ତୁଟିଲା ବିବାଦ, ଦେଶ ପାଇଁ ମିଳିମିଶି କାମ କରିବେ ସେରମ୍ ଏବଂ ବାୟୋଟେକ୍

ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ବାୟୋଟେକର କୋଭାକ୍ସିନ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡକୁ ଅନୁମୋଦନ କରାଯାଇଛି। ତେବେ ଅନୁମୋଦନ ପରେ ଦୁଇ କମ୍ପାନୀ ମଧ୍ୟରେ ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ବିବାଦର ସମାଧାନ ହୋଇଛି ଏବଂ ଉଭୟ ଆଜି ମିଳିତ ବିବୃତ୍ତି ଜାରି କରିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା ଏବଂ ଭାରତ ବାୟୋଟେକର ଅଧ୍ୟକ୍ଷ ଡକ୍ଟର କୃଷ୍ଣ ଇଲା ଏହି ବିବୃତ୍ତି ପ୍ରଦାନ କରିଛନ୍ତି।
ମିଳିତ ବିବୃତ୍ତିରେ ଦୁଇ କମ୍ପାନୀ କହିଛନ୍ତି, ‘ଲୋକ ଏବଂ ଦେଶ ପାଇଁ ଟୀକାକରଣର ମହତ୍ତ୍ୱ ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବେ ଅବଗତ। ଆମର କୋଭିଡ -୧୯ ଟିକାକୁ ବିଶ୍ୱ ସ୍ଥରୀୟ ସୁବିଧା ଯୋଗାଇଦେବା ପାଇଁ ଆମର ମିଳିତ ପ୍ରତିଶ୍ରୁତି ବିଷୟରେ କହୁଛୁ।’ ଏହି ଦୁଇ କମ୍ପାନୀ ସମଗ୍ର ଦେଶରେ କରୋନା ଟିକା ବିତରଣ ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ କହିଛନ୍ତି।
ମିଳିତ ବିବୃତ୍ତିରେ ଏହି ଦୁଇ କମ୍ପାନୀ କହିଛନ୍ତି ଯେ ଆଦର ପୁନାୱାଲା ଏବଂ ଡକ୍ଟର କୃଷ୍ଣ ଇଲା କିପରି ଦେଶରେ କରୋନା ଟିକା ଉତ୍ପାଦନ, ଯୋଗାଣ ଏବଂ ବିତରଣ କରିବେ ସେ ବିଷୟରେ ଆଲୋଚନା କରିଛନ୍ତି। ଉଭୟ ଅନୁଷ୍ଠାନ ବିଶ୍ୱାସ କରନ୍ତି ଯେ ଏହି ସମୟରେ ଭାରତ ଏବଂ ବିଶ୍ୱର ଲୋକଙ୍କ ଜୀବନ ବଞ୍ଚାଇବା ଏକ ବଡ ଲକ୍ଷ୍ୟ।
ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ବର୍ତ୍ତମାନ ଭାରତରେ ଦୁଇଟି କରୋନା ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦିତ ହୋଇଛି ତଥା ଏହି ଟିକା ଉତ୍ପାଦନ, ଯୋଗାଣ ଏବଂ ବିତରଣ କରିବା ଆମ ପାଇଁ ମୁଖ୍ୟ ପ୍ରସଙ୍ଗ ଅଟେ। ଆମର ଉଭୟ କମ୍ପାନୀ ପୂର୍ବ ପରି ଦେଶର ସ୍ୱାର୍ଥରେ ଏହି କାର୍ଯ୍ୟ ଜାରି ରଖିବେ ଏବଂ ଆଗକୁ ଅଗ୍ରସର ହେବେ।
ସୂଚନା ଯୋଗ୍ୟ, ନିକଟରେ ଆଦର ପୁନାୱାଲା ଏବଂ କୃଷ୍ଣ ଇଲାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ରାଜନେତାମାନେ ମଧ୍ୟ ଏହି ବିବାଦରେ ପ୍ରବେଶ କରିଥିଲେ। ଏହା ପରେ ପୁନାୱାଲା ଏହି ବିବାଦର ସମାଧାନ ପାଇଁ ପଦକ୍ଷେପ ସ୍ୱରୂପ ମଙ୍ଗଳବାର ଅପରାହ୍ନରେ ଟ୍ୱିଟ୍ କରି କହିଥିଲେ ଯେ ଖୁବ ଶୀଘ୍ର ଭାରତ ବାୟୋଟେକ୍ ସହିତ ଭୁଲ ବୁଝାମଣା ଦୂର କରିବାକୁ ମିଳିତ ବିବୃତ୍ତି ଜାରି କରାଯିବ।