ମହାକାଶରେ ଚଳଚ୍ଚିତ୍ର ସୁଟିଂ କରିବ ରୁଷ

ମସ୍କୋ: ସର୍ବପ୍ରଥମ ଥର ପାଇଁ ମହାକାଶରେ ଚଳଚ୍ଚିତ୍ର ସୁଟିଂ କରିବାକୁ ଯାଉଛି ରୁଷିଆ। ଏଥିପାଇଁ ଭ୍ଲାଦିମିର ପୁତିନଙ୍କ ସରକାର ଦେଶର ଜଣେ ଅଭିନେତ୍ରୀ ଓ ଜଣେ ନିର୍ଦେଶକଙ୍କୁ ମହାକାଶକୁ ପଠାଇବା ପାଇଁ ଯୋଜନା କରିଛନ୍ତି। ହଲିଉଡ୍‌ ଅଭିନେତା ଟମ୍‌ କ୍ରୁଜ୍‌ଙ୍କୁ ମହାକାଶକୁ ପଠାିବା ପାଇଁ ଗତ ବର୍ଷ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଘୋଷଣା କରିଥିଲା; କିନ୍ତୁ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନାହିଁ। ଏପରି ସ୍ଥଳେ ରୁଷ୍‌ର ମହାକାଶ ଗବେଷଣା ସଂସ୍ଥା ଚଳଚ୍ଚିତ୍ର ନିର୍ମାଣ ବିଷୟ ଘୋଷଣା କରିଛି। ‘ସ୍ପେସ୍‌ ଡ୍ରାମା’ ନାମରେ ଏହା ଏକ ଚଳଚ୍ଚିତ୍ର ନିର୍ମାଣ କରୁଛି; ଯାହାକୁ ଏବେ ‘ଚ୍ୟାଲେଞ୍ଜ’ ବୋଲି କୁହାଯାଉଛି।

କ୍ଲିମ୍‌ ଶିପେଙ୍କୋଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଦାମିତ୍ରି ରୋଗୋଜିନ୍‌ ସହ-ପ୍ରଯୋଜକ ଅଛନ୍ତି। ଦେଶର ଲୋକପ୍ରିୟ ଅଭିନେତ୍ରୀ ୩୬ ବର୍ଷୀୟା ୟୁଲିଆ ପରସିଲ୍ଡ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ମହାକାଶ ଯାତ୍ରା ପୂର୍ବରୁ ସେମାନଙ୍କୁ ବିଧିବଦ୍ଧ ତାଲିମ ଦିଆଯିବ। ସେମାନେ କାଜାକାସ୍ତାନରୁ ସୋୟୁଜ୍‌ ଏମଏସ୍‌-୨୦ ମହାକାଶ ଯାନ​ରେ ଯାତ୍ରା କରିବେ ବୋଲି ଯୋଜନା ହୋଇଛି।

Comments are closed.