ରାଜ୍ୟରେ ପ୍ରଥମ – ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ +୩ ଶାସ୍ତ୍ରୀ ଶେଷ ବର୍ଷ ପରୀକ୍ଷାଫଳ ପ୍ରକାଶିତ

- ଯୁକ୍ତ ଦୁଇ ଉପଶାସ୍ତ୍ରୀ ପରୀକ୍ଷା ଫଳ ମଧ୍ୟ ପ୍ରକାଶିତ

ପୁରୀ: ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ କରୋନା ଜନିତ କଟକଣା ଯୋଗୁ +୩ ଡିଗ୍ରୀ ପରୀକ୍ଷା ହୋଇନଥିବା ବେଳେ ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ +୩ ଶାସ୍ତ୍ରୀ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥି ସହିତ +୨ ଉପଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଧରଣୀଧର ରଣା କହିଛନ୍ତି। ଚଳିତ ଥର ବିଶ୍ୱବିଦ୍ୟାଳୟ ସଫଳତାର ସହ ପରୀକ୍ଷା ଆୟୋଜନ ସହ ମୂଲ୍ୟାୟନ ଶେଷ କରିବା ପରେ ପରୀକ୍ଷା ଫଳ ପ୍ରକାଶ କରିଛି।

ଚଳିତ ବର୍ଷ +୩ ଶାସ୍ତ୍ରୀ ଶେଷ ବର୍ଷ ପରୀକ୍ଷାରେ ମୋଟ ୪ ହଜାର ୪୧୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ ହଜାର ୩୮୯ ଜଣ ଉତ୍ତୀର୍ଣ ହୋଇଛନ୍ତି। ପାସ ହାର ୭୬.୭୪ ପ୍ରତିଶତ ରହିଛି। ସେହିପରି +୨ ଉପଶାସ୍ତ୍ରୀରେ ମୋଟ ୮ ହଜାର ୭୫୧ ଜଣ ପରୀକ୍ଷାର୍ଥୀଙ୍କ ୬ ହଜାର ୬୫୨ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ୧ ହଜାର ୫୮୩ ଜଣ, ଦ୍ଵିତୀୟ ଶ୍ରେଣୀରେ ୪ ହଜାର ୨୮୭ ଜଣ, ତୃତୀୟ ଶ୍ରେଣୀରେ ୭୫୦ ଜଣ ଓ କମ୍ପାର୍ଟମେଣ୍ଟାଲରେ ୩୨ ଜଣ ପାସ କରିଛନ୍ତି। ପାସ ହାର ୮୨.୮୮ ପ୍ରତିଶତ ରହିଛି।

ଚଳିତ ଥର ଶାସ୍ତ୍ରୀ ଶେଷ ବର୍ଷ ପରୀକ୍ଷାରେ ବିଭିନ୍ନ ସମ୍ମାନ ଶ୍ରେଣୀରେ ୧୦ ଜଣ ଟପର ହୋଇଛନ୍ତି। ଅଦ୍ୱେତ ବେଦାନ୍ତରେ ପୁରୀ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଛାତ୍ର ରାକେଶ ଶତପଥୀ, ଧର୍ମଶାସ୍ତ୍ରରେ କେନ୍ଦ୍ରାପଡା ଅନନ୍ତ ନାରାୟଣ ସଂସ୍କୃତ ମହାବିଦ୍ୟାଳୟର ବିଶ୍ୱଜିତ ସାମଲ, ସର୍ବଦର୍ଶନରେ ବାଲେଶ୍ୱର ଶ୍ୟାମ ସୁନ୍ଦର ସଂସ୍କୃତ ମହାବିଦ୍ୟାଳୟର ପ୍ରତିମା ଦତ୍ତ, ଜ୍ୟୋତିଷରେ ଗଂଜାମ ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ରାଜଲକ୍ଷ୍ମୀ ପତି, କର୍ମକାଣ୍ଡରେ ପୁରୀ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଫନି ଭୂଷଣ ମିଶ୍ର, ନ୍ୟାୟରେ ପୁରୀ ରଘୁନାଥ ସଂସ୍କୃତ ମହାବିଦ୍ୟାଳୟର ଶ୍ରୀନିବାସ ପ୍ରଧାନ, ପୁରାଣରେ ଗଂଜାମ ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ରଶ୍ମିତା ମଲ୍ଲିକ, ସାହିତ୍ୟରେ ବାଲେଶ୍ୱର ସୁକଦେଇ ସଂସ୍କୃତ ମହାବିଦ୍ୟାଳୟର ଶୁଚିସ୍ମିତା ପାଣିଗ୍ରାହୀ, ବେଦରେ ଦେଓଗଡ଼ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ସଜନ ରାଉଳ ଏବଂ ବ୍ୟାକରଣରେ ବାଲେଶ୍ୱର ଚିନ୍ତାମଣି ସଂସୃତ ମହାବିଦ୍ୟାଳୟର ରାଜଲକ୍ଷ୍ମୀ ଦାଶ ଟପର ହୋଇଛନ୍ତି।

ସେହିପରି ସମ୍ମାନ ବିଷୟରେ ଅଦ୍ୱେତ ବେଦାନ୍ତରେ ୬୪.୧୫ ପ୍ରତିଶତ, ଧର୍ମଶାସ୍ତ୍ରରେ ୮୧.୮୧, ସର୍ବଦର୍ଶନରେ ୮୧.୯୩, ଜ୍ୟୋତିଷରେ ୭୫.୦୦, କର୍ମକାଣ୍ଡରେ ୯୨.୮୫, ନ୍ୟାୟରେ ୮୨.୦୦, ପୁରାଣରେ ୧୦୦, ସାହିତ୍ୟରେ ୭୫.୭୭, ବେଦରେ ୮୧.୨୫ ଏବଂ ବ୍ୟାକରଣରେ ୭୭.୨୦ ପ୍ରତିଶତ ପରୀକ୍ଷା ଫଳ ହୋଇଥିବା ପରୀକ୍ଷା ନିୟନ୍ତ୍ରକ ଜଣାଇଛନ୍ତି। ପରୀକ୍ଷା ଫଳ ‘www.orissaresults.nic.in’ରେ ଉପଲବ୍ଧ ହେଉଥିବା ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

Comments are closed.