ମହାନଦୀ ସେତୁ ଛାତରୁ ଖସି ସେଟ୍ରିଂ ମିସ୍ତ୍ରୀଙ୍କ ମୃତ୍ୟୁ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଖରଶଙ୍କୁଲେଇଠାରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଛାତରୁ ଶନିବାର ଜଣେ ସେଟ୍ରିଂ ମିସ୍ତ୍ରୀ  ୩୦ଫୁଟ ତଳକୁ ଖସିପଡି ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମିସ୍ତ୍ରୀ ଜଣକ ହେଲେ ମନୁ ଗୁଞ୍ଜୁ(୩୦) ବୋଲି ସୂଚନା ମିଳିଛି। ତାଙ୍କ ଘର ବିହାର ଝାଡଖଣ୍ଡ ଅଂଚଲର ଲାଠୋର ଜିଲ୍ଲାରେ କେଡୁ ଗ୍ରାମର ବୋଲି ଜଣାପଡିଛି। ଘଟଣାରୁ ଜଣାଯାଏ ଯେ, ବ୍ଲକର ଖରଶଙ୍କୁଲେଇଠାରେ ନିର୍ମାଣଧିନ ଚାଲିଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ କାର୍ଯ୍ୟରେ ମନୁ ଗୁଞ୍ଜୁ ସେଟ୍ରିଂ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଆଜି ସେତୁ ଛାତ ଢଳେଇ ପାଇଁ ସେଟ୍ରିଂ କାର୍ଯ୍ୟ କରୁଥିବାବେଳେ ଅସାବଧାନତା ବଶତଃ ବ୍ରିଜ ଛାତରୁ ୩୦ଫୁଟ ତଳକୁ ଖସିପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସେଠାରୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ମେଡିକାଲ ଚିକିତ୍ସା ପାଇଁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ତାଙ୍କର ଦୁଇ ପୁଅ ଦୁଇ ଝିଅ ଏବଂ ସ୍ତ୍ରୀ ଥିବା ଜଣାପଡିଛି। ଆଜି ସେ ସେତୁକାର୍ଯ୍ୟ ସମୟରେ ମୁଣ୍ଡରେ ହେଲମେଟ କିମ୍ବା ଅନ୍ୟାନ୍ୟ ସୁରକ୍ଷା ଉପକରଣ ପିନ୍ଧିନଥିବା ମଧ୍ୟ ଜଣାପଡିଛି।ଗତ ୩ମାସ ହେଲା ଆସି ବ୍ରିଜ କାର୍ଯ୍ୟ କରୁଥିଲେ। କେଉଁ କାରଣରୁ ଏଭଳି ଅଘଟଣ ଘଟିଲା ତାକୁ ନେଇ ହରଭଙ୍ଗା ପୁଲିସ ଘଟଣାର ତଦନ୍ତ ଚଳାଇଛି।

Comments are closed.