କରୋନା କାଳରେ ସନ୍ତାନ ପ୍ରସବ କରିଥିବା ଦମ୍ପତିଙ୍କୁ ଏହି ଦେଶ ସରକାର ଦେବେ ଲକ୍ଷେ ଟଙ୍କା

କରୋନା କାଳରେ ସନ୍ତାନ ଜନ୍ମ ଦେଇଥିବା ଦମ୍ପତିଙ୍କ ପାଇଁ ଖୁସି ଖବର । ସରକାର ସେମାନଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ମାତ୍ର ଭାରତ ସରକାର ନୁହନ୍ତି, ସିଙ୍ଗାପୁର ସରକାର ଏହି ଘୋଷଣା କରିଛନ୍ତି । ଦେଶର ଉପ ପ୍ରଧାନମନ୍ତ୍ରୀ ହେଙ୍ଗ ସ୍ବି କିଟ୍ କହିଛନ୍ତି ଯେ କରୋନା ଯୋଗୁଁ ଆର୍ଥିକ ସମସ୍ୟାରେ ସମ୍ମୁଖୀନ ହୋଇଥିବା ସେହି ଦମ୍ପତିମାନଙ୍କୁ ସରକାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ଯେଉଁମାନେ ଏହି ସମୟରେ ମା’-ବାପା ପାଲଟିଛନ୍ତି ।  ଆର୍ଥିକ ଚାପର ସମ୍ମୁଖୀନ ହେଉଥିବା ଲୋକଙ୍କୁ ଏହି ପ୍ରୋତ୍ସାହନ ରାଶି ସାହାଯ୍ୟ କରିବ ବୋଲି ସ୍ବି କିଟ୍ କହିଛନ୍ତି  । ସିଏନ୍ଏନ୍ ଅନୁଯାୟୀ  ସଂସଦରେ ସ୍ବି କିଟ୍ ଏ ସମ୍ପର୍କରେ ଘୋଷଣା କରିଛନ୍ତି ।

ସିଙ୍ଗାପୁରରେ ଗତ ବର୍ଷ ସମାନ ଅବଧି ତୁଳନାରେ ଦ୍ୱିତୀୟ ତ୍ରୟମାସିକରେ ଜିଡିପି ୧୨.୬୫ ହ୍ରାସ ପାଇଛି, ଦେଶରେ ଏହା ସବୁଠାରୁ ବଡ଼ ଆର୍ଥିକ ଅବନତି ବୋଲି କୁହାଯାଉଛି । ସେହିପରି ବିଶ୍ଵରେ ସର୍ବନିମ୍ନ ଜନ୍ମହାର ଥିବା ଦେଶଗୁଡ଼ିକ ମଧ୍ୟରେ ସିଙ୍ଗାପୁର ଗୋଟିଏ । ଜାତୀୟ ପରିସଂଖ୍ୟାନ ରେକର୍ଡ ଅନୁଯାୟୀ, ପ୍ରତି ମହିଳାଙ୍କ ଜନ୍ମ ହାର ୧.୧୪% ପ୍ରତିଶତ ଅଟେ। ଏହା ହଂକଂ ସହିତ ସମାନ |

କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ସିଙ୍ଗାପୁର ତୁଳନାତ୍ମକଭାବେ ଅନ୍ୟଦେଶଠାରୁ ସଫଳ ରହିଛି । ସିଙ୍ଗାପୁର ସରକାର ଆରମ୍ଭରୁ ସନ୍ଦିଗ୍ଧମାନଙ୍କୁ ଅଲଗା କରି ଦେଶକୁ କରୋନା ମହାମାରୀରୁ ରକ୍ଷା କରିବାରେ ଅନେକାଂଶରେ ସଫଳ ହୋଇଛି । ସଂକ୍ରମଣର ମାତ୍ରା ବଢ଼ିବା ପରେ ସିଙ୍ଗାପୁରରେ ଲକ୍-ଡାଉନ୍ ସମେତ ଅନେକ କଠୋର ପ୍ରତିବନ୍ଧକ ପରିଲକ୍ଷିତ ହୋଇଥିଲା। ଯାହା  ଫଳରେ ଦେଶରେ କରୋନା ନିୟନ୍ତ୍ରଣ ହୋଇ ପାରିଥିଲା। ଏହି ଦେଶରେ କରୋନା ସଂକ୍ରମଣରେ ମାତ୍ର ୨୭ ଜଣଙ୍କ ମୃତ୍ୟୁ ଘଟିଥିବା  ସୂଚନା ମିଳିଛି ।

Comments are closed.