ସିଙ୍ଗାପୁର ଓପନ୍‍ : ମହିଳା ସିଙ୍ଗିଲ୍ସ ସେମିଫାଇନାଲରେ ସିନ୍ଧୁ

ସିଙ୍ଗାପୁର : ଭାରତର ପିଭି ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‌ସ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଅପରପକ୍ଷରେ ସାଇନା ନେହୱାଲ, କିଦାମ୍ବି ଶ୍ରୀକାନ୍ତ ଓ ସମୀର ବର୍ମାଙ୍କୁ କ୍ବାର୍ଟର ଫାଇନାଲରେ ନିରାଶ ହେବାକୁ ପଡିଛି। ମିକ୍ସଡ ଡବଲ୍‌ସରେ ମଧ୍ୟ ଭାରତୀୟ ଯୋଡି ପ୍ରଣବ ଚୋପ୍ରା ଓ ସିକ୍କି ରେଡ୍ଡି କ୍ବାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି।
ଶୁକ୍ରବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‌ସ କ୍ବାର୍ଟର ଫାଇନାଲରେ ୪ର୍ଥ ସିଡ୍‌ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୩, ୧୭-୨୧, ୨୧-୧୪ ଗେମରେ ଚୀନର କାଇ ୟାନ୍‌ୟାନ୍‌ଙ୍କୁ ପରାସ୍ତ କରିଛନ୍ତି। ବିଶ୍ବର ୬ ନମ୍ବର ଖେଳାଳି ସିନ୍ଧୁଙ୍କୁ ଏହି ମୁକାବିଲାରେ ୟାନ୍‌ୟାନ୍‌ କଡା ଟକ୍କର ଦେଇଥିଲେ। ପ୍ରଥମ ଗେମକୁ ସିନ୍ଧୁ ସହଜରେ ଜିତିବାପରେ ଦ୍ବିତୀୟ ଗେମରେ ୟାନ୍‌ୟାନ୍‌ ଏକଦା ୧୧-୬ ପଏଣ୍ଟରେ ଆଗୁଆ ରହିଥିଲେ। ସିନ୍ଧୁ ଏହି ବ୍ୟବଧାନ ୧୫-୧୬କୁ ହ୍ରାସ କରିଥିଲେ ସୁଦ୍ଧା ୟାନ୍‌ୟାନ୍‌ ଏହାକୁ ୨୧-୧୭ରେ ଜିତି ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ନିର୍ଣ୍ଣାୟକ ତୃତୀୟ ଗେମରେ ସିନ୍ଧୁ ଚମତ୍କାର ପ୍ରଦର୍ଶନ କରି ମଧ୍ୟାନ୍ତର ସୁଦ୍ଧା ୧୧-୫ରେ ଆଗୁଆ ରହିଥିଲେ। ୟାନ୍‌ୟାନ୍‌ ମ୍ୟାଚକୁ ଫେରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା ସିନ୍ଧୁ ଏହାକୁ ୨୧-୧୪ରେ ହାତେଇ ନେଇ ସେମିରେ ସ୍ଥାନ ପକ୍କା କରିଛନ୍ତି। ସେମିଫାଇନାଲରେ ସିନ୍ଧୁ ୨ୟ ସିଡ୍‌ ମାନ୍ୟତାପ୍ରାପ୍ତ ଜାପାନର ନୋଜୋମି ଓକୁହାରାଙ୍କୁ ଭେଟିବେ।
ଶୁକ୍ରବାର ମହିଳା ସିଙ୍ଗଲ୍‌ସର ଅନ୍ୟ ଏକ କ୍ବାର୍ଟର ଫାଇନାଲରେ ଓକୁହାରା ସିଧାସଳଖ ୨୧-୮, ୨୧-୧୩ ଗେମରେ ଭାରତର ସାଇନା ନେହୱାଲଙ୍କୁ ପରାସ୍ତ କରିଛନ୍ତି।
ଶୁକ୍ରବାର ପୁରୁଷ ସିଙ୍ଗଲ୍‌ସ କ୍ବାର୍ଟର ଫାଇନାଲରେ ବିଶ୍ବର ୧ ନମ୍ବର ଖେଳାଳି ତଥା ଟୁର୍ଣ୍ଣାମେଣ୍ଟର ଟପ୍‌ ସିଡ୍‌ ଜାପାନର କେନ୍‌ତୋ ମୋମୋତା ସଂଘର୍ଷପୂର୍ଣ୍ଣ ତିନିଟି ଗେମରେ (୨୧-୧୮, ୧୯-୨୧, ୨୧-୯) ୬ଷ୍ଠ ସିଡ୍‌ ଶ୍ରୀକାନ୍ତଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୧ ଘଣ୍ଟା ୭ ମିନିଟ ମଧ୍ୟରେ ଶେଷ ହୋଇଥିଲା। ଉଭୟ ଖେଳାଳି ଗୋଟିଏ ଲେଖାଏଁ ଗେମ ଜିତିବାପରେ ନିର୍ଣ୍ଣାୟକ ତୃତୀୟ ଗେମରେ ମୋମୋତା ଏକଦା ୫-୦ ପଏଣ୍ଟରେ ଆଗୁଆ ରହିଥିଲେ। ଶ୍ରୀକାନ୍ତ ଏହି ବ୍ୟବଧାନକୁ ହ୍ରାସ କରି ୭-୬ରେ ଆଗେଇ ଯାଇଥିଲେ ସୁଦ୍ଧା ଏହି ଧାରାକୁ ବଜାୟ ରଖିପାରିନଥିଲେ। ଫଳରେ ମୋମୋତା ଏହାକୁ ୨୧-୯ରେ ଜିତି ସେମିରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ କ୍ବାର୍ଟର ଫାଇନାଲରେ ଭାରତର ସମୀର ବର୍ମା ୨ୟ ସିଡ୍‌ ମାନ୍ୟତାପ୍ରାପ୍ତ ଚାଇନିଜ ତାଇପେର ଚୌ ତିଏନ ଚେନ୍‌ଙ୍କଠାରୁ ୧୦-୨୧, ୨୧-୧୫, ୧୫-୨୧ ଗେମରେ ହାରିଯାଇଛନ୍ତି। ମିକ୍ସଡ ଡବଲ୍‌ସରେ ଭାରତୀୟ ଯୋଡି ପ୍ରଣବ ଚୋପ୍ରା ଓ ସିକ୍କି ରେଡ୍ଡିଙ୍କୁ କ୍ବାର୍ଟର ଫାଇନାଲରୁ ବିଦାୟ ନେବାକୁ ପଡିଛି। ୩ୟ ସିଡ୍‌ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡ ଯୋଡି ଡେକାପୋଲ ପୌଭାରାନୁକ୍‌ରୋ ଓ ସାପ୍‌ସିରି ତାଇରାତ୍‌ତାନାଚାଇ ୨୧-୧୪, ୨୧-୧୬ ଗେମରେ ପ୍ରଣବ-ସିକ୍କିଙ୍କୁ ପରାସ୍ତ କରିଛନ୍ତି।

Comments are closed.