ଦୀପାବଳି ଅବସରରେ ‘ହୋଲି’ର ଶୁଭକାମନା ଜଣାଇ ପାକିସ୍ତାନର ସିନ୍ଧ ମୁଖ୍ୟମନ୍ତ୍ରୀ ଉପହାସିତ

ଲାହୋର: ଆଲୋକର ପର୍ବ ଦୀପାବଳି ପାଳନ ଅବସରରେ ପାକିସ୍ତାନର ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ‘ହୋଲି’ର ଶୁଭକାମନା ଜଣାଇ ଢେର ଉପହାସର ଶିକାର ହୋଇଛନ୍ତି । ସିନ୍ଧ ପ୍ରଦେଶରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହ ଅଭିନନ୍ଦନ ଜଣାଇବାକୁ ଚାହିଁଥିଲେ । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଯେ ତାହା ଦୀପାବଳି ନୁହେଁ, ହୋଲିର ଅଭିନନ୍ଦନ ଥିଲା । ଟ୍ୱିଟ କରାଯାଇଥିବା ଫଟୋରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ଇଂରାଜୀ ଭାଷାରେ ‘ହାପି ହୋଲି’ ଲେଖାଯାଇଥିବା, ତାଙ୍କ ପଛପଟେ ବିଭିନ୍ନ ରଙ୍ଗ ଦେଖାଯାଉଥିବା ଲକ୍ଷ୍ୟ କରାଯାଇଥିଲା । ତେବେ ଏସବୁ ସହିତ ଗଦା ଗଦା କୋଇଲା ଅଥବା ଲୁହାପଥର ଗୁଣ୍ଡ ସହିତ ଏକ ବିରାଟ କ୍ରେନ ମଧ୍ୟ ଉକ୍ତ ଫଟୋରେ ରହିଥିଲା । ଏହା ଅନେକଙ୍କ ପାଁଇ ବୁଝିବା କଷ୍ଟକର ହୋଇଥିଲା । ଏହାକୁ ନେଇ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମହଲରୁ ଉପହାସ କରାଯିବା ପରେ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହ ଉକ୍ତ ଟ୍ୱିଟକୁ ପ୍ରତ୍ୟାହାର କରିନେଇଥିଲେ ।

Comments are closed.