ବୌଦ୍ଧଜିଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧ ଜିଲାରେ ଗୋଟିଏ ଦିନ ଓ ସମାନ ସମୟରେ ଜିଲା, ବ୍ଲକ ଓ ଗ୍ରାମ ପଂଚାୟତ ସ୍ତରରେ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶିଶୁ ସୁରକ୍ଷା କମିଟିର ବୈଠକ, କିଶୋର/କିଶୋରୀ ଦକ୍ଷତା ବୃଦ୍ଧି ଓ ବାଲ୍ୟବିବାହ ନିଷେଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିଷେଧ ଟାସ୍କ ଫୋର୍ସ ଓ ଚାଇଲ୍ଡ ଲାଇନ ପରାମର୍ଶ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାସ୍ତରୀୟ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷ, ବୌଦ୍ଧ ଠାରେ ଅନୁଷ୍ଠିତ ହୋଇଅଛି । ଜିଲାକୁ ବାଲ୍ୟବିବାହ ଓ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବାକୁ ଜିଲାପାଳ ଶ୍ରୀମିଶ୍ର ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲାର ସମସ୍ତ ପୋଲିସ କାର୍ଯ୍ୟାଳୟକୁ ଶିଶୁ କୈନ୍ଦ୍ରିକ କରିବାପାଇଁ ପଦକ୍ଷେପ ନେବାକୁ ମତପ୍ରକାଶ କରିଥିଲେ। ବୈଷୟିକ ତଥା ଧନ୍ଦାମୂଳକ ଶିକ୍ଷାରେ ଶିକ୍ଷା ଗ୍ରହଣ କରିବା ପାଇଁ କିଶୋର କିଶୋରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଜିଲା ସ୍ତରିୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲାପରିଷଦ ଅଧ୍ୟକ୍ଷା ଜ୍ୟୋସ୍ନା ଭୋଇ ଯୋଗଦେଇ ଶିଶୁ ମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ଶିଶୁଙ୍କ ଶିକ୍ଷା , ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଶିଶୁ ସୁରକ୍ଷା ସୁନିଶ୍ଚିତ କରିବାପାଇଁ ପରାମର୍ଶ ଦେଇଥିଲେ। କିଶୋର/କିଶୋରୀମାନେ ସଚେତନ ହୋଇ ସାହାସର ସହ ବାଲ୍ୟବିବାହକୁ ବିରୋଧ କଲେ ଜିଲାରେ ବାଲ୍ୟବିବାହ ପ୍ରଥାକୁ ସମ୍ପୁର୍ଣ୍ଣ ବନ୍ଦ କରିହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ତଥା ପ୍ରଶିକ୍ଷକ ଭାବରେ ଏକ୍ସନଏଡ ଭବନେଶ୍ୱର ର ଘାଶିରାମ ପଣ୍ଡା ଯୋଗଦେଇ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ବାଲ୍ୟବିବାହର କୁପରିଣତି , ଆଇନଗତ ଦିଗ ଓ ଏହାକୁ ରୋକିବା ପାଇଁ କଣ ନୂତନ ପଦକ୍ଷେପ ନେବା ଆବଶ୍ୟକ ଏ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିି ଭାବେ ବୌଦ୍ଧ ଜିଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି ଯୋଗଦେଇ ବାଲ୍ୟବିବାହ ଓ ଅନ୍ୟାନ୍ୟ ଶିଶୁ ସୁରକ୍ଷା ପ୍ରସଙ୍ଗରେ ପୋଲିସର ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥିି ଭାବେ ଅତିରିକ୍ତ ଜିଲାପାଳ ଅଶ୍ୱିନୀ କୁମାର ମେହେର ଯୋଗଦେଇ ଜିଲାରେ ବାଲ୍ୟବିବାହ କୁ ରୋକିବାପାଇଁ ହେଲେ ବ୍ୟାପକ ସଚେତନତା କରିବା ସହିତ ଏହାଦ୍ୱାରା ଶିକାର ଶିଶୁଙ୍କୁ ଜୀବନ କୌଶଳ ଶିକ୍ଷାରେ ସାମିଲ କରିବାପାଇଁ କହିଥିଲେ। ଚାଇଲ୍ଡ ଲାଇନ ପରିଚାଳିକା ବବିନା ଦାଶ ଯୋଗଦେଇ ଚାଇଲ୍ଡ ଲାଇନ ର କାର୍ଯ୍ୟକଳାପ ଓ ବାର୍ଷିକ ଯୋଜନା ସମ୍ବନ୍ଧରେ ଉପସ୍ଥାପନା କରିଥିଲେ। ଚାଇଲ୍ଡ ଲାଇନ ପାଇଁ କର୍ମଚାରୀ, ସ୍ୱତନ୍ତ୍ର ଗୃହ ର ଆବଶ୍ୟକତା ରହିଥିବା କହିଥିଲେ। ଶ୍ରମ ଅଧିକାରୀ ଶ୍ରୀ ପ୍ରଧାନ ଯୋଗଦେଇ ଶିଶୁ ଶ୍ରମିକ ରୋକିବା ପାଇଁ ବାର୍ଷିକ ଯୋଜନା ଉପସ୍ଥାପନା କରିବା ସହ ବାହାର ରାଜ୍ୟକୁ କାମ ପାଇଁ ଯାଉଥିବା ଶ୍ରମିକଙ୍କ ପିଲାମାନଙ୍କ ପାଇଁ କଂଟାମାଳ ଠାରେ ଏକ ଛାତ୍ରାବାସର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ। ଆଶୀର୍ବାଦ ଯୋଜନାରେ ବର୍ତମାନ ପଯ୍ୟନ୍ତ ଜିଲାରେ ୬୭୪ ଜଣ ଶିଶୁଙ୍କୁ ପ୍ରାଥମିକ ଭାବେ ଚିହ୍ନଟ କରାଯାଇଛି ଓ ପ୍ରଥମ ପର୍ଯ୍ୟାୟରେ ୩୦୨ ଓ ଦ୍ୱିତିୟ ପର୍ଯ୍ୟାୟରେ୨୨୪ ଜଣ ହିତାଧିକାରୀଙ୍କୁ ସହାୟତା ଅନୁମୋଦନ ହୋଇଥିବା ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ସୂଚନା ଦେଇଥିଲେ ଓ ଜଦି କେହି ଆବେଦନ କରିନାହାନ୍ତି, ତେବେ ଜିଲା ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟରେ ଆବେଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜିଲା ଶିକ୍ଷା ଅଧିକାରୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ, ସି.ଡି.ପି.ଓ ବୌଦ୍ଧ ଓ ହରଭଙ୍ଗା, ସ୍ୱେଚ୍ଛାସେବି ଅନୁଷ୍ଠାନ ୱ.ସି.ଡିଏ, ଏଲ.କେ.ବି.କେ ଏବଂ ରେଆର ର ସମ୍ପାଦକ ଓ କର୍ମଚାରୀ ଉପସ୍ଥିତ ଥିଲେ।ଶିଶୁଟିଏ କୌଣସି ପରିସ୍ଥିତିରେ ଅସୁରକ୍ଷିତ ମଣିଲେ ଓ ଅସୁବିଧାରେ ଦେଖିଲେ ତୁରନ୍ତ ବିଭାଗିୟ ଅଧିକାରୀଙ୍କୁ ତଥା ଲୋକାଲ ପୋଲିସ୍, ଚାଇଲ୍ଡ ଲାଇନ-୧୦୯୮ କିମ୍ବା ଶିଶୁ ସୁରକ୍ଷା ୟୁନିଟ୍ କୁ ତୁରନ୍ତ ସୁଚନା ଦେବାପାଇଁ ମତପ୍ରକାଶ ପାଇଥିଲା। ଶିଶୁଙ୍କ ପାଇଁ ଦିନଟିଏ ଏହି ଅବସରରେ ବୌଦ୍ଧ ଜିଲାର ଉଭୟ ପିତାମାତା,ପିତା କିମ୍ବା ମାତା ହରାଇ ଥିବା ୨୮୦ ଜଣ ଶିଶୁ ଙ୍କୁ ଆର୍ଶିବାଦ ଯୋଜନାରେ ପରିଚୟ ପତ୍ର ଓ ସହାୟତା ପଂଚାୟତ ସ୍ତରରେ ସ୍ଥାନିୟ ସରପଂଚ ମାନଙ୍କ ଦ୍ୱାରା ଶିଶୁ ମାନଙ୍କୁ ପ୍ରଦାନ କରାଯାଇଥିଲା। ଜିଲା ସ୍ତରୀୟକାର୍ଯ୍ୟକ୍ରମ ପରିଚାଳନାରେ ଜିଲା ଶିଶୁ ସୁରକ୍ଷା ୟୁନିଟର ଚିତ୍ରସେନ ସାହୁ, ସତ୍ୟନାରାୟଣ ନାଏକ ସହଯୋଗ କରିଥିବାବେଳେ ଜିଲା ସମାଜମଙ୍ଗଳ ଅଧିକାରୀ ଧନ୍ୟବାଦ ଦେଇଥିଲେ।

Comments are closed.