶିଳ୍ପ ପ୍ରଗତିର ପୃଷ୍ଠାରେ ସେମାନଙ୍କ ସଫଳତାକୁ ସ୍ବୀକାର କରିବ । ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ଅଧୀନସ୍ଥ ତାଲିମ ମହାନିର୍ଦ୍ଦେଶକ ପକ୍ଷରୁ ସାରା ଦେଶରେ ରହିଥିବା ଶିଳ୍ପ ତାଲିମ ଅନୁଷ୍ଠାନଗୁଡ଼ିକର ଗୁଣାତ୍ମକତା, ସ୍ଥିତାବସ୍ଥା ଓ ସଫଳତାକୁ ବିଚାର କରିବା ନିମନ୍ତେ ଗୋଟିଏ ଗ୍ରେଡିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏଥିରେ ଦେଶରେ ରହିଥିବା ଶିଳ୍ପ ସଂସ୍ଥାଗୁଡ଼ିକରେ କୁଶଳୀ , ସମର୍ଥ ଓ ତାଲିମ ପ୍ରାପ୍ତ ମାନବସମ୍ବଳର ପର୍ୟ୍ୟାପ୍ତ ଉପଯୋଗକୁ ଦୃଷ୍ଟିରେ ରଖି ଶିଳ୍ପ ତାଲିମ ପ୍ରତିଷ୍ଠାନର ଗୁଣାତ୍ମକ ଉତ୍କର୍ଷ ଉପରେ ମୂଲ୍ୟାୟନ କରିବା ନିମନ୍ତେ ନିକଟରେ ହୋଇଥିବା ଜାତୀୟସ୍ତରର ଗ୍ରେଡିଂ ବ୍ୟବସ୍ଥାରେ ଓଡ଼ିଶାର କୃତିତ୍ବ ବିଭିନ୍ନ ମହଲରେ ଖୁସିଆଣିଛି। ଏହାର ମୂଲ୍ୟାୟନ ପ୍ରକ୍ରିୟାରେ ସମ୍ପୃକ୍ତ ଶିଳ୍ପ ତାଲିମ ପ୍ରତିଷ୍ଠାନ, ସହଯୋଗୀ ଶିଳ୍ପ ସଂସ୍ଥା, ବିଭାଗ ଓ ଜାତୀୟ ସ୍ତରରେ ଗଠିତ କୋର କମିଟି ସଦସ୍ୟଙ୍କ ଦ୍ବାରା ପ୍ରଦତ୍ତ ପ୍ରଦତ୍ତ ତଥ୍ୟ ଓ ବିବରଣୀ ଆଧାରରେ ମୂଲ୍ୟାୟନ କରାଯାଇଥିଲେ। ଏଥିପାଇଁ ୫ଟି ସୋପାନରେ ୨୭ଟି ମାନକ ପ୍ରସ୍ତୁତ କରାଯାଇଥିଲା ଯାହାକୁ ବିଚାରକୁ ନେଇ ଫଳାଫଳ ପ୍ରକାଶ ପାଇଥିଲା। ଦ୍ବିତୀୟ ପର୍ୟ୍ୟାୟ ଗ୍ରେଡିଂ ନିମନ୍ତେ ସଂପୃକ୍ତ ଆଇଟିଆଇଗୁଡ଼ିକ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିଥିଲେ । ପରବର୍ତ୍ତୀ ପର୍ୟ୍ୟାୟରେ ତୃତୀୟ ପକ୍ଷ ମୂଲ୍ୟାୟନ ସଂସ୍ଥା ଆଇସିଆର୍ଏ ମ୍ୟାନେଜ୍‌ମେଣ୍ଟ କନ୍‌ସଲଟିଂ ସର୍ଭିସେସ୍‌ର ପ୍ରତିନିଧବୃନ୍ଦ ବିଭିନ୍ନ ତାଲିମ ପ୍ରତିଷ୍ଠାନ ପରିଦର୍ଶନ କରି ଆବଶ୍ୟକୀୟ ସମସ୍ତ ମାନଦଣ୍ଡଗୁଡ଼ିକ ଉପରେ ଯାଞ୍ଚ କରିଥିଲେ । ସମ୍ପୃକ୍ତ ଆଇଟିଆଇମାନଙ୍କୁ ଆନୁମାନିକ ଗ୍ରେଡିଂ ଫଳାଫଳ ବିଷୟରେ ଅବଗତ କରାଯାଇଥିଲା। ବର୍ତ୍ତମାନ ୧୧ଟି ସରକାରୀ ଓ ୩୨ଟି ବେସରକାରୀ ଆଇଟିଆଇର ଗ୍ରେଡିଂ ଫଳାଫଳକୁ ତାଲିମ ମହାନିର୍ଦ୍ଦେଶକ (ଭାରତ ସରକାର)ଙ୍କ କୋର କମିଟି ଅନୁମୋଦନ ଦେବାକୁ ଅପେକ୍ଷା ରହିଛି। କଟକ ସରକାରୀ ଆଇଟିଆଇ ଏହି ଅପେକ୍ଷାରେ ଅଛି।

Comments are closed.