ସିଫାରେ “ମଧୁରଜଳ ମୁକ୍ତାଚାଷ’ ସଂପର୍କିତ ଭର୍ଚୁଆଲ ପ୍ରଶିକ୍ଷଣ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପକ୍ଷରୁ କୃଷକମାନଙ୍କ ପାଇଁ “ମଧୁରଜଳ ମୁକ୍ତାଚାଷ’ ଶୀର୍ଷକ ଭର୍ଚୁଆଲ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ବିଶ୍ୱ କରୋନା ମହାମାରୀ ପରିପ୍ରେକ୍ଷୀରେ ସିଫା ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଉନ୍ନତମାନର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୃଷକମାନେ ଯୋଗଦେଇ ପାରୁନଥିବାରୁ ଏଭଳି ଅଭିନବ ଉପାୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ସୂଚନା ମିଳିଛି ।

ହାଇଦ୍ରାବାଦ ସ୍ଥିତ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ (ଏନ୍‍ଏଫ୍‍ଡିବି)ର ଅନୁଦାନରୁ ବିକଶିତ ହୋଇଥିବା ଡିଜିଟାଲ ଆଉଟରିଚ୍‍ ସେଣ୍ଟର ଓ ଷ୍ଟୁଡିଓ ସହାୟତାରେ ଦିଆଯାଉଥିବା ଏହି ପ୍ରଶିକ୍ଷଣ ଶିବିର ମୁକ୍ତାଚାଷୀ ଓ ଉଦ୍ୟୋଗୀମାନଙ୍କ ପାଇଁ ଯଥେଷ୍ଟ ଲାଭଦାୟକ ହେବ ବୋଲି ସୂଚନା ମିଳିଛି । ସିଫାରେ ମତ୍ସ୍ୟଚାଷ ସଂପର୍କିତ ଅନେକ ଗୁଡିଏ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଥିବା ବେଳେ “ମଧୁରଜଳ ମୁକ୍ତାଚାଷ’ ଏହି ସିରିଜ୍‍ର ପ୍ରଥମ ଭର୍ଚୁଆଲ ପ୍ରଶିକ୍ଷଣ ବୋଲି ସୂଚନା ମିଳିଛି ।

ଏନ୍‍ଏଫ୍‍ଡିବି ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ଼ଃ ସି. ସୁବର୍ଣ୍ଣା ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍‍ଘାଟନ କରି ପ୍ରଶିକ୍ଷଣ ଟିମ୍‍ର ଭୂୟସି ପ୍ରଶଂସା କରିବା ସହ ଶିବିରର ସଫଳତା କାମନା କରିଥିଲେ । ସିଫାର ନିର୍ଦ୍ଦେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ନିଜ ଅଭିଭାଷଣରେ କୃଷକମାନଙ୍କ ନିମନ୍ତେ ଡିଜିଟାଲ ଆଉଟ୍‍ରିଚ୍‍ କୌଶଳ ଅତ୍ୟଧିକ ପ୍ରଚଳନ କରି ଜଳକୃଷକ ଓ ସିଫା ମଧ୍ୟରେ ସୃଷ୍ଟି ହେଉଥିବା କରୋନା ଜନିତ ଯୋଗାଯୋଗର ଦୂରତ୍ୱକୁ ହଟାଇବା ପାଇଁ ମତ ରଖିଥିଲେ । ସିଫା ଜଳକୃଷି ଉତ୍ପାଦନ ଓ ପରିବେଶ ବିଭାଗ ମୁଖ୍ୟ ଡ଼ଃ ବି.ଆର୍‍ ପିଲାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମଗ୍ର ଦେଶରୁ ୧୩୦ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିବା ବେଳେ ଟ୍ରେନିଂରେ ଥିବା ସନ୍ଦେହ ମୋଚନ ନିମନ୍ତେ ପ୍ରଶ୍ନୋତ୍ତର ଉପରେ ଗୁରୁତ୍ୱ ଦିଆଯାଉଛି । ସିଫାର ବରିଷ୍ଠ ବୈଜ୍ଞାନିକ ଡ଼ଃ ଶୈଳେସ ସୌରଭ ଏହି ପ୍ରଶିକ୍ଷଣର କୋର୍ସ ନିର୍ଦ୍ଦେଶକ  ଥିବା ବେଳେ କାର୍ଯ୍ୟକ୍ରମକୁ ସଞ୍ଚାଳନା କରୁଛନ୍ତି ବୈଜ୍ଞାନିକ ଡ଼ଃ ଶ୍ୱେତା ପ୍ରଧାନ ।

Comments are closed.