ଦେବ ବିବାହ ପାଇଁ ନିମନ୍ତ୍ରଣ ଦେଲେ ନୃସିଂହ ମହାପ୍ରଭୁ; ପାର୍ବତୀଙ୍କ ପିତ୍ରାଳୟରେ ବସିଲା ମଙ୍ଗଳ ହାଣ୍ଡି

ସମ୍ବଲପୁର : ସର୍ବପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟୀ ନନ୍ଦପଡ଼ାର ବମ୍‍ ବମ୍‍ ବରାଡ ବାଲୁଙ୍କେଶ୍ୱରଙ୍କର ପତ୍ରପେଣ୍ଡି ସହିତ ଶୁକ୍ରବାର ପଶ୍ଚିମ ଓଡ଼ିଶାର ସପ୍ତାହବ୍ୟାପି ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ସମ୍ପୁର୍ଣ୍ଣ ଲୋକାଚାର ନିତିରେ ପାଳିତ ହେଉଥିବା ଶୀତଳଷଷ୍ଠୀ ଉତ୍ସବର ଦ୍ୱିତୀୟ ଦିବସ ଶନିବାର ସାଧାରଣ ବିବାହ ପରି ଚଳିତ ବର୍ଷର କନ୍ୟା ପିତା ଗୋପାଳ ସାହୁ ଓ ମାତା ପ୍ରମିଳା ସାହୁ ସପରିବାର ଆସି ଦେବୀ ପାର୍ବତୀଙ୍କୁ ଶଙ୍ଖ, ହୁଳହୁଳି ଘଣ୍ଟ ବାଦ୍ୟର ଆସରରେ ତାଙ୍କର ବୈଦ୍ୟନାଥ ଛକ ସ୍ଥିତ ଘରକୁ ପାଛୋଟି ନେଇଥିଲେ। ମାତା ପାର୍ବତୀଙ୍କ ପିତ୍ରାଳୟରେ ମୁଗଜବାର ବନ୍ଦାଣ ଓ ମାଙ୍ଗଳିକ ଶ୍ରାଦ୍ଧ ରୀତି ସମ୍ପନ୍ନ କରାଯାଇଥିଲା। ଏହା ପରେ ବିବାହ ପାଇଁ ପାର୍ବତୀଙ୍କର ମାତାପିତାଙ୍କ ଘରେ ମଙ୍ଗଳ ହାଣ୍ଡି ସ୍ଥାପନ ହୋଇଥିଲା। ଏହା ସହିତ ଆନୁଷ୍ଠିକ ଭାବରେ କନ୍ୟାପକ୍ଷରୁ ଦେବପିତୃ ନିମନ୍ତ୍ରଣ ଓ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିବାର ଶୁଭାରମ୍ଭ କରାଯାଇଥିଲା। ସୁଚନାଯୋଗ୍ୟ ଯେ, ମହାଦେବଙ୍କର ପିତା ନ ଥିବାରୁ ତାଙ୍କର ମୁଗଜବାର ଓ ମଙ୍ଗଳ ହାଣ୍ଡି ରୀତି ପାଳନ କରା ନ ଯାଉଥିବା ବେଳେ ମାତା ପାର୍ବତୀ ଜନ୍ମ ନେଇଥିବାରୁ ତାଙ୍କର ପିତ୍ରାଳୟରେ ମୁଗଜବାର ଓ ମଙ୍ଗଳ ହାଣ୍ଡି ରୀତି ପାଳନ କରାଯାଇଥାଏ। ଏଣୁ ସାଧାରଣ ବିବାହ ନୀତି ଅନୁଯାୟୀ ମହିଳା ମାନଙ୍କ ଦ୍ୱାରା ଏହି ରୀତିନୀତି ପାଳନ କରାଯାଉଥିବାରୁ ଏହି ରୀତିକୁ ନନ୍ଦପଡ଼ାର ମହିଳାମାନେ ପାର୍ବତୀଙ୍କର ପିତ୍ରାଳୟରେ ତାଙ୍କର ମାତା ଓ ପାଖପଡ଼ିଶାର ମହିଳା ମାନଙ୍କର ସହିତ ମିଶି ପାଳନ କରିଥିଲେ। ତେବେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସମସ୍ତ ରୀତିନୀତିକୁ ଆଡମ୍ବର ସହକାରେ କରା ନ ଯାଇ ନିରାଡମ୍ବର ଭାବରେ କେବଳ ବିଧି ରକ୍ଷାରେ ସୀମିତ କରାଯାଇଛି। ମୁଗଜବାର ଓ ମଙ୍ଗଳ ହାଣ୍ଡି ରିତିନିତି ସମ୍ପନ୍ନ କରାଯିବା ପରେ ମାତା ପାର୍ବତୀ ପୁଣି ମନ୍ଦିରକୁ ଫେରି ଆସିଥିଲେ।

ଏହା ପରେ ଶନିବାର ସନ୍ଧ୍ୟାରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ପାଇଁ ବିଷ୍ଣୁଙ୍କର ଅବତାର ନୃସିଂହ ନିଉତା ନୀତି ସମ୍ପନ୍ନ କରାଯାଇଥିଲା। ସନ୍ଧ୍ୟାରେ ନୃସିଂହ ମହାପ୍ରଭୁ ପରମ୍ପରା ଅନୁଯାୟୀ ମନ୍ଦିରରେ ପଦ୍ମ ମୁଖ, କିରିଟ, ପଦ୍ମ ଫୁଲ, ମୁକୁଟ, ନାଗ, ଛତ୍ର ଆଦି ରୌପ୍ୟ ଅଳଙ୍କାର ଓ ସମ୍ବଲପୁରୀ ପାଟରେ ସାଜସଜ୍ଜା କରାଯାଇଥିଲା। ନୃସିଂହ ମହାପ୍ରଭୁଙ୍କ ସାଜସଜ୍ଜାରେ ସୁର୍ଯ୍ୟ ନନ୍ଦ, ଆଶୁତୋଷ ମିଶ୍ର, ଅନୁଭବ ମିଶ୍ର, ଲାଲ ଗୋପାଲ ନନ୍ଦ, ଅବିନାଶ ମିଶ୍ର, ଅରୁଣକାନ୍ତି ମିଶ୍ର, ମନୋଜ ମହାପାତ୍ର, ଚକ୍ରଧର ମିଶ୍ର ଓ ସନତ ନନ୍ଦ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବେଳେ ମହାପ୍ରଭୁଙ୍କ ବେଶଭୂଷଣ ପାଇଁ ୨ ଘଣ୍ଟା ସମୟ ଲାଗିଥିଲା। ବାଲୁଙ୍କେଶ୍ୱର ମନ୍ଦିର ରେ ପୁଜାର୍ଚ୍ଚନା ଓ ମହାଆଳତୀ ପରେ ପରିସରରେ ଥିବା ପଞ୍ଚବକ୍ର, ଦୁର୍ଗା ମନ୍ଦିର, ଭୈରବ ଙ୍କୁ ନୃସିଂହ ମହାପ୍ରଭୁ ପ୍ରଥମେ ନିଉତା ପ୍ରଦାନ କରି ଦେବ ବିବାହ ପାଇଁ ନିମନ୍ତ୍ରଣ କରିଥିଲେ। ବିଗତ ବର୍ଷ ଭଳି କରୋନା ସଙ୍କଟ ଲାଗି ରହିଥିବାରୁ ଚଳିତ ବର୍ଷ ମଧ୍ୟ ମନ୍ଦିର ମଧ୍ୟରେ ରହିଥିଲେ ଏବଂ ମନ୍ଦିରର ପୂଜକ, ବିବାହ ପୂଜକ ଓ ଦୁଇ ଜଣ ସହାୟକ ବଡ ସଡକ ଓ ସାନ ସଡକରେ ରହିଥିବା ନନ୍ଦପଡ଼ାର ବାରିହା ଓ କଂସଲେଇ ମନ୍ଦିର, ଝାଡୁଆପଡ଼ାର ବ୍ରହ୍ମପୁରା ଓ ଲୋକନାଥ ମନ୍ଦିର, ସତ୍ୟବାଦୀ ମନ୍ଦିର, ମଦନମୋହନ ମନ୍ଦିର, ପଟ୍ଟନାୟକପଡ଼ା ଲିଆଖାଇ ମନ୍ଦିର, ଦଲେଇପଡ଼ା ବାଟମଙ୍ଗଳା ମନ୍ଦିର, ଶକ୍ତି ଛକ ସ୍ଥିତ ଭୁବନେଶ୍ୱରୀ ମନ୍ଦିର, ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ମହାନ୍ତିପଡ଼ା ଦଧିବାବନ ମନ୍ଦିର ଗୁଡିକୁ ଯାଇ ଦେବାଦେବୀ ମାନଙ୍କୁ ଗୁଆ, ନଡିଆ ଓ ମିଠେଇ ଦେଇ ମହାଦେବ ଓ ପାର୍ବତୀଙ୍କର ଲୌକିକ ବିବାହ ପାଇଁ ନିଉତା ଦେଇ ବିବାହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି। ସେହିଭଳି ରବିବାର ପୁର୍ବାହ୍ନରେ ପ୍ରଚଳିତ ପରମ୍ପରାନୁଯାୟୀ ମାଁ ସମଲେଶ୍ୱରୀ ମନ୍ଦିର, ମାଁ ପାଟଣେଶ୍ୱରୀ ମନ୍ଦିର, ସୋମନାଥ ମନ୍ଦିର, ଜଗନ୍ନାଥ ମନ୍ଦିର ଏବଂ ଦୁର୍ଗାପାଲୀର ଦୁର୍ଗା ମନ୍ଦିରକୁ ଖିରି ପୁରୀ, ଗୁଆ, ନଡିଆ ଓ ମିଠେଇ ଦିଆଯାଇ ଦେବ ବିବାହ ପାଇଁ ନିମନ୍ତ୍ରଣ ଦିଆଯାଇ ନିମନ୍ତ୍ରଣ କରାଯିବ। କରୋନା ସଙ୍କଟକୁ ଧ୍ୟାନରେ ରଖି ପତ୍ରପେଣ୍ଡି ନିତି ଯେଭଳି ସୀମିତ ବ୍ୟକ୍ତି ଓ ନିରାଡମ୍ବର ଭାବରେ ପାଳନ କରାଯାଇଥିଲା, ସେହିଭଳି ନୃସିଂହ ନିୟୁତା ବିଧି ମଧ୍ୟ ପାଳନ କରାଯାଇଛି ବୋଲି କମିଟୀ ତରଫରୁ ସୂଚନା ପ୍ରଦାନ କରାଯାଇଛି।

Comments are closed.