ପୂର୍ବ ଶତ୍ରୁତାରୁ ଘର ଉପରେ ସିରିଜ୍‍ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଫୁଲବାଣୀ: ଫୁଲବାଣୀ ଟାଉନ ଥାନା ଅର୍ନ୍ତଗତ ୧୨ ନମ୍ବର ୱାର୍ଡ଼ର ପିଅନପଡ଼ା ଅଞ୍ଚଳର ବନ୍ଧସାହିରେ ବୁଧବାର ବିଳମ୍ବିତ ରାତିରେ ସିରିଜ ବୋମାମାଡ ହୋଇଛି। ଶତ୍ରୁତାକୁ କେନ୍ଦ୍ର କରି ଜଣକର ଘର ଉପରେ ଘନଘନ ବୋମାମାଡ ହୋଇଛି। ସମଗ୍ର ସହରରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପିଅନପଡା ବନ୍ଧସାହିର ଟିଟନ ବେହେରାଙ୍କ ଘର ଉପରକୁ ଗୁରୁବାର ଭୋରରେ ଲଗାତାର ତିନୋଟି ବୋମା ମାଡ଼ କରାଯାଇଥିଲା। ବୋମାମାଡ଼ର ଶବ୍ଧରେ ସ୍ଥାନୀୟ ଲୋକ ଭୟଭୀତ ହେବା ସହ ଘରୁ ପଦାକୁ ଚାଲି ଆସିଥିଲେ। ବୋମାମାଡ଼ରେ ଟିଟନଙ୍କ ଘରର ଆଜବେଷ୍ଟେଜ୍‍ ଦୁଇଟି ସ୍ଥାନରେ କ୍ଷତିଗ୍ରସ୍ତ ହୋଇଛି। ଘଟଣା ସମୟରେ ଟିିଟନଙ୍କ ପରିବାରର ସଦସ୍ୟ ଘର ଭିତରେ ଶୋଇଥିଲେ ହେଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁଇଟି ବାଇକରେ କୁଆଡ଼େ ୪ଜଣ ଆସି ବୋମାମାଡ଼ କରିଥିବା ଟିଟନ ଏତଲାରେ ଦର୍ଶାଇଛନ୍ତି। ଏତଲା ପ୍ରକାରେ ପୁଲିସ୍‍ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏତଲାରେ କିଛି ବ୍ୟକ୍ତିଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ଭୋରରେ ଖବର ପାଇ ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଜି ସକାଳେ ସଦର ଏସ୍‍.ଡ଼ି.ପି.ଓ ମହେନ୍ଦ୍ରନାଥ ମୁର୍ମୁ, ଫୁଲବାଣୀ ଟାଉନଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଓ ଟିଟନଙ୍କ ପରିବାରକୁ ପଚାରି ବୁଝିଥିଲେ। ସାଇଣ୍ଟିଫିକ୍‍ ଟିମ୍‍ ଓ ସନ୍ଧାନୀ କୁକୁର ଘଟଣାର ଅନୁସନ୍ଧାନ କରିଥିବା ବେଳେ ସେଠାରେ ପଡ଼ିଥିବା ଏକ ବ୍ୟାଗ୍‍କୁ ପୁଲିସ୍‍ ଜବତ କରିଛି।

Comments are closed.