ଚୀନକୁ ଜବାବ ଦେବ ରାଫେଲ: ଜୁଲାଇ ୨୭ରେ ଫ୍ରାନ୍ସରୁ ଭାରତ ଆସିବ ୬ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଏହି ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ଧିରେ ଧିରେ ଉତ୍ତେଜନା ବୃଦ୍ଧି ପାଉଛି। ଏହି ବିବାଦ ମଧ୍ୟରେ ଭାରତ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଫ୍ରାନ୍ସରୁ ଜୁଲାଇ ୨୭ ରେ ଭାରତକୁ ଆସିବ ୬ ଟି ରାଫେଲ୍ ଯୁଦ୍ଧ ବିମାନ । ମେ ମାସରେ ଭାରତକୁ ୪ ଟି ରାଫେଲ ବିମାନ ଆସିବାର ଥିଲା । କିନ୍ତୁ ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ଯୋଗୁଁ ଏହା ଆସିବାରେ ବିଳମ୍ବ ହୋଇଥିଲା ।  ଫ୍ରାନ୍ସ ରୁ ଉଡାଣ ଭରିବା ପରେ ଜୁଲାଇ ୨୭ ରେ ହରିଆଣାର ଅମ୍ବଲା ଷ୍ଟେସନରେ ଲ୍ୟାଣ୍ଡ କରିବ ୬ ଟି ରାଫେଲ ଯୁଦ୍ଧ ବିମାନ। ପୂର୍ବରୁ ୪ ଟି ବିମାନ ଆସିବାର ଥିବା ହେଲେ ବର୍ତ୍ତମାନ ୬ ଟି ବିମାନ ଭାରତ ରେ ପହଞ୍ଚିବ ବୋଲି ଜଣାପଡିଛି । ଏହି ରାଫେଲ୍ ଜେଟ୍‌ ଗୁଡ଼ିକୁ ଦୁଇଟି ସ୍କ୍ବାଡର୍ଣ୍ଣରେ ବିଭକ୍ତ କରାଯିବ। ଗୋଟିଏ ସ୍କ୍ବାଡର୍ଣ୍ଣ ପଶ୍ଚିମ ସେକ୍ଟର୍ ଅମ୍ବାଲାରୁ ଏବଂ ଅନ୍ୟଟି ପଶ୍ଚିମବଙ୍ଗର ହାସିମାରାରୁ ଅଭିଯାନ ଚଳାଇବେ।

ଭାରତ-ଚୀନ ସୀମା ବିବାଦ ସମୟରେ ଭାରତକୁ ୬ ରାଫେଲ ଯୁଦ୍ଧ ବିମାନ ମିଳିବା ଖବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସୀମାରେ ଦୁଇ ଦେଶର ସେନା ପରସ୍ପର ସାମ୍ନାରେ ଅଛନ୍ତି । ଆଉ ଏହାରି ମଧ୍ୟରେ ରାଫେଲ ମିଳିବା ଫଳରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇବ ।

ଏହା ପୂର୍ବରୁ ଜୁନ୍ ମାସ ଆରମ୍ଭରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ଫ୍ରାନ୍ସର ପ୍ରତିପକ୍ଷ ଫ୍ଲୋରେନ୍ସ ପାର୍ଲେଙ୍କ ସହ ଟେଲିଫୋନିକ୍ ବାର୍ତ୍ତାଳାପ କରିଥିଲେ। ଏହି ସମୟ ମଧ୍ୟରେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ନିଶ୍ଚିତ କରିଥିଲେ ଯେ କରୋନା ଭାଇରସ ମହାମାରୀ ସତ୍ତ୍ୱେ ରାଫେଲ ବିମାନକୁ କାର୍ଯ୍ୟସୂଚୀ ଅନୁଯାୟୀ ଭାରତକୁ ପଠାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ଭାରତ ସରକାର ବାୟୁସେନାର ଜରୁରୀକାଳୀନ ଆବଶ୍ୟକତା ପୂରଣ କରିବା ପାଇଁ ୩୬ ଟି ରାଫେଲ ଯୁଦ୍ଧ ବିମାନ ପାଇଁ ସେପ୍ଟେମ୍ବର ୨୦୧୬ରେ ରେ ଫ୍ରାନ୍ସ ସହିତ ୬୦,୦୦୦ କୋଟିରୁ ଅଧିକ ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଥିଲେ। ଅକ୍ଟୋବର ୮ ରେ ଫ୍ରାନ୍ସର ଏୟାରବେସରେ ରାଜନାଥ ସିଂ ପ୍ରଥମ ରାଫାଲ ବିମାନ ଗ୍ରହଣ କରିବା ସହ ବିମାନରେ ଉଡାଣ ମଧ୍ୟ କରିଥିଲେ।

Comments are closed.