କାନପୁର: ଭଗବାନ କୃଷ୍ଣଙ୍କ ଲୀଳାର ଶେଷ ନାହିଁ । ଦ୍ବାପର ଯୁଗରେ ପ୍ରଭୁଙ୍କ ଲୀଳା ବିଷୟରେ ବହୁତ କଥା ପୁରାଣରେ ପଢ଼ିବାକୁ ମିଳେ, ଶୁଣିବାକୁ ମିଳେ । ହେଲେ କଳି ଯୁଗରେ ବି ପ୍ରଭୁଙ୍କ ଲୀଳା କିଛି  କମ୍ ନୁହେଁ । ମଥୁରାରେ କଂସ କାରାଗାରରେ ଜନ୍ମ ପରେ କୃଷ୍ଣଙ୍କୁ ତ ବାସୁଦେବ ନେଇ ଗୋପ ପୁରରେ ଛାଡ଼ି ଆସିଥିଲେ । ହେଲେ ଏବେ କଳିଯୁଗରେ କୃଷ୍ଣ ୧୮ ବର୍ଷ ହେଲା ଥାନା ହାଜତରେ । ଏ ପର୍ଯ୍ୟନ୍ତ ତାଙ୍କୁ ଥାନାରୁ ମୁକ୍ତ କରିବାକୁ କୌଣସି ବ୍ୟବସ୍ଥା ହୋଇପାରି ନାହିଁ । ଅବଶ୍ୟ ପ୍ରତିବର୍ଷ ଜନ୍ମାଷ୍ଟମୀରେ ଥାନାବାବୁମାନଙ୍କ ଦୟାରୁ ପ୍ରଭୁ କୃଷ୍ଣ, ବଳରାମ ଓ ରାଧା କିଛି ସମୟ ପାଇଁ ହାଜତରୁ ବାହାରକୁ ବାହାରନ୍ତି । ସେତେବେଳେ ତାଙ୍କୁ ନୂଆ ପୋଷାକ ପିନ୍ଧାଇ ଦିଆଯାଏ  ।

ଘଟଣାଟି ହେଉଛି ଏମିତି । କାନପୁର ନିକଟସ୍ଥ ଶିବଲୀର ପ୍ରାଚୀନ ରାଧାକୃଷ୍ଣ ମନ୍ଦିରରୁ ୨୦୦୨ ମାର୍ଚ ୧୨ ତାରିଖରେ ରାଧା,କୃଷ୍ଣ ଓ ବଳରାମଙ୍କ ତିନିଟି ବଡ଼ ଓ ୨ଟି ଛୋଟ ଅଷ୍ଟଧାତୁ ମୂର୍ତି ଚୋରି ହୋଇ ଯାଇଥିଲା । ତତ୍କାଳୀନ ମନ୍ଦିର କର୍ତୃପକ୍ଷ ଆଲୋକ ଦତ୍ତ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ଅନୁସନ୍ଧାନ କରି ୭ମ ଦିନ ସୁଦ୍ଧା ଚୋରଙ୍କୁ ଗିରଫ କରିବା ସହ ଜେଲ୍ ପଠାଇ ଦିଆଯାଇଥିଲା ଓ ମୂର୍ତିଗୁଡ଼ିକୁ ଜବତ କରିଥିଲା । ବିଡ଼ମ୍ବନା ହେଉଛି ଠାକୁରଙ୍କୁ ଚୋରି କରିଥିବା ଚୋର ଜାମିନରେ କେବେଠାରୁ ମୁକ୍ତି ପାଇ ସାରିଲାଣି, ହେଲେ ଠାକୁରଙ୍କ ଭାଗ୍ୟ ବଦଳି ନାହିଁ । ଗଲା ୧୮ ବର୍ଷ ହେଲା ରାଧା, କୃଷ୍ଣ ଓ ବଳରାମ ଥାନା ମାଲଖାନାରେ କଏଦ ହୋଇ ରହିଛନ୍ତି ।

ଶ୍ରୀକୃଷ୍ଣ ଓ ଅନ୍ୟ ଦେବାଦେବୀମାନଙ୍କୁ ଥାନା ମାଲଖାନାରୁ ବାହାର କରି ମନ୍ଦିରରେ ପୁଣି ସ୍ଥାପନ ନିମନ୍ତେ ମନ୍ଦିର କର୍ତୃପକ୍ଷ ବହୁବାର ପ୍ରୟାସ କରିଛନ୍ତି । ହେଲେ ଆଇନକାନୁନ ଭିତରେ ପେଶି ହୋଇ ଯାଇଛି ଏହି ପ୍ରୟାସ । ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି ଯେ ପ୍ରଭୁଙ୍କ ଇଚ୍ଛା ବିନା ସଫଳତା ସମ୍ଭବ ନୁହେଁ, ତାଙ୍କର ଯଦି ଥାନା ମାଲଖାନାରେ ରହିବାର ଇଚ୍ଛା ଆମେ କ’ଣ କରିପାରିବୁ । ଯେତେବେଳେ ଲୀଳାଧର (କୃଷ୍ଣ)ଙ୍କ ଇଚ୍ଛା ହେବ ସେତେବେଳେ ସେ ମନ୍ଦିର ଫେରିବେ ।

କେବଳ ଜନ୍ମାଷ୍ଟମୀରେ ମାଲଖାନାରୁ ମିଳେ ଦିନିକିଆ ମୁକ୍ତି 

ମନ୍ଦିର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ପ୍ରତିବର୍ଷ ଜନ୍ମାଷ୍ଟମୀରେ ରାଧା, କୃଷ୍ଣ ଓ ବଳରାମଙ୍କୁ ଥାନା ମାଲଖାନାରୁ ବାହାରକୁ ଅଣାଯାଏ । ଥାନା ଅଧିକାରୀ ଏହି କାର୍ଯ୍ୟ କରିଥାଆନ୍ତି । ପୁଲିସ କର୍ମଚାରୀମାନେ ଠାକୁରଙ୍କୁ ସ୍ନାନ କରାଇ ନୂଆ ପୋଷାକ ପିନ୍ଧାଇ ଥାଆନ୍ତି । ଏହାପରେ ପୂଜାର୍ଚନା କରାଯାଇଥାଏ ଓ ଥାନାରେ ପ୍ରସାଦ ବିତରଣ ହୁଏ । ଏହାପରେ ପୁଣି ଠାକୁରଙ୍କୁ ମାଲଖାନାରେ ରଖି ଦିଆଯାଏ । ବର୍ତମାନର ଥାନା ଅଧିକାରୀ ବୀରପାଲ ସିଂହ ମଧ୍ୟ ଏହା ସ୍ବୀକାର କରିଛନ୍ତି । ସେ କହିଛନ୍ତି ମାଲିମକଦ୍ଦମା ଯୋଗୁଁ ଜବତ ମୂର୍ତିକୁ ମାଲଖାନାରେ ରଖାଯାଇଛି । ପରମ୍ପରା ଅନୁସାରେ ଏ ବର୍ଷ ଜନ୍ମାଷ୍ଟମୀରେ ମୂର୍ତିକୁ ବାହାରକୁ ଅଣାଯାଇ ନୂଆ ବସ୍ତ୍ର ପିନ୍ଧାଇ ପୂଜା କରାଯାଇଛି । ଏହାପରେ ପୁଣି ସେମାନଙ୍କୁ ମାଲଖାନା ଭିତରେ ରଖି ଦିଆଯିବ ।