ଗୁଣାତ୍ମକ ଶିକ୍ଷା ହିଁ ଉତ୍ତମ ମଣିଷ ତିଆରି କରେ : ବିଧାୟିକା

ପଞ୍ଚାୟତ ହାଇସ୍କୁଲ ଟୋପର ରୌପ୍ୟ ଜୟନ୍ତୀ ଉତ୍ସବ ଉଦଘାଟିତ

ରେଙ୍ଗାଲିକ୍ୟାମ୍ପ : ଶିକ୍ଷା ହେଉଛି ସମାଜର ମାନଦଣ୍ଡ, ଗୁଣାତ୍ମକ ଶିକ୍ଷା ଦ୍ଵାରା ସୁସ୍ଥ, ସଂସ୍କୃତି ସମ୍ପନ୍ନ ସମାଜର ଗଠନ ନେଇ ପରିକଳ୍ପନା କରାଯାଇପାରେ। ଗୁଣାତ୍ମକ ଶିକ୍ଷା ହିଁ ଉତ୍ତମ ପରିବେଶ, ଉତ୍ତମ ମଣିଷ ତିଆରି କରିଥାଏ। ଏଣୁ ଆମେ ସମସ୍ତେ ଏଥିପ୍ରତି ଯତ୍ନବାନ ହେବା ଉଚିତ୍ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ମହିଳା ସଭାନେତ୍ରୀ ତଥା ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବକ୍ତବ୍ୟ ପ୍ରଦାନ କରିଛନ୍ତି। ଶିକ୍ଷକ ମାନେ ରାଜନୀତିରେ ତଥା ଅନ୍ୟ କ୍ଷେତ୍ରରୁ ଦୂରେଇ ରହି  ଠିକ୍ ଭାବେ ନିଜର ଦାୟିତ୍ଵ ତୁଲାଇ ଛାତ୍ରଛାତ୍ରୀଙ୍କ କଥା ଶୁଣନ୍ତୁ ଓ ନିଜ ନିଜର କର୍ତ୍ତବ୍ୟକୁ ସୁଚାରୁ ରୁପେ ପାଳନ କରନ୍ତୁ ବୋଲି ମତବ୍ୟକ୍ତ କରିଛନ୍ତି । ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ହାଇସ୍କୁଲର ରୌପ୍ୟ ଜୟନ୍ତୀରେ କଳାପାଣି କଲେଜର ଅଧ୍ୟକ୍ଷ ମୋହନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ, ଜୋନ-୨ର ଜିଲ୍ଲା ପରିଷଦ ସଭ୍ୟ ରଣଜିତ୍ ସାହୁ, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ସହକାରୀ ପ୍ରଧାନ ଶିକ୍ଷକ ସୂଚେତା ମିଶ୍ର, ସରପଞ୍ଚ ଡୋଲେଶ୍ୱରି ବୁଡ଼ା, ସମିତି ସଭ୍ୟ ଓକିଲ ଭାତ୍ ପାହାର, ଗ୍ରାମର ମୁଖ୍ୟ ବୟୋଜ୍ୟେଷ୍ଠ କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ଆଲୁମୁନି କମିଟିର ସଭାପତି ତଥା ସ୍କୁଲର ପୂର୍ବତନ ଛାତ୍ର ଅଜିତ୍ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ରୌପ୍ୟ ଜୟନ୍ତୀରେ ସ୍କୁଲ ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦେବରାଜ ବେହେରା ବିବରଣୀ ପଠନ କରିଥିଲେ। କମିଟିର ସଂପାଦକ ଗୋବିନ୍ଦ ମେହେର ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ବାଗ ଦେବୀ ସରସ୍ଵତୀ, ଗଜାନନ ଓ ମାଁ ସମଲେଶ୍ଵରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ “ଶାଶ୍ଵତ ସ୍ମୃତି ” ସ୍ୱରଣିକା  ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ଏହା ପରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରି ସ୍କୁଲକୁ ଭୂମି ଦାନ ଦେଇଥିବା ସରୋଜିନୀ ଦେହେରି, ପୁଷ୍ପାଞ୍ଜଳି ପ୍ରଧାନ, ପୂର୍ବତନ ସ୍କୁଲ ପରିଚାଳନା କମିଟିର ସଭାପତି, ସଂପାଦକ ତଥା ସଭ୍ୟ-ସଭ୍ୟା ଆନୁସୁୟା ସେଠ, ଦିନମଣି ଗଡତୀୟା, ସେବାରାମ ମେହେର, ଶ୍ରଦ୍ଧାକର ମେହେର ଓ ଶରତ ପ୍ରଧାନ ପ୍ରମୁଖଙ୍କୁ ଟ୍ରଫି ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅଜିତ୍ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ ଯୋଗଦେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ଭଟଲି ବ୍ଲକ ଶିକ୍ଷା ଅଧିକାରୀ ସରୋଜ ମେହେର, ନୂଆପଡ଼ା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୁଧାଂଶୁ ମିଶ୍ର, ବିଡ଼ିଓ ପ୍ରମୋଦ ମେହେର, ବିକାଶ ସ୍କୁଲ ଅଧ୍ୟକ୍ଷ, ସ୍କୁଲ ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର ମେହେର ଓ ଆଲୁମୁନି କମିଟିର ସଭାପତି ଅଜିତ୍ ପ୍ରଧାନ ମଞ୍ଚାସୀନ ହୋଇ ନିଜ ନିଜର ମତ ରଖିଥିଲେ। ଏହାପରେ ଅମରେଶ ବାରିକ୍, ଅନୁସୁୟା ଦେବତା, ନିର୍ମଳ ପ୍ରଧାନ ଓ ଶିବ ମେହେରଙ୍କ ନିର୍ଦ୍ଦେଶନାରେ ୧୬ଗୋଟି ଦଳକୁ ନେଇ ନୃତ୍ୟ, ଗୀତ ଓ ଡ୍ରାମା ପରିବେଷଣରେ ମଞ୍ଚ ଦୁଲୁକି ଉଠିଥିଲା। ଏହି ଜୟନ୍ତୀକୁ ଆଲୁମୁୂନି କମିଟିର ପ୍ରତାପ ପ୍ରଧାନ, ମେକା ମାଲେଶୁ ରାଓ, ଗଣେଶ ବେହେରା, ସତେଶୁ ରାଓ, ବବ୍ରୁ କଠାର, ବିଜୟ ମହାପାତ୍ର, ନାରାୟଣ ମିହିର, ଜିତ୍ ଭାତ୍ ପାହାର, ଜୟ କୁମାର ମହାପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Comments are closed.