ରାଜ୍ୟପାଳଙ୍କୁ ଭେଟିଲେ ପୂର୍ବତନ ନୌସେନା କର୍ମଚାରୀ; ଶିବସେନା ଆକ୍ରମଣ ବିରୋଧରେ ଅଭିଯୋଗ

ମୁମ୍ବଇ : ଶିବସେନା କର୍ମୀଙ୍କ ଆକ୍ରମଣର ଶିକାର ହୋଇଥିବା ନୌସେନାର ପୂର୍ବତନ କର୍ମଚାରୀ ମଦନ ଶର୍ମା ମଙ୍ଗଳବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟରେ ଶର୍ମା ଶିବସେନା କର୍ମୀଙ୍କ ଆକ୍ରମଣ ସମ୍ପର୍କରେ ରାଜ୍ୟପାଳଙ୍କୁ ଅଭିଯୋଗ କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପରେ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ ‘ମୋତେ ମାଡ ମାରିବା ଲୋକମାନେ ଅଭିଯୋଗ କରିଥିଲେ ଯେ ମୁଁ ବିଜେପି ଓ ଆରଏସଏସ୍ ଲୋକ। ତେଣୁ ସେବେ ଠାରୁ ମୁଁ ବିଜେପି ଓ ଆରଏସଏସ୍‌ର ଲୋକ ହୋଇଯାଇଛି।’ ସେପ୍ଟେମ୍ବର ୧୨ରେ କମଳେଶ କାଡାମଙ୍କ ନେତୃତ୍ବରେ ଶିବସେନାର କେତେକ କର୍ମୀ ଶର୍ମାଙ୍କୁ ମାଡ ମାରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପର୍କରେ ଏକ କାର୍ଟୁନକୁ ଶର୍ମା ସୋସିଆଲ ମିଡିଆରେ ସେୟାର କରିଥିଲେ। ୬୫ବର୍ଷୀୟ ଶର୍ମା ନୌସେନାରେ ଅଫିସର ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି। ସେ କାଣ୍ଡିଭାଲି ଇଷ୍ଟରେ ପରିବାର ସହିତ ରହୁଛନ୍ତି। ଏହି ଆକ୍ରମଣ ପରେ ଶର୍ମା ମୁଖ୍ୟମନ୍ତ୍ରୀଙ୍କ ଠାରୁ କ୍ଷମାପ୍ରାର୍ଥନା ଦାବି କରିଛନ୍ତି। ଉଦ୍ଧବ ଯଦି ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ଅସମର୍ଥ ତେବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଶର୍ମା କହିଛନ୍ତି।

Comments are closed.