ନିରାଡମ୍ବରରେ ଶେଷ ହେଲା ଶୀତଳଷଷ୍ଠୀ ଉତ୍ସବ : ଦେବ ଦମ୍ପତ୍ତିଙ୍କ ମନ୍ଦିର ପ୍ରବେଶ

ସମ୍ବଲପୁର : ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ମହାଦେବ ଓ ମାତା ପାର୍ବତୀଙ୍କ ଲୌକିକ ବିବାହ ଉତ୍ସବ ଶୀତଳଷଷ୍ଠୀର ଚଳିତ ବର୍ଷ ପାଇଁ ସରିଯାଇଛି। ସଂସ୍କୃତିର ସହର ସମ୍ବଲପୁର ଏହି ଲୌକିକ ବିବାହ ପାଇଁ ସବୁ ବର୍ଷ ଉତ୍ସବ ମୁଖର ରହୁଥିବା ବେଳେ ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ଯୋଗୁଁ ଏହା ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। କରୋନା ତାଲାବନ୍ଦ ଯୋଗୁଁ ଚଳିତ ବର୍ଷ ଏହି ଭବ୍ୟ ଓ ଦିବ୍ୟ ଦେବ ବିବାହ ଉତ୍ସବ କେବଳ ବିଧି ରକ୍ଷାରେ ସୀମିତ ହୋଇ ରହିଯାଇଥିଲା। ଏହି ଭବ୍ୟ ଧାର୍ମିକ ଉତ୍ସବକୁ ନିରାଡମ୍ବର ଭାବରେ କେବଳ ବିଧି ରକ୍ଷାରେ ସୀମିତ କରା ଯାଇଥିଲା। ଦିବ୍ୟ ଦେବ ବିବାହ ଓ ବିବାହ ପରେ ନବ ଦମ୍ପତିଙ୍କ ଦର୍ଶନ ଦ୍ୱାରା ବହୁ ପୁଣ୍ୟ ଅର୍ଜନର ମାନ୍ୟତା ଥିବାରୁ ଦେଶର ବିଭିନ୍ନ ସ୍ଥାନରୁ ଲୋକ ଧାଇଁ ଆସିଥାନ୍ତି। କିନ୍ତୁ ଚଳିତ ବର୍ଷ ମଧ୍ୟ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ ପାଇଁ ଶୀତଳଷଷ୍ଠୀ ସମୟରେ ତାଲାବନ୍ଦ ରହିଥିଲା। ଏଣୁ ଚଳିତ ବର୍ଷ ସ୍ୱଚକ୍ଷୁରେ ଦର୍ଶନ ସହିତ ଲୌକିକ ଦେବ ବିବାହରେ ଶ୍ରଦ୍ଧାଳୁ ମାନେ ସାମିଲ ହୋଇ ନ ପାରି ମନସ୍ତାପ କରି ରହିଛନ୍ତି।

ସର୍ବପୁରାତନ ନନ୍ଦପଡ଼ାର ବଂ ବଂ ବରାଡ ବାଲୁଙ୍କେଶ୍ୱରଙ୍କର ମାତା ପାର୍ବତୀଙ୍କର ସହିତ ବିବାହ ବୁଧବାର ବ୍ରହ୍ମମୁହୁର୍ତ୍ତରେ ସମ୍ପନ୍ନ ପରେ ସେହି ରାତ୍ରି ସାଢ଼େ ୧୦ଟା ସମୟରେ ନବ ଦମ୍ପତ୍ତିଙ୍କର ମହାଆଳତୀ ପରେ ଯୁଗଳ ଦର୍ଶନ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଜନତାଙ୍କ ବୃହତ୍ତର ସ୍ୱାସ୍ଥ୍ୟ ସୁରକ୍ଷା ଓ ସରକାରୀ କଟକଣା ଯୋଗୁଁ ଦେବ ବିବାହ ପରେ ନଗର ପରିକ୍ରମା ଶୋଭାଯାତ୍ରା ହୋଇ ନାହିଁ। ଏଣୁ ନବ ବିବାହିତ ଦେବ ଦମ୍ପତ୍ତି ବାଲୁଙ୍କେଶ୍ୱର ମଣ୍ଡପରେ କରାଯାଇଥିବା ଯୁଗଳ ଦର୍ଶନ ମଞ୍ଚ ରେ ରହି ଭକ୍ତ ମାନଙ୍କୁ ଯୁଗଳ ଦର୍ଶନ ଦେଇଥିଲେ। ବୁଧବାର ରାତ୍ରିରୁ ଆରମ୍ଭ ହୋଇଥିବା ଯୁଗଳ ଦର୍ଶନ କାର୍ଯ୍ୟକ୍ରମ ଗୁରୁବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ ସହିତ ତାଲାବନ୍ଦ ନିୟମର ପାଳନ ନିମନ୍ତେ ସୁବ୍ୟବସ୍ଥା ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ କରା ଯାଇଥିଲା। ଏଣୁ ସମସ୍ତ ବିଷୟକୁ ଧ୍ୟାନରେ ରଖାଯାଇ କମିଟି ତରଫରୁ ଯୁଗଳ ଦର୍ଶନ ପାଇଁ ଆସୁଥିବା ବ୍ୟକ୍ତି ମାନଙ୍କୁ ପୁର୍ଣ୍ଣ ଭାବରେ ସାନିଟାଇଜ କରିବା ପାଇଁ ଡାକବାଜି ଯନ୍ତ୍ର ଜରିଆରେ କରୋନା ସଚେତନତା, ହାତ ସଫା ପାଇଁ ସାନିଟାଇଜର ସହିତ ମାସ୍କ ପରିଧାନକୁ ଅନିବାର୍ଯ୍ୟ କରାଯାଇଥିଲା। ସାମାଜିକ ଦୂରତା ରକ୍ଷା କରାଯାଇ ସୀମିତ ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା। କମିଟିର ସାମାଜିକ ଦାୟିତ୍ୱ, ସରକାରୀ ନିୟମର ପାଳନ, ଜନତାଙ୍କ ସ୍ୱାସ୍ଥ୍ୟ ରକ୍ଷା ଓ ଧାର୍ମିକ ଭାବନାକୁ ଧ୍ୟାନରେ ରଖି ସମସ୍ତ ବ୍ୟବସ୍ଥାକୁ ସ୍ୱେଚ୍ଛାସେବୀ ସଦସ୍ୟ ମାନେ ସୁବ୍ୟବସ୍ଥିତ କରିଥିଲେ। ଅପରାହ୍ନ ସାଢ଼େ ୩ଟା ସମୟରେ ନବ ଦେବ ଦମ୍ପତିଙ୍କ ମଙ୍ଗଳ ଆଳତୀ ପରେ ଏହି ଦେବ ବିବାହ ଉତ୍ସବ ଚଳିତ ବର୍ଷ ପାଇଁ ଶେଷ ହୋଇଛି।

ମହାଆଳତୀ ପରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଓ ମାତା ପାର୍ବତୀ ଙ୍କର ସମସ୍ତ ସୁନା ଅଳଙ୍କାର ସହିତ ମେଢ଼ରୁ ଓହ୍ଲାଇ ପ୍ରାୟ ସାଢ଼େ ୬ଟା ସମୟରେ ମନ୍ଦିର ମଧ୍ୟକୁ ଭୁବନ ମୋହନ ମିଶ୍ର ଓ ତାଙ୍କର ଧର୍ମପତ୍ନୀ ସଞ୍ଜୁଲତା ମିଶ୍ର ନେଇ ଯାଇଥିଲେ। ସନ୍ଧ୍ୟା ୭ଟାରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଓ ମାତା ପାର୍ବତୀଙ୍କୁ ମହାସ୍ନାନ କରାଯାଇ ପିତ୍ତଳ ବାସନରେ ଦହି, ପଖାଳ, ଶାଗ ଦେଇ ଅନ୍ନଭୋଗ ଲାଗି ହୋଇଥିଲା। ଏହା ପରେ ସାଢ଼େ ୭ଟା ସମୟରେ ମନ୍ଦିରର ଗମ୍ଭୀରା ମଧ୍ୟକୁ ଦେବ ଦମ୍ପତ୍ତି ପ୍ରବେଶ କରିଥିଲେ ଏବଂ ପହଡ ପଡ଼ିଥିଲା। ଏହି ଧାର୍ମିକ ବିବାହ ଉତ୍ସବକୁ ଆୟୋଜନରେ ଅମୂଲ୍ୟ ମିଶ୍ର, ଫଣିଭୂଷଣ ମିଶ୍ର, ପ୍ରଫୁଲ୍ଲ ହୋତା, ସମୀର ରଞ୍ଜନ ବାବୁ, ଭୁବନ ମୋହନ ମିଶ୍ର, ପ୍ରଶାନ୍ତ ବରେଇ, ଶିବ ମିଶ୍ର, ସନ୍ତୋଷ ମିଶ୍ର, ମାନସ ରଥ, ସୁଶ୍ରିତ ମିଶ୍ର, ସନତ ନନ୍ଦ, ପ୍ରଭୁଦତ୍ତ ପଣ୍ଡା, ବାଲଗୋପାଳ ନନ୍ଦ, ଧବଳେଶ୍ୱର ହୋତା, ମନୋଜ ମହାପାତ୍ର, ବିରାଜ ମିଶ୍ର, ଆଶୁରୋଷ ମିଶ୍ର, ଅରୁଣ ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ସମସ୍ତ ଶୀତଳଷଷ୍ଠୀ ଉତ୍ସବ କମିଟି ମାନେ କେବଳ ସ୍ୱଳ୍ପ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ଧାର୍ମିକ ପରମ୍ପରାର ଧାରାକୁ ବଜାୟ ରଖି ଶୀତଳଷଷ୍ଠୀ ଉତ୍ସବକୁ ସମ୍ପନ୍ନ କରିଛନ୍ତି।

Comments are closed.