କରୋନା ସଂକ୍ରମଣ ଲାଗି କେନ୍ଦ୍ରକୁ ଦାୟୀ କଲା ଶିବସେନା: କହିଲା- ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରୁ ମାଡ଼ିଛି

ମୁମ୍ବାଇ: ଶିବସେନା-ବିଜେପି ମଧ୍ୟରେ ସମ୍ପର୍କ ଢ଼େର ଦିନରୁ ତିକ୍ତ ହୋଇ ସାରିଛି । ଏବେ ପରସ୍ପର ଆକ୍ଷେପ-ପ୍ରତିଆକ୍ଷେପରେ ମାତିଛନ୍ତି । ଏପରି ସ୍ଥିତିରେ ଶିବସେନା ନେତା ସଞ୍ଜୟ ରାଉତ ଦେଶର ମହାନଗରୀଗୁଡ଼ିକରେ କରୋନା ବ୍ୟାପିବା ନେଇ କେନ୍ଦ୍ର ସରକାର ଓ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମକୁ ଦାୟୀ କରିଛନ୍ତି । ଗୁଜରାଟରେ ଟ୍ରମ୍ପଙ୍କ ସ୍ବାଗତ କାର୍ଯ୍ୟକ୍ରମ ପରେ ମୁମ୍ବାଇ ଓ ଦିଲ୍ଲୀକୁ କରୋନା ସଂକ୍ରମିତ ହୋଇଛିବୋଲି ସେ କହିଛନ୍ତି । ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ୨୪ ଫେବ୍ରୁଆରୀରେ ଅହମ୍ମଦାବାଦରେ ଆୟୋଜିତ ହୋଇଥିଲା ଏବଂ ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ପରେ ଉଭୟ ମୋଦି ଓ ଟ୍ରମ୍ପ ମୋଟେରା କ୍ରିକେଟ ଷ୍ଟାଡ଼ିଅମରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧିତ କରିଥିଲେ ।

ଶିବସେନାର ମୁଖପତ୍ର ‘ସାମନା’ରେ ନିଜର ସାପ୍ତାହିକ ସ୍ତମ୍ଭରେ ସଞ୍ଜୟ ଲେଖିଛନ୍ତି ଯେ ଏହା ଅସ୍ବୀକାର କରାଯାଇ ପାରିବ ନାହିଁ ଯେ ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ସ୍ବାଗତ ନିମନ୍ତେ ଏକତ୍ରିତ ସମାରୋହ ଯୋଗୁଁ ଗୁଜରାଟରେ କରୋନା ବ୍ୟାପିଛି । ଟ୍ରମ୍ପଙ୍କ ସାଥୀରେ ଆସିଥିବା କିଛି ବ୍ୟକ୍ତି ମୁମ୍ବାଇ ଓ ଦିଲ୍ଲୀ ଯାଇଥିଲେ, ଯାହା ପାଇଁ ସେଠାରେ ମଧ୍ୟ କରୋନା ବ୍ୟାପିଥିଲା ।

ବିନା ଯୋଜନାରେ ଲକ୍ ଡ଼ାଉନ ଆଉ ଏବେ ରାଜ୍ୟ ଉପରେ ହଟାଇବା ଦାୟିତ୍ବ?

ସଞ୍ଜୟ ଏହା ମଧ୍ୟ ଲେଖିଛନ୍ତି ଯେ କେନ୍ଦ୍ର ସରକାର ବିନା କିଛି ଯୋଜନାରେ ଲକଡ଼ାଉନ ଘୋଷଣା କଲେ । ମାତ୍ର ଏବେ ଏହାକୁ ହଟାଇବାର ଦାୟିତ୍ବ ରାଜ୍ୟଗୁଡ଼ିକ ଉପରେ ଛାଡ଼ି ଦିଆଯାଇଛି । ଏହି ଅନିଶ୍ଚିତତା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ଅଧିକ ବଢ଼ିବ । ଏହି ଅରାଜକତା ସଙ୍କଟକୁ ବଢ଼ାଇବା ଦିଗରେ କାମ କରିବ । ଏହି ଅବସରରେ ସେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ପ୍ରଶଂସା କରିଛନ୍ତି । ରାହୁଳ ଲକ୍ଡ଼ାଉନ ବିଫଳ ହେବା ନେଇ ସଠିକ ବିଶ୍ଲେଷଣ କରିଥିଲେ ବୋଲି ସଞ୍ଜୟ ଲେଖିଛନ୍ତି ।

ସଞ୍ଜୟ କହିଛନ୍ତି ଯେ ଏହା ଆଶ୍ଚର୍ଯ୍ୟଜନକ ଯେ କରୋନା ସଂକ୍ରମଣର ବୃଦ୍ଧିନିମନ୍ତେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ନିମନ୍ତେ ଦାବି କରି ରାଜନୀତିକୁ ଗରମ କରିଛନ୍ତି । ଯଦି ରାଷ୍ଟ୍ରପତି ଶାସନ ଲଗାଇବା ପାଇଁ ସଂକ୍ରମଣ ରୋକିବାର ବିଫଳତାକୁ ଦାୟୀ କରାଯିବ ତେବେ ଅନ୍ୟ ୧୭ ରାଜ୍ୟରେ ମଧ୍ୟ ରାଷ୍ଟ୍ରପତି ଶାସନ ଜାରି ହେବା ଆବଶ୍ୟକ । ଏଥିରେ ବିଜେପି ଶାସିତ ରାଜ୍ୟ ମଧ୍ୟ ରହିଛି । ବାସ୍ତବିକତା ହେଉଛି କରୋନା ସଂକ୍ରମଣ ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ଏବଂ କେନ୍ଦ୍ର ନିକଟରେ ଏଥିପାଇଁ କିଛି ଯୋଜନା ନାହିଁ ।

ମହାରାଷ୍ଟ୍ର ସରକାର ଉପରେ କୌଣସି ବିପଦ ନାହିଁ 

ମହାରାଷ୍ଟ୍ର ସରକାର ଉପରେ କୌଣସି ବିପଦ ନାହିଁ ଓ ୩ ଦଳ ଏକତ୍ର ରହିବା ଏକ ବାଧ୍ୟବାଧକତା ବୋଲି କହିଛନ୍ତି ସଞ୍ଜୟ । ସେ କହିଛନ୍ତି ଯେ ବିଜେପିର ସମସ୍ତ ଉଦ୍ୟମ ସତ୍ତ୍ବେ ମହାରାଷ୍ଟ୍ର ବିକାଶ ଅଘାଡ଼ି ସରକାର ଉପରେ କୌଣସି ବିପଦ ନାହିଁ । ଏପରିକି କ୍ଷମତାସୀନ ଅଂଶୀଦାରଙ୍କ ମଧ୍ୟରେ ଆନ୍ତରିକ ସଂଘର୍ଷ ଥିଲେ ମଧ୍ୟ ସରକାର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଏହି ସରକାର ଅସ୍ତିତ୍ବ ବଞ୍ଚାଇ ରଖିବା ନିମନ୍ତେ ୩ ସହଯୋଗୀ ପାର୍ଟି ଶିବସେନା, ଏନସିପି ଓ କଂଗ୍ରେସ ଏକତ୍ର ରହିବାର ଆବଶ୍ୟକତା ଅଛି ବୋଲି ସଞ୍ଜୟ କହିଛନ୍ତି ।

Comments are closed.