ଆୟର ଅତିରିକ୍ତ ଖେଳାଳି !

ସିଡ୍‌ନୀ : ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଡିସେମ୍ବର ୧୭ରୁ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍‌ର ପ୍ରଥମ ଟେଷ୍ଟମ୍ୟାଚ୍‌ ଖେଳିବା ପରେ ଅଧିନାୟକ ବିରାଟ​‌ କୋହଲି ସ୍ବଦେଶ ଫେରିଆସିବେ। ପୁଣି ସିରିଜ୍‌ର ପ୍ରଥମ ୨ଟି ଟେଷ୍ଟମ୍ୟାଚ୍‌ରୁ ବ୍ୟାଟ୍‌ସମ୍ୟାନ୍ ରୋହିତ ଶର୍ମାଙ୍କ ସହ ପେସ୍ ବୋଲର ଈଶାନ୍ତ ଶର୍ମା ବାଦ୍ ପଡ଼ିଛନ୍ତି। ଏହାକୁ ଦେଖି ଶ୍ରେୟାସ ଆୟରଙ୍କୁ ଟେଷ୍ଟ ସିରିଜ୍ ପାଇଁ ଅତିରିକ୍ତ ଖେଳାଳି ଭାବେ ରଖିବାକୁ ଭାରତୀୟ ଦଳ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି ବୋଲି ଦଳ ମଧ୍ୟସ୍ଥ ଏକ ସୂତ୍ରରୁ ପ୍ରକାଶ। ରୋହିତ ଟେଷ୍ଟ ଦଳ​‌େ​‌ର ସ୍ଥାନ ପାଇଥିବାରୁ ଶେଷ ୩ଟି ଟେଷ୍ଟମ୍ୟାଚ୍‌ ପାଇଁ କୋହଲିଙ୍କ ବଦଳ ଖେଳାଳି ଘୋଷଣା କରିନଥିଲେ ମନୋନୟନକାରୀ। ତେବେ ରୋହିତ ଶର୍ମା ୨ୟ ଟେଷ୍ଟମ୍ୟାଚ୍‌ ମଧ୍ୟ ଖେଳିପାରିବେ ନାହିଁ ବୋଲି ଘୋଷଣା ପରେ ସୀମିତ ଓଭର ସିରିଜ୍ ସମାପ୍ତି ପରେ ଅଷ୍ଟ୍ରେଲିଆରେ ରହିବାକୁ ଆୟରଙ୍କୁ କୁହାଯାଇଛି ବୋଲି ଜାଣିବାକୁ ମିଳିଛି। କୋହଲି ଓ ରୋହିତଙ୍କୁ ମିଶାଇ ଟେଷ୍ଟ ଦଳରେ ମୋଟ ୮ ଜଣ ବ୍ୟାଟ୍‌ସମ୍ୟାନ୍ ଅଛନ୍ତି। ଉଭୟେ ୨ୟ ଟେଷ୍ଟରେ ଖେଳିବେନାହିଁ। ମାତ୍ର ୬ ଜଣ ବିଶେଷଜ୍ଞ ବ୍ୟାଟ୍‌ସମ୍ୟାନ୍‌ଙ୍କ ସହ ଟେଷ୍ଟମ୍ୟାଚ୍‌ ଖେଳିବା ଭାରତୀୟଙ୍କ ପାଇଁ କଷ୍ଟକର ହୋଇପାରେ। ତେଣୁ ଅତିରିକ୍ତ ବ୍ୟାଟ୍‌ସମ୍ୟାନ ଭାବେ ଶ୍ରେୟାସ ଆୟର ରହିପାରନ୍ତି।

Comments are closed.