ଉଜ୍ଜୀବିତ ହେଉ ଶିବ ଚେତନା

ଉପେନ୍ଦ୍ର ବିଶ୍ବାଳ

ଦେବ ଦେବ ମହାଦେବଙ୍କ ଉପରେ ଜଳାଭିଷେକ କଳ୍ପେ ସନ୍ଥ ଏକନାଥ ଚାଲିଥାନ୍ତି ରାମେଶ୍ୱରମ୍‍ ଅଭିମୁଖେ। ସୁଦୀର୍ଘ କଷ୍ଟସାଧ୍ୟ ଯାତ୍ରାର ପ୍ରାୟ ଶେଷ ସୋପାନ। ଦୃଷ୍ଟିଗୋଚର ହେଲା ଏକ ବିଚିତ୍ର ଦୃଶ୍ୟ। ରାସ୍ତା ପାର୍ଶ୍ବରେ ତୃଷାରେ ଅତିଷ୍ଠ ହୋଇ କଲବଲ ହେଉଥିଲା ଗଧଟିଏ। ପାଦ ସ୍ଥିର ହୋଇଗଲା ତାଙ୍କର। ଚାରିପାର୍ଶ୍ବକୁ ଅନାଇଲେ। ମାତ୍ର ତାଙ୍କ ଆଖିରେ ଦୃଷ୍ଟିଗୋଚର ହେଲାନାହିଁ କୌଣସି ଜଳାଶୟ। ଅଗତ୍ୟା ତ୍ରିଶଂକୁ ଅବସ୍ଥାରେ ସନ୍ଥ ଏକନାଥ। ଗୋଟିଏ ପଟେ ତୃଷାର୍ତ୍ତ ଗଧର ପ୍ରାଣରକ୍ଷା ତ ଅନ୍ୟ ଦିଗରେ ମହାଦେବଙ୍କ ଉପରେ ପବିତ୍ର ଜଳାଭିଷେକର ଦୃପ୍ତ ସଂକଳ୍ପ ଓ ପୁଣ୍ୟପ୍ରାପ୍ତି। ଦୟାର୍ଦ୍ର ହୃଦୟ ତାଙ୍କର ଅସ୍ଥିର ହୋଇଉଠିଲା। ଗଧର କଷ୍ଟକୁ ସେ ଆଉ ସହି ପାରିଲେ ନାହିଁ। ତତ୍‍କ୍ଷଣାତ୍‍ ଗରାରେ ନେଉଥିବା ଜଳରେ ଗଧର ତୃଷ୍ଣା ନିବାରଣ କରି ଆସନ୍ନ ମୃତ୍ୟୁରୁ ରକ୍ଷା କଲେ ତାକୁ। କଥିତ ଅଛି, ଏଥିରେ ଅତ୍ୟନ୍ତ ପ୍ରସନ୍ନ ହୋଇ ପ୍ରଭୁ ରାମେଶ୍ୱରମ୍‍ ସ୍ୱୟଂସାକ୍ଷାତ୍‍ ଦର୍ଶନ ଦେଇ କୃତାର୍ଥ କରିଥିଲେ ସନ୍ଥ ଏକନାଥଙ୍କୁ। ଏହି ଘଟଣା ଆମକୁ ସୂଚିତ କରାଏ ଯେ ପଶୁ ମଧ୍ୟରେ ହିଁ ପଶୁନାଥ ବିଦ୍ୟମାନ। ଅର୍ଥାତ୍‍ ଯେଉଁଠି ଜୀବ, ସେଇଠି ଶିବ। ଜୀବ କଲ୍ୟାଣରେ ହିଁ ଶିବ ଆରାଧନା। ଜୀବ ମଂଗଳରେ ହିଁ ଶିବପୂଜା। ତାହା ହିଁ ପୁଣ୍ୟ ପ୍ରାପ୍ତିର ପ୍ରକୃଷ୍ଟ ପଥ ଓ ପନ୍ଥା। ଜଳାଭିଷେକ ଅବା ଉପବାସ ବାରବ୍ରତରେ ଅବା ପୂଜା ପ୍ରାର୍ଥନାରେ ଆଶୁତୋଷ ଯେତିକି ତୋଷ ନହୁଅନ୍ତି ତା’ଠୁ ଅଧିକ ତୁଷ୍ଟ ହୁଅନ୍ତି ଜୀବ ଜଗତର ମଂଗଳ ବିଧାନରେ। ପ୍ରଭୁ ଶଙ୍କର ତ ଏମିତି କଲ୍ୟାଣମୟ, ମଙ୍ଗଳକାରୀ। ସମୁଦ୍ର ମନ୍ଥନରୁ ବାହାରିଥିବା ହଳାହଳ ବିଷକୁ ପାନ କରିବାକୁ ଆଶୁତୋଷ ହିଁ ଆଗେଇ ଆସିଥିଲେ, ଜଗତର କଲ୍ୟାଣପାଇଁ। ରାଜା ଭଗୀରଥଙ୍କ କୃଚ୍ଛ୍ର ସାଧନା ବଳରେ ସ୍ୱର୍ଗ ସମ୍ଭୂତା ମାତା ଜାହ୍ନବୀ ଯେବେ ଧରାବତରଣ ପାଇଁ ସମ୍ମତି ପ୍ରକାଶ କଲେ, ଧରିତ୍ରୀ ମାତା ଅସମର୍ଥ ପ୍ରକାଶ କଲେ ସେ ବୋଝକୁ ସମ୍ଭାଳିବାପାଇଁ। ସେତେବେଳେ ମଧ୍ୟ ଆଗେଇ ଆସିଲେ ଭଗବାନ ବିଶ୍ୱେଶ୍ୱର, ବିଶ୍ୱର କଲ୍ୟାଣାର୍ଥେ। ଅତଏବ ମହାଦେବ ଶମ୍ଭୁନାଥଙ୍କୁ ଭକ୍ତିବାଢ଼ିବା, ଆରାଧନା କରୁଥିବା ଆମମାନଙ୍କ ପାଇଁ ଜୀବ ଓ ଜଗତର କଲ୍ୟାଣ ଆମଠାରେ ପ୍ରାଥମିକତା ପାଇବା ଉଚିତ୍‍। ଏହା ଆମର ପରମଧେୟ ହେବା ଉଚିତ୍‍। ଏହା ହିଁ ଆମର ସଂକଳ୍ପ ଓ ସାଧନା ହେବା ଉଚିତ୍‍। ସମ୍ବନ୍ଧ, ସହାବସ୍ଥାନ, ସମନ୍ୱୟ ହିଁ ଆମ ଜୀବନର ବୈଶିଷ୍ଟ୍ୟ। ମାତ୍ର ବିଭେଦ ବା ବିଦ୍ୱେଷ ନୁହଁ। ପ୍ରଭୁ ଶଂକରଙ୍କ ପରିବାରର ଅଦ୍ଭୁତ ସଂରଚନା ମଧ୍ୟ ଆମକୁ ଏହି ବାର୍ତ୍ତା ବାଣ୍ଟିଥାଏ।
ନୈସର୍ଗିକ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ହିମାଳୟର ବରଫାବୃତ୍ତ କୈଳାସ ଗିରିଶୃଙ୍ଗକୁ ନିଜ ଆବାସସ୍ଥଳୀ ରୂପେ ବାଛିଥିବା ବେଳେ ମସ୍ତକରେ ଶୋଭା ପାଉଥିବା ଦ୍ୱିତୀୟାଚନ୍ଦ୍ର ଶାନ୍ତ ପରିବେଶ, ଶାନ୍ତ ପର୍ଯ୍ୟାବରଣର ସୂଚନା ଦିଏ। ପ୍ରଭୁ ଶଂକରଙ୍କ ପରିବାରର ମାତା ପାର୍ବତୀଙ୍କ ବାହନ ସିଂହ, ପ୍ରଭୁଙ୍କ ବାହନ ବୃଷଭର ଶତ୍ରୁ। କାର୍ତ୍ତିକେୟଙ୍କ ବାହନ ମୟୂର ପ୍ରଭୁଧାରଣ କରିଥିବା ସର୍ପର ଶତ୍ରୁ ଏବଂ ସେହି ସର୍ପ ବିଦ୍ୟାଦାତା ଗଣେଶଙ୍କ ବାହନ ମୂଷିକର ଶତ୍ରୁ। ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପରିବାରରେ ଖାଦ୍ୟ ଏବଂ ଖାଦକ ବିନା ଶତ୍ରୁତା, ବିନା ଭୟରେ ସହାବସ୍ଥାନ କରିବା ଏବ ବିରଳ ଦୃଷ୍ଟାନ୍ତ ଓ ବିଚିତ୍ର ସଂଯୋଜନା। ଯେତେ ଶତ୍ରୁ ହେଲେ ମଧ୍ୟ କେହି କାହାରି ପ୍ରତି ବିନା କାରଣରେ ଅନିଷ୍ଟସାଧନ ନ କରିବାକୁ ଏବଂ ପର୍ଯ୍ୟାବରଣକୁ ସ୍ୱଚ୍ଛ ଓ ନିର୍ମଳ ରଖି ପ୍ରାକୃତିକ ଭାରସାମ୍ୟ ରକ୍ଷାକରିବାକୁ ଭଗବାନଙ୍କ ପରିବାରରୁ ଏହା ପ୍ରେରଣା ମିଳେ।
ଆଜି ମହାଶିବରାତ୍ରି। ମହାଦେବ ଶଙ୍କରଙ୍କୁ ଜପ କରିବାର, ଆରାଧନା କରିବାର ପବିତ୍ର ଦିବସ। ଉପବାସ ଓ ଉଜାଗର ରହି ଜାଗର ଜାଳିବାର ଆଜି ହିଁ ମାହେନ୍ଦ୍ର ବେଳା। ଏହି ଦିବସରେ ଔପଚାରିକତା ଅପେକ୍ଷା ଆମେ ବାସ୍ତବବାଦୀ ହେବା ଉଚିତ, ବାସ୍ତବତାକୁ ହୃଦୟଙ୍ଗମ କରିବା ଉଚିତ୍‍। ଶିବ ଶଙ୍କରଙ୍କୁ କେଉଁ ଉପାୟରେ ଆରାଧନା କଲେ ତାଙ୍କୁ ତୁଷ୍ଟ କରାଯାଇପାରିବ ? ଲୋଭ ଓ ବସ୍ତୁବାଦୀ ଦୁନିଆ ପଛରେ ଦୌଡ଼ିଲେ ଶଂକର ସନ୍ତୁଷ୍ଟ ହେବେ ନାହିଁ। ବରଂ ସେ ସନ୍ତୁଷ୍ଟ ହେବେ, ସେଥିରୁ ଦୂରରେ ରହି ସାଦା ଜୀବନ ଓ ଉଚ୍ଚ ବିଚାରକୁ ଜୀବନରେ ଅଳଂକୃତ କଲେ। ଆଶୁତୋଷଙ୍କୁ ସନ୍ତୁଷ୍ଟ କରାଯାଇ ପାରେ, ଜୀବ ଓ ଜଗତର କଲ୍ୟାଣରେ ବ୍ରତୀ ହେଲେ, ପ୍ରକୃତିର ଉପାସନା କଲେ। ଆଶୁତୋଷ ଆଶୀର୍ବାଦ ଢାଳିବେ ଶିବଚେତନାରେ ଆମେ ମଜ୍ଜି ରହିଲେ। ଜାଗରର ପର୍ବ ଆଜି ଜାଗରଣର ପର୍ବ ହେଉ। ଏଣୁ ଆସନ୍ତୁ ଆଜିଠାରୁ ଉଜ୍ଜୀବିତ କରିବା, ଜାଗ୍ରତ କରିବା ଶିବଚେତନାକୁ ଆମ ମନ ମଧ୍ୟରେ।

-ନୀଳଗିରି, ବାଲେଶ୍ୱର

Comments are closed.