ପିସିବି ରୋଷର ଶିକାର ହୋଇ ଅବସର ନେଇଥିଲି : ଅଖତାର

ଆମିରଙ୍କ ଅବସର ପରେ ମୁଁହ ଖୋଲିଲେ ସୋଏବ୍‌

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ନିର୍ଯାତନା ସହି ନପାରି ଅପ୍ରତ୍ୟାଶିତ ଭାବେ ୨୮ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଦ୍ରୁତ ବୋଲର ମହମ୍ମଦ ଆମିରଙ୍କୁ ସମର୍ଥନ କରିଛନ୍ତି ପୂର୍ବତନ ଦ୍ରୁତ ବୋଲର ସୋଏବ୍‌ ଅଖତାର। ଆମିର ଅବସର ନେବାର ଗୋଟିଏ ଦିନ ପରେ ଅଖତାର ମୁହଁ ଖୋଲିବା ସହିତ ପିସିବି ଉପରେ ବର୍ଷିଛନ୍ତି। ୨୦୧୧ ବିଶ୍ବକପ ପରେ ମ୍ୟାନେଜ୍‌ମେଣ୍ଟ ରୋଷର ଶିକାର ହେବାକୁ ପଡ଼ିଥିଲା । ଯାହା ଫଳରେ ଆଉ କିଛି ଦିନ କ୍ରିକେଟ ଖେଳିବାକୁ ଇଛା ଥିଲେ ମଧ୍ୟ ଅବସର ନେବାକୁ ବାଧ୍ୟ ହୋଇଥିଲି ବୋଲି ଅଖତାର କହିଛନ୍ତି। ଆମିର ୨୦୧୦ ଇଂଲଣ୍ଡରେ ସ୍ପଟ୍‌ ଫିକ୍ସିଂ ଅଭିଯୋଗରେ ଅନ୍ତର୍ଜାତୀୟ କ୍ରିକେଟରୁ ୫ ବର୍ଷ ଲାଗି ବାସନ୍ଦ ହୋଇଥିଲେ। ପରବର୍ତ୍ତୀ ସମୟରେ ଆମୀର ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲେ ମଧ୍ୟ ପିସିବି ପକ୍ଷରୁ ସମର୍ଥନ ମିଳିନଥିଲା। ଯାହା ଫଳରେ ସେ ୨୦୧୯ରେ ଟେଷ୍ଟ କ୍ରିକେଟ ଓ ୨୦୨୦ ଡିସେମ୍ବର ୧୭ରେ ଦିନିକିଆ ଓ ଟ୍ବେଣ୍ଟି୨୦ରୁ ଅବସର ଘୋଷଣା କରିଛନ୍ତି। ଆମିର ଅବସର ନେଇ ପିସିବି ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି। ଯାହା କୌଣସି ମିଥ୍ୟା ଆରୋପ ହୋଇନପାରେ ବୋଲି ଅଖତାର କହିଛନ୍ତି। ୨୦୧୧ ବିଶ୍ବକପ ପରେ ମୋ ପ୍ରତି ଅଧିନାୟକ ସହିଦ୍‌ ଆଫ୍ରିଦିଙ୍କ ବାଦ୍‌ ଅନ୍ୟ କୌଣସି ମ୍ୟାନେଜ୍‌ମେଣ୍ଟ କର୍ମକର୍ତ୍ତାଙ୍କ ଭଲ ବ୍ୟବହାର ଦେଖିବାକୁ ମିଳିନଥିଲା। ମୁଁ ମଧ୍ୟ ଅନେକ ସମୟରେ ମ୍ୟାନେଜ୍‌ମେଣ୍ଟର ଶିକାର ହେଉଥିଲି। ପିସିବି ଖେଳାଳିମାନଙ୍କ ପ୍ରତି ଏଭଳି ଆଚରଣ ବନ୍ଦ କରିବା ଆବଶ୍ୟକ। ନଚେତ୍‌ କ୍ରିକେଟରୁ ଅନେକ ଯୁବ ଖେଳାଳିମାନେ ଦୂରେଇ ଯିବେ ବୋଲି ଅଖତାର କହିଛନ୍ତି। ସୂଚନାଯୋଗ୍ୟ ସୋଏବ୍‌ ଅଖତାର ୧୯୯୭ରୁ ୨୦୧୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ସେଥିମଧ୍ୟରୁ ୪୬ଟି ଟେଷ୍ଟ ମ୍ୟାଚରୁ ୧୭୮ଟି ୱିକେଟ, ୧୬୩ଟି ଦିନିକିଆ ମ୍ୟାଚରୁ ୨୪୭ଟି ୱିକେଟ ଓ ୩୮ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୪୪ଟି ୱିକେଟ ନେଇଛନ୍ତି।

Comments are closed.