ଥରୁରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ: ଇଂରାଜୀ ଭାଷାର ବିଶିଷ୍ଟ ଲେଖକ, ସ୍ତମ୍ଭକାର, ପୂର୍ବତନ କୂଟନୀତିଜ୍ଞ ତଥା ତିରୁଅନନ୍ତପୁରମ୍‌ର କଂଗ୍ରେସ ସାଂସଦ ଶଶୀ ଥରୁର ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟୀ ହୋଇଛନ୍ତି। ‘ଆନ୍‌ ଏରା ଅଫ ଡାର୍କନେସ୍‌’ ପୁସ୍ତକ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅଣ-ଫିକ୍ସନ୍‌ ବର୍ଗରେ ଥରୁରଙ୍କ ପୁସ୍ତକକୁ ମନୋନୀତ କରାଯାଇଛି। ଏହି ପୁସ୍ତକ ଭାରତରେ ବ୍ରିଟିଶ ଔପନିବେଶିକବାଦ ସମୟର ଘଟଣାବଳୀ ଓ ଏହାର ପ୍ରଭାବ ଉପରେ ପର୍ଯ୍ୟବସିତ। ଏହି ପୁରସ୍କାର ବାବଦରେ ଥରୁରଙ୍କୁ ତାମ୍ରଫଳକ ସହିତ ଉତ୍ତରୀୟ ଓ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି ମିଳିବ। ୨୦୨୦ ଫେବୃଆରୀ ୨୫ରେ ନୂଆଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। ‘ହ୍ବାଇ ଆଇ ଆମ୍‌ ଏ ହିନ୍ଦୁ’, ‘ଦି ପାରାଡକ୍ସିକାଲ ପ୍ରାଇମ୍‌ମିନିଷ୍ଟର’, ‘ରାୟଟ ଆଣ୍ଡ ଦି ଗ୍ରେଟ୍‌ ଇଣ୍ଡିଆନ୍‌ ନଭେଲ’ ଆଦି ତାଙ୍କର ବହୁଚର୍ଚ୍ଚିତ ପୁସ୍ତକ। ଉଲ୍ଲେଖଯୋଗ୍ୟ ଯେ ୧୯୫୪ରୁ ବିଭିନ୍ନ ଭାରତୀୟ ଭାଷାରେ ଉଲ୍ଲେଖନୀୟ ସାହିତ୍ୟକୃତି ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଆସୁଛି।

Comments are closed.