ବିସିସିଆଇ ଅନୁପସ୍ଥିତିରେ ଟି-୨୦ ବିଶ୍ୱକପ୍‍ ଘୁଞ୍ଚାଇବା ବୈଠକ

ନୂଆଦିଲ୍ଲୀ : କ୍ରିକେଟ୍‍ ଦୁନିଆରେ ତା’ର ଅର୍ଥବଳ ଜରିଆରେ ରାଜୁତି କରୁଛନ୍ତି ଭାରତୀୟ କ୍ରିକେଟ୍‍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ବିଶ୍ୱ କ୍ରିକେଟ୍‍ରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସିସିଆଇର ଜିଦ୍‍ ହିଁ ଚାଲିଥାଏ । ଏହାକୁ ଦେଖି ଚଳିତବର୍ଷ ହେବାକୁ ଥିବା ଟ୍ୱେଣ୍ଟି୨୦ ବିଶ୍ୱକପ୍‍କୁ ଘୁଞ୍ଚାଇବା ପ୍ରସଙ୍ଗରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ବୈଠକ କରିଥିବା ବେଳେ ବିସିସିଆଇକୁ ଏଥିରେ ସାମିଲ କରା ଯାଇନଥିବା ଖବର ହସ୍ତଗତ ହୋଇଛି।
ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆୟୋଜନ ହେବ ବୋଲି କାର୍ଯ୍ୟସୂଚୀ ସ୍ଥିରହୋଇଛି। ତେବେ ସାରାବିଶ୍ୱରେ ଏବେ ମହାମାରୀ କୋଭିଡ୍‍-୧୯ର ପ୍ରକୋପ ବଢ଼ିବାରେ ଲାଗିଛି। ଆଉ ୨/୩ ମାସ ମଧ୍ୟରେ ବିଶ୍ୱ କରୋନାମୁକ୍ତ ହେବାର ସମ୍ଭାବନା କ୍ଷୀଣ। ଏହି କାରଣରୁ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆୟୋଜନ ସମ୍ଭବ ନୁହେଁ ବୋଲି ଆଇସିସି ଅନୁଭବ କରିସାରିଛି। ତେବେ ଏହି ବିଶ୍ୱକପ୍‍ କେବେ ଖେଳାଯିବ? ଏହି ପ୍ରସଙ୍ଗରେ ନିକଟରେ ଭିଡିଓ କନ୍‍ଫରେନ୍‍ସିଂ ଜରିଆରେ ବିଭିନ୍ନ ଦେଶର କ୍ରିକେଟ୍‍ ବୋର୍ଡଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିସିସିଆଇ ଯୋଗ ଦେଇନଥିଲା। ପ୍ରଥମ ପ୍ରସ୍ତାବ ଦିଆ ଯାଇଥିଲା ଯେ ଆସନ୍ତାବର୍ଷ ଫେବୃୟାରୀ-ମାର୍ଚ୍ଚରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆୟୋଜନ କରାଯାଉ। ଏହାକୁ ଅଧିକାଂଶ କ୍ରିକେଟ୍‍ ବୋର୍ଡ ବିରୋଧ କରିଥିଲେ। ଅନ୍ୟ ପ୍ରସ୍ତାବଟି ଥିଲା ଯେ ଅଷ୍ଟ୍ରେଲିଆକୁ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ର ୨୦୨୧ ସଂସ୍କରଣ ଆୟୋଜନ କରିବାକୁ ଦିଆଯାଉ ଏବଂ ୨୦୨୨ର ସଂସ୍କରଣ ଭାରତକୁ ମିଳୁ। ତେବେ ପାକିସ୍ତାନ କ୍ରିକେଟ୍‍ ବୋର୍ଡ (ପିସିବି) ନେତୃତ୍ୱାଧୀନ ଏକ କମିଟି ଏହି ପ୍ରସ୍ତାବକୁ ବିରୋଧ କରିଥିଲା। ଉକ୍ତ କମିଟି ଯୁକ୍ତି ବାଢ଼ିଥିଲା ଯେ ଅଷ୍ଟ୍ରେଲିଆ ୨୦୨୦ ଟ୍ୱେଣ୍ଟି୨୦ ବିଶ୍ୱକପ୍‍କୁ ଯଦି ଅକ୍ଟୋବର-ନଭେମ୍ବରରେ ଅାୟୋଜନ କରେ; ଭାରତ ୨୦୨୧ ବିଶ୍ୱକପ୍‍ କିପରି ଫେବୃୟାରୀ-ମାର୍ଚ୍ଚରେ ଆୟୋଜନ କରିବ। ୨୦୨୦ର ବିଶ୍ୱକପ୍‍ ଚମ୍ପିଆନ କ’ଣ ୫ ମାସ ପାଇଁ ଟ୍ରଫି ତା’ ପାଖରେ ରଖିବ? ତେବେ ଏହି ପ୍ରସଙ୍ଗରେ ବିସିସିଆଇ ତା’ର ମତ ରଖିନାହିଁ। ପୁଣି ବିସିସିଆଇ ପ୍ରଥମେ ନିଶ୍ଚିତ କରିବ ଯେ ଉଭୟ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଏପରି ସମୟରେ ହେଉ; ଯଦ୍ୱାରା ଏହାର ରାଜସ୍ୱ ହାନି ହେବନାହିଁ। ପୁଣି ବିସିସିଆଇ ମଧ୍ୟସ୍ଥ ଏକ ସୂତ୍ର ଅନୁସାରେ; ଯଦି ଭାରତକୁ ୨୦୨୧ ବିଶ୍ୱକପ୍‍ ଆୟୋଜନ ଅଧିକାର ମିଳିଛି; ବିସିସିଆଇ ଏହାକୁ ନିର୍ଦ୍ଧାରିତ ସମୟରେ ନ କରି ୨୦୨୨ ଫେବୃୟାରୀ-ମାର୍ଚ୍ଚରେ କାହିଁକି କରିବ।

Comments are closed.