ପୂଜ୍ୟ ପ୍ରଣାମ; ଆଜି ଶ୍ରାଦ୍ଧବାର୍ଷିକ – “ସିକନ୍ଦର ଆଲାମ”

ନିଜ ଓଡ଼ିଆ ସଙ୍ଗୀତ ଜଗତରେ ଯେଉଁ କତିପୟ କଣ୍ଠଶିଳ୍ପୀ ଏକ କିମ୍ବଦନ୍ତୀୟ ଆସନର ଅଧିକାରୀ ହୋଇପାରିଛନ୍ତି ସେମାନଙ୍କ ମଧ୍ୟରେ ସିକନ୍ଦର ଆଲାମ ଅନ୍ୟତମ। ପାରମ୍ପରିକ ଓଡ଼ିଶୀ ସଙ୍ଗୀତ, ଯଥା ଜଗନ୍ନାଥ ଜଣାଣ, ଭଜନ, ଛାନ୍ଦ,ଚମ୍ପୂ, ଚଉପଦୀ ଆଦି ଗାନ କରିବାରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା। ସେ ମୁସଲମାନ ପରିବାରରେ ଜନ୍ମ ଗ୍ରହଣ କରିଥିଲ ହେଁ ଜଗନ୍ନାଥ ଭଜନ, ଜଣାଣ ଗାନ କରିବା ସହିତ ଯେଉଁପରି ଭାବେ ଶ୍ରୀଜଗନ୍ନାଥ ସମର୍ପିତ ଥିଲେ, ସେଥିପାଇଁ ଅନେକ ତାଙ୍କୁ ଆଧୁନିକ ଯୁଗର ସାଲବେଗ ଅଭିହିତ କରନ୍ତି। ୨୬ ଜୁଲାଇ ୧୯୩୯ରେ ସିକନ୍ଦରଙ୍କ ଜନ୍ମ। ସେ ୧୯୫୬ରେ ଆକାଶବାଣୀରେ ଗୀତ ଗାଇବା ଆରମ୍ଭ କରିଥିଲେ। ୧୯୬୪ରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ସଙ୍ଗୀତ ନିର୍ଦେଶନାରେ ‘ଲକ୍ଷ୍ମୀ’ ଚଳଚ୍ଚିତ୍ର ପାଇଁ ଗୀତ ଗାଇ ଓଡ଼ିଆ ସିନେ ଦୁନିଆରେ ପ୍ରବେଶ କରିଥିଲେ। ଏହି ଚଳଚ୍ଚିତ୍ରର ‘ଆରତି ସୁରେ ବାରେ’ ଗୀତ ଖୁବ୍‍ ଲୋକପ୍ରିୟ ହୋଇଥିଲା। ଏହା ପରେ ‘ଅମଡ଼ାବାଟ’, ‘ଅଦିନ ମେଘ’, ‘ମାଣିକ ଯୋଡ଼ି’, ‘ ମମତା’, ‘ସୂର୍ଯ୍ୟମୁଖୀ’, ‘ପୂଜା’ ଆଦି ଚଳଚ୍ଚିତ୍ରରେ ପେସାଦାର ଗାୟକ ଜୀବନରେ ସେ ସୁଇ ହଜାରରୁ ଅଧିକ ଗୀତ ଗାଇଛନ୍ତି। ପତ୍ନୀ ନାଇମା ଓ କନ୍ୟା ନାଜିଆ ଆଲାମ ମଧ୍ୟ ଗାୟିକା। ସିକନ୍ଦର ରାଜ୍ୟ କୃଷି ବିଭାଗରେ କାମ କରୁଥିଲେ। ରାଜ୍ୟ ସଙ୍ଗୀତ ଏକାଡେମୀର ଉପ-ସଭାପତି ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଫାଉଣ୍ଡେସନର ସଭାପତି ଭାବେ କାର୍ଯ୍ୟ କରିଥିଲେ। ୮ ଅଗଷ୍ଟ ୨୦୧୦ରେ ଏହି ମହାନ କଣ୍ଠଶିଳ୍ପୀଙ୍କ ପରଲୋକ ହୋଇଥିଲା।

Comments are closed.