ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଶିଶୁ ବୁଡିଯିବା ଘଟଣା : ସେବାୟତ ଓ ଯୁବଗୋଷ୍ଠୀଙ୍କ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

କ୍ଷତି ପୁରଣ ଓ ସ୍ଥାୟୀକାମ ପାଇଁ ପୀଠରେ ଚାପା ଉତ୍ତେଜନା, ତହସିଲିଦାରଙ୍କୁ ଘେରିଲେ ସେବାୟତ

ଆସନ୍ତାକାଲି ପୀଠ ସମେତ ଭକ୍ତଙ୍କ ଦର୍ଶନ ବନ୍ଦ ପାଇଁ ପ୍ରଶାସନକୁ ଦାବିପତ୍ର ଦେଲେ ସେବାୟତ

ଆରଡି : ଗତ ରବିବାର ଆରଡିପୀଠ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀରେ ୨ନାବାଳକ ଏକ ସୋଲଡଙ୍ଗା ଭସାଉଥିବା ବେଳେ ବୁଡିଯିବାରୁ ଜଣେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଅନ୍ୟଜଣକର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ସୋମବାର ଦିନତମାମ ପୀଠରେ ଚାପା ଉତେଜନା ଦେଖା ଦେବା ସହ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଆସିଥିବା ଚାନ୍ଦବାଲି ତହସିଲିଦାର ଶୁଶାନ୍ତ ସୁତାର ଓ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କୁ ମୃତକ ପରିବାରକୁ କ୍ଷତିପୂରଣ ସହାୟତା ରାଶି ସହ ପୁଷ୍କରିଣୀର ଅବଶିଷ୍ଟ ସ୍ଥାନର ସ୍ଥାୟୀ ମରାମତି ପାଇଁ ଦାବି କରାଯାଇଛି । ଶିବଗଙ୍ଗାରେ ଶୌଚ ଓ ପାଦ ପ୍ରଖାଳନ ପାଇଁ ଅଧିକ ଘାଟ ନିର୍ମାଣ, ପରିସ୍ରାଗାର ନିର୍ମାଣ, ଆରଡି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ୨୪ଘଣ୍ଟିଆ ଡାକ୍ତର ନିଯୁକ୍ତି ଆଦି ବାବଦରେ ଜଣାଇବା ସହ ବହୁ ସେବାୟତ ଘେରାଉ କରିବା ସହ ହୋ-ହାଲ୍ଲା କରିଥିଲେ। ସନ୍ଧ୍ୟାରେ ନିଷ୍ପାପ ଶିଶୁର ଅମର ଆତ୍ମାର ସଦଗତି ନିମନ୍ତେ ପୀଠର ଜନସାଧାରଣ ଓ ସେବାୟତ କ୍ୟାଣ୍ଡେଲ ଶୋଭାଯାତ୍ରା କରିବା ସହ ନିରବ ପାର୍ଥନା କରିଥିଲେ। ପରେ ଆରଡି ଫାଣ୍ଡିରେ ଦାବିପତ୍ର ପ୍ରଦାନ କରିଥିଲେ। ଆସନ୍ତାକାଲି ମଙ୍ଗଳବାର ପୀଠକୁ ବନ୍ଦ ରଖିବା ସହ ଆଗନ୍ତୁକ ଭକ୍ତମାନଙ୍କର ଦର୍ଶନ ବନ୍ଦ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଓ ସେବାୟତ ନିଷ୍ପତ୍ତି ନେଇଥିବା ଚନ୍ଦ୍ରକାନ୍ତ ପାଢୀ, ଆର୍ତ୍ତବନ୍ଧୁ ପାଢୀ ପ୍ରମୁଖ ଜଣାଇଛନ୍ତି।

Comments are closed.