ଶିଶୁଭବନକୁ ଉପେକ୍ଷା,ଝୁଲି ରହିଛି ଏନ୍ଆରସି ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର: ଶିଶୁଭବନକୁ ଉପେକ୍ଷା । ଓପିଡିରେ ସୀମିତ ରହିଛି ସେବା। ଉଭୟ ସ୍ୱାସ୍ଥ୍ୟବିଭାଗ ଏବଂ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ ଭୁଲିଯାଇଛନ୍ତି। ଶିଶୁଭବନ କ୍ୟାପିଟାଲ ହସ୍ପିଟାଲର ନିକଟରେ ଥିଲେ ହେଁ ଏହାକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ଉଠିଛି। ବହୁ ପୂର୍ବରୁ ଏଠାରେ ଶଯ୍ୟାର ବ୍ୟବସ୍ଥା ଥିବାବେଳେ ରୋଗୀଙ୍କୁ ଆଇପିଡି ସୁବିଧା ମିଳୁଥିଲା। ଏବେ ଶିଶୁଭବନକୁ ସ୍ୱାସ୍ଥ୍ୟ ଅଧିକାରୀ ଗୁରୁତ୍ୱ ଦେଉନାହାନ୍ତି। ଏଠାରେ ରୋଗୀଙ୍କ ତୁଳନାରେ କର୍ମଚାରୀଙ୍କ ଅଭାବ ରହିଛି। ଏହାବ୍ୟତୀତ ଉତ୍କର୍ଷ ପୁଷ୍ଟିସାଧନ କେନ୍ଦ୍ର ପାଇଁ ଯୋଜନା ହୋଇଥିବାବେଳେ ତାହା ଝୁଲି ରହିଛି। ରାଜଧାନୀରେ ଶିଶୁଭବନର ଏ ହେଉଛି ବାସ୍ତବ ଚିତ୍ର।
ଶିଶୁଭବନର ଫଳକ ଅମ୍ଫନରେ ଉଡ଼ି ଯାଇଥିବାବେଳେ ତାହା ଅଦ୍ୟାବଧି ମରାମତି ହୋଇପାରିନାହିଁ। ଡିସ୍ପେନସରୀ ଭାବେ ଶିଶୁଭବନର ଅଧିକ ଗୁରୁତ୍ୱ ରହିଛି। ପୂର୍ବ ଅପେକ୍ଷା ରୋଗୀ ସଂଖ୍ୟାରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। କ୍ୟାପିଟାଲ ହସ୍ପିଟାଲ ଅଧୀନରେ ଆସୁଛି ଶିଶୁଭବନ। ଇତିମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ଅନେକ ପରିବର୍ତ୍ତନ ହୋଇଥିବାବେଳେ ଶିଶୁ ଭବନକୁ ସ୍ବାସ୍ଥ୍ୟ ବିଭାଗ ଉପେକ୍ଷା କରୁଥିବା ଅଭିଯୋଗ ହୋଇଛି। ସକାଳ ୮ରୁ ଦିନ ୧୨ଟା ଏବଂ ଅପରାହ୍ଣ ୩ରୁ ୫ଟା ପର୍ଯ୍ୟନ୍ତ ଓପିଡି ଖୋଲା ରହୁଥିବା ବେଳେ ଦୈନିକ ୫୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। କରୋନା ସମୟରେ କିଛି ମାତ୍ରାରେ ରୋଗୀ କମିଥିଲେ ମାତ୍ର ପରେ ସ୍ୱାଭାବିକ ହୋଇଛି।
ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ଯେହେତୁ କ୍ୟାପିଟାଲ ହସ୍ପିଟାଲ ଶିଶୁଭବନରୁ ମାତ୍ର ୫୦୦ ମିଟର ଦୂରରେ ଅବସ୍ଥିତ, ତେଣୁ ଶିଶୁଭବନକୁ ସ୍ବାସ୍ଥ୍ୟବିଭାଗ ଦୃଷ୍ଟି ଦେଉନି। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି ଶିଶୁ ଭବନ ପାଇଁ କୌଣସି ସ୍ୱତନ୍ତ୍ର ଯୋଜନା ହୋଇନାହିଁ; ଖୁବ୍ଶୀଘ୍ର ପଦକ୍ଷେପ ନିଆଯାଇ ଏହାକୁ ପରିବର୍ତ୍ତନ କରାଯିବ।