ଗୋଚର ଜମି ରାସ୍ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ

ସିମୁଳିଆ: ସ୍ୱାଧୀନତାର ୭୫ବର୍ଷ ବିତିଯାଇଥିଲେ ବି ଗ୍ରାମକୁ ରାସ୍ତାଟିଏ ନାହିଁ। ଏହି ସର୍ବସାଧାରଣ ରାସ୍ତାଟିଏ ପାଇଁ ବହୁ ନେତା, ଅଫିସର, କାର୍ୟ୍ୟାଳୟ ଦୌଡ଼ି ଦୌଡ଼ି ସବୁଆଡେ ନିରାଶ ହେବାକୁ ପଡ଼ିଲା। ଶେଷରେ ଜଣେ ସ୍ବେଚ୍ଛାସେବୀ ଓ ବର୍ତ୍ତମାନର ସମିତି ସଭ୍ୟ ଏହି ଗ୍ରାମକୁ ରାସ୍ତା ନିର୍ମାଣରେ ସାହାଯ୍ୟ କରିବା ପରେ ରାସ୍ତାକୁ ନେଇ ବିବାଦ ଦେଖା ଦେଇଛି।
ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଜାମ୍ମୁଝାଡୀ ପଞ୍ଚାୟତର କୁପୁରା ବଜାରରୁ-ଆଙ୍କିତିରା ଗ୍ରାମକୁ ଯିବା ଆସିବା ନିମନ୍ତେ ଏକ ଭଲ ରାସ୍ତା ନ ଥିଲା । ଗ୍ରାମବାସୀ ପ୍ରଶାସନଠୁଁ ରାଜନେତାଙ୍କ ପର୍ଯ୍ୟନ୍ତ ଗୁହାରୀ କରି ନିରାଶ ହୋଇଥିଲେ। ଏ ସଂକ୍ରାନ୍ତରେ ଗ୍ରାମବାସୀ ଗ୍ରାମକୁ ରାସ୍ତା ନିର୍ମାଣ କରିବା ନିମନ୍ତେ ସନାତନ ପଣ୍ଡା, ବ୍ରଜକିଶୋର ପଣ୍ଡା, ପ୍ରାଣବନ୍ଧୁ ମହାରଣା, କମଳା ପଣ୍ଡା,ଝରଣା ମହାରଣା,ମହେନ୍ଦ୍ର ମହାରଣା, ଖଗେନ୍ଦ୍ର ପ୍ରଧାନ, ବାବାଜୀ ସେଠୀ, ଡମ୍ବୁରୁ ପ୍ରଧାନ, କମଳାକାନ୍ତ ସାହୁ,ରାମ ପ୍ରଧାନ, ନରେନ୍ଦ୍ର ବାରିକ ଓ ତୁଳସୀ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ସ୍ବେଚ୍ଛାସେବୀ ସୁଶାନ୍ତ ନାୟକକୁ ଅବଗତ କରାଇଥିଲେ। ତା ନିକଟରୁ ଆର୍ଥିକ ସାହାଯ୍ୟ ପାଇ ଗ୍ରାମବାସୀ ସେହି ରାସ୍ତାକୁ ନିର୍ମାଣ କରି ଯିବା ଆସିବା କରୁଛନ୍ତି । ମାତ୍ର ସେହି ଗ୍ରାମର ରମେଶ ଚନ୍ଦ୍ର ସାହୁ, ଜୟକୃଷ୍ଣ ପଣ୍ଡା, ଓ ନୃସିଂହ ସାହୁ ସମେତ କିଛି ବ୍ୟକ୍ତି ଏହି ରାସ୍ତା ଗୋଚର ଓ କାଡନାଲରେ ହୋଇଥିବା ନେଇ ତହସିଲଦାର ଓ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଗ୍ରାମର ଶତାଧିକ ଲୋକ ଏହି ଗ୍ରାମକୁ ଯାତାୟାତ ରାସ୍ତା ନ ଥିବାରୁ ସ୍କୁଲ ଛାତ୍ର ଠାରୁ ଆରମ୍ଭ କରି ସାଧାରଣ ଲୋକ ମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ପ୍ରଶାସନ ପକ୍ଷରୁ ରାସ୍ତା ଯିବା ଆସିବାରେ ଅଙ୍କୁଶ ଲଗାଇଲେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

Comments are closed.