ନାଗରିକତା ସଂଶୋଧନ ବିଧେୟକକୁ ଶିବସେନାର ସମର୍ଥନ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୋମବାର ଲୋକସଭାରେ ବିବାଦୀୟ ନାଗରିକତା ସଂଶୋଧନ ବିଧେୟକ ଆଗତ କରିଛନ୍ତି। ସଂସଦରେ ଏହି ବିଧେୟକକୁ ଅନେକ ଦଳ ସମର୍ଥନ କରିଥିବାବେଳେ ଅନେକେ ବିରୋଧ କାରିଥିଲେ। ତେବେ ପରେ ଗୃହରେ ଏକ ଭୋଟ ହୋଇଥିଲା। ବିଧେୟକ ଗୃହିତ ହେବା ସପକ୍ଷରେ ଅଧିକ ଭୋଟ ମିଳିଛି। ଯେଉଁଥିରେ ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହଯୋଗରେ ମେଣ୍ଟ ସରକାର ଗଢିଥିବା ଶିବସେନା ମଧ୍ୟ ସମର୍ଥନ କରିଛି। ଗୃହରେ ଏହାର ସପକ୍ଷରେ ୨୯୩ଟି ଭୋଟ ମିଳିଥିବାବେଳେ ବିପକ୍ଷରେ ୮୨ଟି ଭୋଟ ମିଳିଛି।
ନାଗରିକତା ସଂଶୋଧନ ବିଧେୟକ ଲୋକସଭାରେ ଗୃହିତ ହେବା ପରେ ଏହାକୁ ରାଜ୍ୟସଭାର ଅନୁମୋଦନ ପାଇଁ ଆଗତ କରାଯିବ। ଯଦି ଏହା ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନୁମୋଦନ ଲାଭ କରେ ତେବେ ଏହାଦ୍ବାରା ଦେଶରେ ବହୁ ବର୍ଷ ଧରି ସକ୍ରିୟ ଥିବା ନାଗରିକତା ଆଇନ – ୧୯୫୫ ବଦଳି ଯିବ ଏବଂ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବା ପ୍ରକ୍ରିୟା ସହଜ ହୋଇଯିବ। ଏହି ବିଧେୟକକୁ ବିଜେପି, ଜନତା ଦଳ ୟୁନାଇଟେଡ଼, ଅକାଳି ଦଳ, ଲୋକ ଜନଶକ୍ତି ଦଳ, ବିଜେଡ଼ି ଏବଂ ଶିବସେନା ସମର୍ଥନ କରୁଥିବା ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ, ବାମପନ୍ଥୀ ଦଳ ଏବଂ ସମାଜବାଦୀ ପାର୍ଟି ବିରୋଧ କରୁଛନ୍ତି।

Comments are closed.