ମୁଖ୍ୟମନ୍ତ୍ରୀ ଚୌକି ଉପରେ ଶିବସେନାର ନଜର, ଅଢ଼େଇ ବର୍ଷ ପାଇଁ ମାଗିପାରେ ପଦବୀ

ମୁମ୍ବଇ: ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନର ଫଳାଫଳ ସାମ୍ନାକୁ ଆସିବା ପରେ ରାଜ୍ୟରେ ନୂଆ ସରକାରକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଗୃହମନ୍ତ୍ରୀ ଅମିତ ଶାହ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କୁ ରାଜ୍ୟରେ ବିଜେପି-ଶିବସେନାର ବିଜୟ ପାଇଁ ଶୁଭେଚ୍ଛା ଜଣାଇବା ସହିତ କ୍ଷମତା ବଣ୍ଟନ ନେଇ ଦୀପାବଳି ପରେ ଆଲୋଚନା କରିବେ ବୋଲି କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଚୌକି ଉପରେ ଶିବସେନାର ନଜର ରହିଥିବା ଆଲୋଚନା ହେଉଛି। କ୍ଷମତା ବଣ୍ଟନ ନେଇ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ପଦବୀକୁ ବି ଭାଗବାଣ୍ଟି ଉଭୟ ଦଳ ଅଢ଼େଇ ବର୍ଷ ଲେଖାଏ ରହିବା ନେଇ ଶିବସେନା ଦାବି କରିପାରେ। ଆଦିତ୍ୟ ଠାକରେଙ୍କୁ ରାଜ୍ୟ କ୍ୟାବିନେଟର ଅଧ୍ୟକ୍ଷ କରାଇବା ଆମର ଦାବି ରହିଛି ବୋଲି ଶିବସେନା ବିଧାୟକ ପ୍ରକାଶ ସୁର୍ବେ କହିଛନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀ ପଦବୀକୁ ବାଣ୍ଟିବା ନେଇ ଶିବସେନାର ଦାବିକୁ ବିଜେପି ସ୍ବୀକାର କରିବା ନାହିଁ। କାରଣ ବିଜେପିକୁ ୧୦୫ ଆସନ ମିଳିଛି ଏବଂ ଦଳ ନିକଟରେ ଆହୁରି ୧୦ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଛି। ଯଦି ୫୬ ଆସନରେ ଜିତିଥିବା ଶିବସେନା ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିବ, ତେବେ ବିଜେପି ତା’ ସହିତ କୌଣସି ବୁଝାମଣା କରିବ ନାହିଁ।

Comments are closed.