ବୃଦ୍ଧି ପାଉଛି ଶିମିଳିପାଳ ଅଭୟାରଣ୍ୟ କଳେବର

ଭୁବନେଶ୍ବର : ୨୨୦୦ ବର୍ଗ କିଲୋମିଟର୍ ଅଞ୍ଚଳରେ ପରିବ୍ୟାପ୍ତ ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ଦିନକୁ ଦିନ ଅଧିକ ରୁଦ୍ଧିମନ୍ତ ହେଉଛି। ବନ୍ୟଜନ୍ତୁ ଓ ଜଙ୍ଗଲ ଅଧିକ ପରିସ୍ଫୁଟିତ ହେବା ସହ ଏଠାକାର ସୁରକ୍ଷା ବ୍ୟବସ୍ଥା ଅଧିକ ଦକ୍ଷ କରିବା ଉପରେ ବନ ବିଭାଗ ଗୁରୁତ୍ବ ଦେଉଛି। ତେବେ ଏହି ବିଶ୍ବ ପ୍ରସିଦ୍ଧ ବ୍ୟାଘ୍ର ଅଭୟାରଣ୍ୟର ପରିପୂର୍ଣ୍ଣତା ହାସଲ ଦିଗରେ ବାଧକ ସାଜିଛି ପ୍ରତିବନ୍ଧିତ ଅଞ୍ଚଳ ଭିତରେ ଥିବା ଜନବସତି। ଏଠାରେ ଅଧିକ ସଂଖ୍ୟକ ବାଘ ଓ ହାତୀ କରିଡ଼ର ନିର୍ମାଣ ବେଶ୍ ପ୍ରଭାବିତ ହେଉଛି। ବିଶେଷକରି ବଫର୍ ଜୋନ୍ ମଧ୍ୟରେ ଥିବା ୩ଟି ଗ୍ରାମପଞ୍ଚାୟତରେ ବସବାସ କରୁଥିବା ୧୦ ହଜାର ଆଦିବାସୀଙ୍କ ସ୍ଥାନାନ୍ତରଣ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ବିଭାଗ ପାଇଁ ବଡ଼ ଆହ୍ବାନ ହୋଇଛି। ତେବେ ବ୍ୟାପକ ସଚେତନତା ସୃଷ୍ଟି ଜରିଆରେ ସ୍ବେଚ୍ଛାକୃତ ସ୍ଥାନାନ୍ତରଣ ପାଇଁ ପ୍ରୟାସ ଆରମ୍ଭ କରିଛି ବନ ବିଭାଗ।
ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ)ର ଗାଇଡ୍ଲାଇନ୍ ଅନୁସାରେ ବାଘ କରିଡର୍ର ସମ୍ପ୍ରସାରଣ କରାଯାଉ ଥିବା ବେଳେ ଏହାର ପରିସୀମା ବୃଦ୍ଧି ପାଉଛି। ଯଦ୍ଦ୍ବାରା ଅଭୟାରଣ୍ୟ ଭିତରେ ସୁରକ୍ଷିତ ବାଘ ପ୍ରଜନନ ସ୍ଥାନ ବାହାରି ପାରିବ। ସ୍ଥାନାନ୍ତରଣ ଅଞ୍ଚଳ ବୃଦ୍ଧି ଘଟୁଥିବା ବେଳେ ଗ୍ରାମବାସୀ ସ୍ଥାନାନ୍ତର ହୋଇ ସାରିଥିବା ଅଞ୍ଚଳରେ ବନ୍ୟଯନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବା ଲକ୍ଷ୍ୟରେ ଶିକାର ରୋକିବା ପାଇଁ ଏନ୍ଟିସିଏ ନିୟମ ଅନୁଯାୟୀ ସ୍ବତନ୍ତ୍ର କ୍ୟାମ୍ପ୍ ସ୍ଥାପନ କରାଯାଉଛି। ଆଭ୍ୟନ୍ତରୀଣ ଅଞ୍ଚଳ ଭିତରେ ଅଧିକ ମାନବସମ୍ବଳ ନିୟୋଜନ ସହିତ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି। ମିଳିଥିବା ସୂଚନା ଅନୁସାରେ ଇତିମଧ୍ୟରେ ବହୁ ସଂଖ୍ୟକ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଛି। ଗତ ଜାନୁଆରୀ ମାସରେ ଯଶିପୁର ବ୍ଲକ୍ ଅନ୍ତର୍ଗତ ଗ୍ରାମରୁ ପ୍ରାୟ ୧୦୦ ପରିବାରକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ନଥିବା ଗ୍ରାମବାସୀଙ୍କ ପାଇଁ ସରକାରଙ୍କ ଥଇଥାନ କାର୍ଯ୍ୟକ୍ରମ ଅଧୀନରେ ଆକର୍ଷଣୀୟ ପ୍ୟାକେଜ୍ ବ୍ୟବସ୍ଥା ରହିଛି। ଯେଉଁମାନେ ସ୍ବେଚ୍ଛାକୃତ ଭାବେ ସଂରକ୍ଷିତ ଅଭୟାରଣ୍ୟରୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଚାହଁିବେ ସେମାନଙ୍କ ପାଇଁ ପରିବାର ପିଛା ୧୦ ଲକ୍ଷ ଟଙ୍କା, ଚାଷ ଜମି, ବିଜୁ ପକ୍କା ଘର, ପିଲାଙ୍କ ଶିକ୍ଷା ବ୍ୟବସ୍ଥା ସହ ଆତ୍ମନିଯୁକ୍ତିର ସୁଯୋଗ ରହିଛି। ଏଥିସହ ଜଣେ ସ୍ଥାନାନ୍ତର ହେବାର ପ୍ରଥମ ତିନିମାସ ପର୍ଯ୍ୟନ୍ତ ସରକାର ସେମାନଙ୍କ ପାଇଁ ରହିବା ଓ ଖାଦ୍ୟ ବ୍ୟବସ୍ଥା କରୁଛନ୍ତି। ଏନେଇ ବନ ବିଭାଗ କର୍ମଚାରୀମାନେ ଗ୍ରାମବାସୀଙ୍କୁ ସଚେତନ କରି ସ୍ଥାନାନ୍ତର ପାଇଁ ସେମାନଙ୍କୁ ମନାଇବାକୁ ଉଦ୍ୟମ କରୁଛନ୍ତି। ଶିମିଳିପାଳ ଅଭୟାରଣ୍ୟର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ସତ୍ୟ ନାରାୟଣ ଦାସ କହିଛନ୍ତି, ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ଓ ଏନ୍ଟିସିଏ ମାର୍ଗଦର୍ଶିକା ଅନୁଯାୟୀ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଜନବସତି ରହିବା ଅନୁଚିତ। ଫଳରେ ଗତ ଏକ ଦଶନ୍ଧି ହେଲା ଅଭୟାରଣ୍ୟ ଭିତରୁ ଜନବସତି ସ୍ଥାନାନ୍ତର କରାଯାଉଛି। ସୁରକ୍ଷା ବ୍ୟବସ୍ଥା ଦକ୍ଷ ହେଉଥିବାରୁ ଶିକାର କମୁଛି ଓ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ବନ୍ୟଜନ୍ତୁଙ୍କ ଉପସ୍ଥିତି ଦୃଷ୍ଟିଗୋଚର ହେଉଛି। ବର୍ତ୍ତମାନ ଯେଉଁ କିଛି ପରିବାର କୋର୍ ଏରିଆ ଏବଂ ବଫର୍ ଜୋନ୍ ଭିତରେ ଅଛନ୍ତି ସେମାନଙ୍କୁ ସରକାରୀ ସହାୟତା ସମ୍ପର୍କରେ ଅବଗତ କରାଇବା ଜରୁରୀ। ଯଦ୍ଦ୍ବାରା ଶାନ୍ତିପୂର୍ଣ୍ଣ ଭାବେ ଏକ ବଡ଼ ସମସ୍ୟାର ସମାଧାନ ହୋଇପାରିବ। ଏହି ବିଶ୍ବପ୍ରସିଦ୍ଧ ଅଭୟାରଣ୍ୟର ସୁରକ୍ଷା ଏବେ ପ୍ରାଥମିକତା ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି।