ପଦାର୍ପଣ ଟେଷ୍ଟରେ ଭାବବିହ୍ବଳ ହେଲେ ସିରାଜ୍‌; ପୂରଣକଲେ ବାପାଙ୍କ ସ୍ବପ୍ନ

ମେଲବୋର୍ଣ୍ଣ : ପ୍ରତ୍ୟେକ କ୍ରିକେଟ ଖେଳାଳି ଦିନେ ନା ଦିନେ ଦେଶ ପାଇଁ ଖେଳିବା ନେଇ ସ୍ବପ୍ନ ଦେଖିଥାନ୍ତି। ଏହା ପୂରଣ ହେବା ବହୁତ ଖୁସି ଦେଇଥାଏ। ହେଲେ ହାଇଦ୍ରାବାଦ୍‌ର ୨୬ ବର୍ଷ ବୟସ୍କ ଦ୍ରୁତ ବୋଲର ସିରାଜ୍‌ଙ୍କ କ୍ଷେତ୍ରରେ ତାହା ହୋଇନାହିଁ। ଶନିବାର ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ପଦାର୍ପଣ କରିଥିବା ସିରାଜ୍‌ ଭାବବିହ୍ବଳ ହୋଇପଡ଼ିଥିଲେ। ନିଜ ବାପାଙ୍କ ସହ ସିରାଜ ଭାରତ ପାଇଁ ଖେଳିବାକୁ ସ୍ବପ୍ନ ଦେଖିଥିଲେ। ପୁଅଏହି ସ୍ବପ୍ନ ପୂରଣ ହେବା ବେଳକୁ ବାପା ନାହାନ୍ତି। ବାପାଙ୍କ ସ୍ବପ୍ନକୁ ପୂରଣ କରିଥିବା ସିରାଜ୍‌ ଖୁସି ବଦଳରେ ଭାବବିହ୍ବଳ ହୋଇପଡ଼ିଥିବାର ଦେଖିବାକୁ ମିଳିଥିଲା। ସିରାଜ୍‌ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆରେ ପହଞ୍ଚିବାର କିଛି ଦିନ ପରେ ବାପାଙ୍କ ନିଧନ ହୋଇଥିଲା। କରୋନା ମହାମାରୀ ନିୟମ କାରଣରୁ ସିରାଜ୍‌ ଭାରତ ଫେରିବା ଅସମ୍ଭବ ହୋଇପଡ଼ିଥିଲା। ଫଳରେ ସେ ବାପାଙ୍କୁ କାନ୍ଧ​‌େ​‌ର ନେଇପାରିନଥିଲେ। ସିରାଜଙ୍କ ପିତା ଗୌସଙ୍କ ୫୩ ବର୍ଷ ବୟସରେ ହାଇଦରାବାଦ୍‌ରେ ଦେହାନ୍ତ ହୋଇଥିଲା। ବିସିସିଆଇ ଭାରତ ଫେରିବାକୁ ସିରାଜ୍‌ଙ୍କୁ ବିକଳ୍ପ ଦେଇଥିଲା। ହେଲେ ସେ ଅଷ୍ଟ୍ରେଲିଆରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏଭଳି ସମୟରେ ଅଧିନାୟକ ବିରାଟ କୋହଲି ସାନ୍ତ୍ବନା ଦେଇ ମଜବୁତ୍ ହେବାକୁ କହିଥିଲେ। ତୁମେ ଭାରତ ପାଇଁ ଖେଳ ବୋଲି ବାପା ଚାହୁଁଥିଲେ। ତାହା ହିଁ କର ବୋଲି ବିରାଟ ପରାମର୍ଶ ଦେଇଥିଲେ। ସିରାଜ୍‌ ବକ୍ସିଂ ଡେ ଟେଷ୍ଟରେ ପ୍ରଥମ ଇନିଂସରେ ଚମତ୍କାର ବୋଲିଂ କରି ୨ଟି ୱିକେଟ ହାସଲ କରିଛନ୍ତି। ସବୁଠାରୁ ବଡ କଥା ହେଉଛି ଟେଷ୍ଟ କ୍ୟାରିୟରର ପ୍ରଥମ ୱିକେଟ ଅଷ୍ଟ୍ରେଲିଆର ପ୍ରମୁଖ ଖେଳାଳି ମାର୍କୋସ ଲାବୁସାନେଙ୍କୁ ଶିକାର କରିଥିଲେ। ଏକଦା ଚତୁର୍ଥ ୱିକେଟ ଯୋଡ଼ିରେ ଲାବୁସାନେ ଓ ହେଡ୍‌ ଭାଗିଦାରୀ ଜମି ଆସୁଥିବାବେଳେ ସିରାଜ୍‌ ଲାବୁସାନେଙ୍କ ୱିକେଟ ନେବାରେ ସକ୍ଷମ ହୋଇଥିଲେ। ସୂଚନାଯୋଗ୍ୟ ପ୍ରଥମ ଟେଷ୍ଟ ମ୍ୟାଚରେ ଫାଷ୍ଟ ବୋଲର ମହମ୍ମଦ ସାମି ଆହତ ହେବା କାରଣରୁ ଦ୍ବିତୀୟ ଟେଷ୍ଟରେ ସିରାଜ୍‌ଙ୍କୁ ସୁଯୋଗ ମିଳିଛି।

Comments are closed.